ଓଡିଆନ୍ ନ୍ୟୁଜ

24

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ୪.୪୮ କୋଟି ଟଙ୍କାରେ ବିକିଲେ

Team Odian News |

ଲଣ୍ଡନ: କଥାରେ ଅଛି ଭଗବାନ ଯେତେବେଳେ ଦେଇଥାନ୍ତି ସେତେବେଳେ ଛପର ଫାଡ଼ି ଦେଇଥାନ୍ତି। ଏମିତିରେ ବି ଅନେକ ସମୟରେ ଆମେ କିଛି ଜିନିଷ ବିଷୟରେ ଭଲ ଭାବରେ ନ ଜାଣି ମଧ୍ୟ ଏହାକୁ ସାଧାରଣ ଭାବି କିଣି ଦେଇଥାଉ। ହେଲେ ପରେ ସେସମ୍ପର୍କରେ ଯେତେବେଳେ ଜାଣିଥାଉ ତାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏମିତି କିଛି ଘଟଣା ଘଟିଛି ଲଣ୍ଡନରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ।

ସୂଚନା ଅନୁସାରେ, ଏହି ବ୍ୟକ୍ତି ଜଣକ ଏକ ନିଲାମୀରେ ମାତ୍ର ୯୦ ଟଙ୍କାରେ ଏକ ଫୁଲଦାନୀ କିଣିଥିଲେ। ସେହି ସମୟରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଏହି ଫୁଲଦାଦୀର ମହତ୍ତ୍ୱ ସମ୍ପର୍କରେ କିଛି ବି ଜଣା ନ ଥିଲା। ହେଲେ ଯେତେବେଳେ ତାଙ୍କୁ ଏହାର ମହତ୍ତ୍ୱ ସମ୍ପର୍କରେ ଜଣାପଡ଼ିଲା, ସେ ନିଜକୁ ଭାଗ୍ୟଶାଳୀ ବୋଲି ଭାବିଥିଲେ।

ନିଲାମରେ କିଣିଥିବା ଏହି ଫୁଲଦାନୀକୁ ଉକ୍ତ ବ୍ୟକ୍ତି ଜଣକ ଏକ ଇ-କମର୍ସ କମ୍ପାନୀର ୱେବ୍‌ସାଇଟ୍‌ରେ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଯେଉଁଠି ତାଙ୍କୁ ଅନେକ ଭଲ ଭଲ ଅଫର ମିଳିଥିଲା। ଏହି ଫୁଲଦାନୀକୁ କିଣିବା ପାଇଁ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଦେବାକୁ ବି ପ୍ରସ୍ତୁତ ଥିଲେ। ଫୁଲଦାନୀର ଡିମାଣ୍ଡ୍‌ ବା ଚାହିଦା ଦିନକୁ ଦିନ ବଢ଼ୁଥିବା ଦେଖି ସେ ଏହାକୁ ନିଲାମ କରିବା ପାଇଁ ନିଷ୍ପତ୍ତି ନେଲେ। ନିଲାମୀରେ ଏହି ଫୁଲଦାନୀକୁ ଚୀନ୍‌ର ଜଣେ ବ୍ୟକ୍ତି ୪.୪୮ କୋଟି ଟଙ୍କାରେ କିଣିଥିଲେ। ଯାହା ସମ୍ପୃକ୍ତ ବ୍ୟକ୍ତିଙ୍କ ହୋସ୍‌ ଉଡ଼ାଇ ଦେଇଥିଲା।

ନିଲାମୀ ସମୟରେ ଉକ୍ତ ବ୍ୟକ୍ତି ଜଣଙ୍କ ଏହି ଫୁଲଦାନୀ ସମ୍ପର୍କରେ ଅନେକ କଥା ଜାଣିବାକୁ ପାଇଥିଲେ। ଯାହାକୁ ସେ ସାଧାରଣ ଭାବି କିଣିଥିଲେ, ପ୍ରକୃତରେ ତାହା ୩୦୦ ବର୍ଷ ପୁରୁଣା ଫୁଲଦାନୀ ଥିଲା। ୧୮୦୦ଶହ ଶତାବ୍ଦୀରେ ଚୀନ୍‌ର ଜଣେ ସମ୍ରାଟଙ୍କ ପାଇଁ ଏହାକୁ ତିଆରି କରାଯାଇଥିଲା। ଯାହାଙ୍କ ଶାସନକାଳ ୧୭୩୫ ରୁ ୧୭୯୬ ମଧ୍ୟରେ ଥିଲା।

ନିଲାମରେ ମିଳିଥିବା ଏହି ଟଙ୍କାକୁ ସେ ତାଙ୍କର ୩ ବର୍ଷ ଝିଅର ପାଠ ପଢ଼ାରେ ଖର୍ଚ୍ଚ କରିବା ସହ ବାକି ଜୀବନ ଅତି ଆନନ୍ଦରେ କଟାଇବେ ବୋଲି କହିଛନ୍ତି।