ଓଡିଆନ୍ ନ୍ୟୁଜ

55

ସ୍କୁଲପିଲାଙ୍କୁ ନେଇ ଯାଉଥିବା ଅଟୋ ଓଲଟି ଛାତ୍ରୀଙ୍କ ମୃତ୍ୟୁ

Team Odian News |

କେନ୍ଦ୍ରାପଡ଼ା:  କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ଓଲଟି ଛାତ୍ରୀଙ୍କ ମୃତ୍ୟୁ। ଏହି ଦୁର୍ଘଟଣାରେ ଜଣେ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ହେବା ପରେ ଉତ୍ତ୍ୟକ୍ତ ଲୋକେ ଅଟୋ ଜାଳିଦେଇଛନ୍ତି ।ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଆହତ ୪ ଜଣଙ୍କୁ ପଟ୍ଟାମୁଣ୍ଡାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମୃତ ଛାତ୍ରୀଙ୍କ ନାଁ ଶୁଭସ୍ମିତା।

ସ୍କୁଲ ଛୁଟି ପରେ ପଟ୍ଟାମୁଣ୍ଡାଇ ଔପଦା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୫ ଜଣ ଛାତ୍ରୀ ଅଟୋରେ ଘରକୁ ଫେରୁଥିଲେ । ଭାରସାମ୍ୟ ହରାଇ ରାଜନଗର ପଟ୍ଟାମୁଣ୍ଡାଇ-ଗରା ରାସ୍ତାରେ ଓଲଟି ପଡ଼ିଥିଲା । ଫଳରେ ଜଣେ ଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ । ଆହତ ଛାତ୍ରୀଙ୍କୁ ଚିକିତ୍ସା ଲାଗି ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ତେବେ ଆବଶ୍ୟକତାଠାରୁ ଅଧିକ ଛାତ୍ରୀଙ୍କୁ ନେଇ ଅଟୋଟି ଆସୁଥିବାରୁ ଓଲଟି ପଡିଥିବା ଅଭିଯୋଗ କରିଛନ୍ତି ଅଭିଭାବକ। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଅଟୋରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।