ଓଡିଆନ୍ ନ୍ୟୁଜ

24

ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ

Team Odian News |

ନୂଆଦିଲ୍ଲୀ : ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେଉଛି । ନଭେମ୍ବର ୧୮ରୁ ଡିସେମ୍ବର ୧୩ ଯାଏଁ ଚାଲିବା ଏହି ଅଧିବେଶନ । ଏହି ଅଧିବେଶନରେ ସରକାର ୨୨ଟି ବିଲ୍ ଆଗତ କରିବା ସହ ସମସ୍ତ ବିଲକୁ ଗୃହୀତ କରିବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, କାଶ୍ମୀର ପ୍ରସଙ୍ଗ, ରାଫେଲ ଡିଲ, ଆର୍ଥିକ ମାନ୍ଦାବସ୍ଥା, ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିପାରନ୍ତି  ବିରୋଧୀ ।  ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସଂସଦରେ ଉଠାଇବାକୁ ପ୍ରସ୍ତୁତ ରହିଛନ୍ତି । ରାଜ୍ୟର ବହୁ ଗୁରୁତ୍ବପୂର୍ଣ୍ଣ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା ସହ କେନ୍ଦ୍ର ଉପରେ ଚାପ ପକାଇ ଦାବି ପୂରଣ ନିମନ୍ତେ ପ୍ରସ୍ତୁତ କରିଛି ବିଜେଡି । ମାଓପ୍ରଭାବିତ ଅଞ୍ଚଳଠୁ ଆରମ୍ଭ କରି ଉପାନ୍ତ ପର୍ଯ୍ୟନ୍ତ ରାଜ୍ୟରେ ବହୁ ଦୁର୍ଗମ ସ୍ଥାନକୁ ବ୍ୟାଙ୍କ ଓ ଟେଲିଫୋନ ସେବା ନାହିଁ । ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ବ୍ୟାଙ୍କିଂ ଓ ଟେଲିଯୋଗାଯୋଗ ବ୍ୟବସ୍ଥାକୁ କିପରି ଅଧିକ ବ୍ୟାପକ କରାଯିବ ତା’ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି ।  ପୂର୍ବରୁ କେନ୍ଦ୍ର ଦ୍ବାରା ଚିହ୍ନିତ ୧୭ଟି ପ୍ରସିଦ୍ଧ ଐତିହ୍ୟଭରା ପର୍ଯ୍ୟଟନ ସ୍ଥଳୀ ଭିତରେ ଓଡ଼ିଶାର ନାମ ନ ଥିବାବେଳେ ଏଥିରେ ଓଡ଼ିଶାର ଅନ୍ତତଃ ଦୁଇଟି ପର୍ଯ୍ୟଟନସ୍ଥଳୀକୁ ସ୍ଥାନିତ କରିବା, ଭୁବନେଶ୍ବରରୁ ଦୁବାଇକୁ ସିଧାସଳଖ ଆନ୍ତର୍ଜାତିକ ବିମାନ ଉଡ଼ାଣ ବ୍ୟବସ୍ଥା, ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ଦିଗରେ ମଧ୍ୟ ବିଜେଡି ପକ୍ଷରୁ ସଂସଦରେ ଦାବି ଉପସ୍ଥାପନ କରାଯିବ ।