ନୂଆଦିଲ୍ଲୀ : ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍ୟୁ)ର ସଂସ୍କୃତ ବିଭାଗରେ ଜଣେ ସହକାରୀ ପ୍ରଫେସର୍ ଭାବେ ଯୋଗ ଦେଇଥିବା ମୁସଲିମ୍ ପ୍ରଫେସର ଫିରୋଜ୍ ଖାନ୍ଙ୍କ ବହିଷ୍କାର ଦାବିରେ ଛାତ୍ରଗୋଷ୍ଠୀଙ୍କ ଆନ୍ଦୋଳନ ଜୋରଦାର ହୋଇଛି। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍ୟୁ)ର ସଂସ୍କୃତ ବିଭାଗରେ ସହକାରୀ ପ୍ରଫେସର୍ ଭାବେ ଯୋଗ ଦେଇଥିଲେ | ପ୍ରାୟ ୩୦ ଜଣ ସଂସ୍କୃତ ଛାତ୍ର ବିଏଚ୍ୟୁର କୁଳପତି ରାକେଶ ଭଟ୍ଟନାଗରଙ୍କ ଅଫିସ୍ ବାହାରେ ଦୀର୍ଘ ୧୩ ଦିନ ଧରି ଆନ୍ଦୋଳନ କରୁଛନ୍ତି। ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ସେମାନେ ଅଡ଼ି ବସିଛନ୍ତି। ଛାତ୍ରଗୋଷ୍ଠୀଙ୍କ ଏଭଳି କାର୍ଯ୍ୟରେ ପ୍ରଫେସର ଫିରୋଜ୍ ଖାନ୍ ଭାଙ୍ଗି ପଡ଼ିଛନ୍ତି। ଫିରୋଜ୍ ଖାନ୍ଙ୍କ ନିଯୁକ୍ତି ସମ୍ପୂର୍ଣ୍ଣ ନୀତିଗତ ଭାବେ କରାଯାଇଛି ଏବଂ ତାଙ୍କୁ ବହିଷ୍କାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି ବିଏଚ୍ୟୁ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ପ୍ରଶାସନ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ବିନା କୌଣସି ଜାତି , ଧର୍ମ, ଲିଙ୍ଗ ଏବଂ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କୁ ପଢ଼ିବାର ସମାନ ସୁଯୋଗ ଦେବାପାଇଁ ବିଶ୍ବବିଦ୍ୟାଳୟ ଗଠନ ହୋଇଛି। ଖାନ୍ଙ୍କ ନିଯୁକ୍ତି ମଧ୍ୟ ଏକ ନିଯୁକ୍ତି କମିଟିର ସର୍ବସମ୍ମତି ନିଷ୍ପତ୍ତିକ୍ରମେ ହୋଇଛି ବୋଲି ବିଏଚ୍ୟୁ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଗତ ନଭେମ୍ବର ୭ ତାରିଖରୁ ଚକ୍ରପାଣି ଓଝା ନାମକ ଜଣେ ଛାତ୍ର ନେତାଙ୍କ ନେତୃତ୍ବରେ ଆନ୍ଦୋଳନ ହୋଇଛି।