ଓଡିଆନ୍ ନ୍ୟୁଜ

129

ଧର୍ମଘଟରୁ ଓହରିଲେ ପେଟ୍ରୋଲ ପମ୍ପ ଡିଲର, ୧୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା

Team Odian News |

ଧର୍ମଘଟରୁ ଓହରିଲେ ପେଟ୍ରୋଲ ପମ୍ପ ଡିଲର, ୧୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଥିଲା
ନୂଆଦିଲ୍ଲୀ,୧୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍):ଚଳିତମାସ ୧୩ରେ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଥିବା ପେଟ୍ରୋଲ ପମ୍ପ ଡିଲରମାନେ ଆଜି ସେଥିରୁ ଓହରି ଯାଇଛନ୍ତି । ବିଭିନ୍ନ ଦାବି ନେଇ ଦେଶର ୩ ବୃହତ୍‌ ପେଟ୍ରୋଲିୟମ୍‌ ଡିଲର ସଂଘକୁ ନେଇ ଗଠିତ ମିଳିତ ପେଟ୍ରୋଲିୟମ୍‌ ମେଣ୍ଟ (ୟୁପିଏଫ୍‌) ପକ୍ଷରୁ ପେଟ୍ରୋଲ ପମ୍ପ ଡିଲରମାନେ ଗତ ଶନିବାର ଧର୍ମଘଟ ଡାକରା ଦେଇଥିଲେ । ଧର୍ମଘଟରେ ସାମିଲ ହେବାକୁ ଥିବା ଡିଲରମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ ସହ ସେମାନଙ୍କର କଣ୍ଟ୍ରାକ୍ଟ ବାତିଲ କରିବାକୁ ତୈଳ ମାର୍କେଟିଂ କମ୍ପାନୀ ପକ୍ଷରୁ ଧମକ ଦିଆଯାଇଥିଲା । ଡିଲରମାନଙ୍କର ଯାହା ସବୁ ଦାବି ରହିଛି ସେସବୁର ସମାଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ ଆଶ୍ୱାସନା ଦିଆଯିବା ପରେ ବୁଧବାର ଧର୍ମଘଟରୁ ଡିଲରମାନେ ଓହରି ଯାଇଛନ୍ତି । ଫଳରେ ଧର୍ମଘଟ ଟଳିଯାଇଛି । ଡିଲରଙ୍କ ମଞ୍ଜୁରପ୍ରାପ୍ତ କମିସନ୍‌ ତୁରନ୍ତ ଦେବା ଏବଂ ପେଟ୍ରୋଲିୟମ୍‌ ଉତ୍ପାଦକୁ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) ପରିସରଭୁକ୍ତ କରିବା ନେଇ ଡିଲରମାନେ ଦାବି କରିଥିଲେ । ଡିଲରଙ୍କ ଧର୍ମଘଟରେ ଦେଶରେ ପାଖାପାଖି ୫୪,୦୦୦ ପେଟ୍ରୋଲ ପମ୍ପ ସାମିଲ ହେବାର ଯୋଜନା ଥିଲା । ଯଦି ସରକାର ସଂଘର ଏହି ସବୁ ଦାବିକୁ ଗ୍ରହଣ ନ କରନ୍ତି ତେବେ ଚଳିତମାସ ୨୭ଠାରୁ ଡିଲରମାନେ ଦେଶବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଆରମ୍ଭ କରିବେ ବୋଲି ମଧ୍ୟ ସଂଘ ପୂର୍ବରୁ କହିଥିଲା । ଏହି ପରିପ୍ରେକ୍ଷୀରେ ପୂର୍ବରୁ ବନ୍ଦ ଡାକରାକୁ ସମର୍ଥନ ଦେଇଥିବା ଉକ୍ରଳ ପେଟ୍ରୋଲିୟମ୍‌ ଡିଲର ସଂଘ ଏବେ ଧର୍ମଘଟରୁ ଓହରିଯାଇଥିବା ଏହାର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି ।