ଓଡିଆନ୍ ନ୍ୟୁଜ

142

ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ରକ୍ତଦାତାମାନଙ୍କୁ ଧନ୍ୟବାଦ ଆଜି ବିଶ୍ୱ ରକ୍ତଦାନ ଦିବସ

Team Odian News |

ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ରକ୍ତଦାତାମାନଙ୍କୁ ଧନ୍ୟବାଦ
 ଆଜି ବିଶ୍ୱ ରକ୍ତଦାନ ଦିବସ 

ଭୁବନେଶ୍ୱର,୧୩/୧୦(ଓଡ଼ିଆନ୍‍ ନ୍ୟୁଜ୍‍):ରାଜ୍ୟରେ ରକ୍ତ ଜନିତ ରୋଗୀଙ୍କ ଯାତାୟାତ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସ୍ବରୂପ ପାଞ୍ଚଶହ ଟଙ୍କା ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।  ଥାଲାସେମିଆ, ସିକଲସେଲ ଓ ହେମୋଫିଲିଆ ରୋଗୀମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ଯୋଗାଇ ଦିଆଯିବ । ଏହି ଅବସରରେ ରକ୍ତଦାନ ଅଭିଯାନରେ ଉଲ୍ଲେଖନୀୟ ଅବଦାନ ପାଇଁ ‘ଆମ ଓଡ଼ିଶା’କୁ  ରାଜ୍ୟ ସରକାର ସମ୍ମାନିତ କରିଛନ୍ତି ଓ ଜୀବନବିନ୍ଦୁ କାର୍ୟ୍ୟକ୍ରମ ପାଇଁ ବିଜେଡିକୁ ସମ୍ମାନିତ କରିଛନ୍ତି। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଓ ବିଜେଡିର ଜୀବନବିନ୍ଦୁ କାର୍ୟ୍ୟକ୍ରମର ରାଜ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କଠାରୁ ଟ୍ରଫି ଗ୍ରହଣ କରିଛନ୍ତି।  ଗ୍ରାମାଞ୍ଚଳରେ ରକ୍ତ ସଂଗ୍ରହ କରିବା ପାଇଁ ଆଉ ୯ଟି ରକ୍ତ ସଂଗ୍ରହ ଭ୍ରାମ୍ୟମାଣ ଯାନ ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ରକ୍ତଦାତାମାନଙ୍କୁ ଧନ୍ୟବାଦ ଜ୍ଞାପନ ଅବସରରେ ଶୁକ୍ରବାର ଜୟଦେବ ଭବନରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସମାରୋହ ଆୟୋଜିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ଅଧ୍ୟକ୍ଷତା କରି ବର୍ତ୍ତମାନ ରାଜ୍ୟରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବୁର୍ଲା ସମେତ ଛଅଟି ବ୍ଲଡ୍‌ବ୍ୟାଙ୍କରେ ଅତ୍ୟାଧୁନିକ ପଦ୍ଧତି ମାଧ୍ୟମରେ ରକ୍ତ ପରୀକ୍ଷା କରାଯାଉଛି ବୋଲି କହିଛନ୍ତି । । ଆଗାମୀ ଦିନରେ ବାଲେଶ୍ୱର, ବାରିପଦା, କେନ୍ଦୁଝର, କୋରାପୁଟ, ବରଗଡ଼, ବଲାଙ୍ଗିର ଓ ରାଉରକେଲାରେ ଖୋଲାଯିବ । ଏହା ବ୍ୟତୀତ ଝାରସୁଗୁଡ଼ା, ଫୁଲବାଣୀ ଓ ଭବାନୀପାଟଣାରେ ରକ୍ତ କଣିକାର ପୃଥକୀକରଣ କେନ୍ଦ୍ର ଆସନ୍ତା ବର୍ଷଠାରୁ କାର୍ୟ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନଥିବା ୨୭ଟି ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ଵରର ବିଧାୟକବୃନ୍ଦ ଏବଂ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟଯେ ଆଜି ବିଶ୍ୱ ରକ୍ତଦାନ ଦିବସ । ସ୍ୱେଚ୍ଛାକୃତ ରକ୍ତଦାନକୁ ଏକ ମହତ ଦାନ ଭାବେ ଆଜିର ଦିନକୁ ସାରା ବିଶ୍ୱରେ ପାଳନ କରାଯାଉଛି ।