ଓଡିଆନ୍ ନ୍ୟୁଜ

215

‘ମିସାଇଲ ମ୍ୟାନ୍‌’ ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଅବଦୁଲ କଲାମ ଜନ୍ମଦିନ

Team Odian News |

‘ମିସାଇଲ ମ୍ୟାନ୍‌’  ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଅବଦୁଲ କଲାମ ଜନ୍ମଜୟନ୍ତୀ 
ନୂଆଦିଲ୍ଲୀ,୧୫/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଭାରତର କେତେଜଣ ମହାମନିଷୀ ରହିଛନ୍ତି ଯେଉଁ ମାନଙ୍କ ନାମ ଉଚ୍ଚାରଣ ମାତ୍ରକେ ଉକ୍ତି,ସମ୍ମାନ ଓ ଶ୍ରଦ୍ଧାରେ ମଥା ଆପେଆପେ ନଇଁ ଯାଏ । ସେମାନଙ୍କ ମଧ୍ୟରେ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଏପିଜେ ଅବଦୁଲ କଲାମ ଅନ୍ୟତମ । ‘ମିସାଇଲ ମ୍ୟାନ୍‌’ ନାମରେ ସେ ଖ୍ୟାତି ପାଇଥିଲେ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ଏବଂ ସରଳତା ତଥା ଶାନ୍ତ ଭଦ୍ର ବ୍ୟବହାର ସମସ୍ତଙ୍କୁ ତାଙ୍କ ପ୍ରତି ଆକୃଷ୍ଟ କରୁଥିଲା । ୧୯୩୧,ଅକ୍ଟୋବର ୧୫ ତାରିଖରେ ତାମିଲନାଡୁର ରାମଶ୍ୱରମଠାରେ ଜନ୍ମଗ୍ରହଣ କରିଥିଲେ ଅବଦୁଲ କଲାମ । ବାପା ଜୈନୁଲାବ୍ଦିନ ଜଣେ ନାବିକ ମାଲିକ ଥିବାବେଳେ ସ୍ଥାନୀୟ ମସଜିଦରେ ସେ ଇମାମ ଦାୟିତ୍ୱ ନିର୍ବାହ କରୁଥିଲେ ଏବଂ ମା’ ଆସିଆମ୍ମା ଜଣେ ଗୃହିଣୀ ଥିଲେ । ତାଙ୍କ ସମ୍ପୂର୍ଣ୍ଣ ନାମ ଅବୁଲ ପାକିର ଜୈନୁଲଆବ୍ଦିନ ଅବଦୁଲ କଲାମ ଥିଲା । ତେବେ ସେ ଏପିଜେ ଅବଦୁଲ କଲାମ ନାମରେ ବିଶ୍ୱବିଦିତ ହୋଇଥିଲେ । ପିଲାଟି ଦିନରୁ ତାଙ୍କ ଉପରେ ବାପା ମା’ଙ୍କ ବିଶେଷ ପ୍ରଭାବ ପଡିଥିଲା ଏବଂ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ମଧ୍ୟ ସେ ପ୍ରଭାବିତ ହୋଇଥିଲେ । ଏହାଛଡା ପିଲାଟି ଦିନରୁ ତାଙ୍କର ଗୁରୁ ଓ ଶିକ୍ଷକଙ୍କ ମଧ୍ୟ ତାଙ୍କ ଜୀବନ ଉପରେ ଅନେକ ପ୍ରଭାବ ପଡିଥିଲା । ପିଲାଟି ଦିନରୁ ଇଂରାଜୀ ଉପନ୍ୟାସ ପଢିବା ସହ ସୌରମଣ୍ଡଳ,ସୌରଜଗତ,ମହାକାଶ ସମ୍ପର୍କିତ ବିଭିନ୍ନ ପୁସ୍ତକ ପଢିବା ତାଙ୍କର ରୁଚି ରହିଥିଲା । ପ୍ରାଥମିକ ଶିକ୍ଷା ଓ ମାଡ୍ରାସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ(ଡିଆରଡିଓ)ରେ ବୈଜ୍ଞାନିକ ଭାବରେ ଯୋଗ ଦେଇଥିଲେ । ସେଠାରେ କିଛି ବର୍ଷ କାର୍ୟ୍ୟ କରିବା ପରେ ତାଙ୍କ ବଦଳି ଇଣ୍ଡିଆନ ସ୍ପେସ୍‌ ରିସର୍ଚ୍ଚ ଅର୍ଗାନାଇଜେସନ(ଇସ୍ରୋ)କୁ ହୋଇଥିଲା । ସେଠାରେ ସେ ଭାରତର ପ୍ରଥମ ସାଟେଲାଇଟ(ଏସଏଲଭି-୩)ର ପ୍ରକଳ୍ପ ନିର୍ଦେଶକ ଭାବରେ ଦାୟିତ୍ୱ ତୁଲାଇଥିଲେ । ୧୯୮୦ରେ ସେ ରୋହିଣୀ ଉପଗ୍ରହକୁ ପୃଥିବୀ କକ୍ଷପଥର ଅତି ନିକଟରେ ସ୍ଥାପିତ କରିବାରେ ସକ୍ଷମ ହୋଇଥିଲେ । ପରେ ତାଙ୍କୁ ୧୯୮୨ରେ ଡିଆରଡିଓର ନିର୍ଦେଶକ ଭାବରେ ନିଯୁକ୍ତି ମିଳିଥିଲା । ତାଙ୍କର ପ୍ରଚଣ୍ଡ ବୈଜ୍ଞାନିକ ପ୍ରତିଭା ଯୋଗୁଁ ସମ୍ପୂର୍ଣ୍ଣ ସ୍ୱଦେଶୀ କୌଶଳରେ ଅଗ୍ନି ଏବଂ ତ୍ରିଶୁଳ ଭଳି କ୍ଷେପଣାସ୍ତ୍ର ନିର୍ମିତ ହୋଇପାରିଥିଲା । ତାଙ୍କର ତତ୍ତ୍ୱାବଧାନରେ ୧୯୯୮ରେ ପୋଖରାନରେ ଭାରତ ତାର ଦ୍ୱିତୀୟ ପରମାଣୁ ଶକ୍ତି ପରୀକ୍ଷା କରିଥିଲା ଏବଂ ବିଶ୍ୱରେ ପରମାଣୁ ଶକ୍ତିସମ୍ପନ୍ନ ଦେଶ ତାଲିକାରେ ସାମିଲ ହୋଇପାରିଥିଲା । ତାଙ୍କ ଜୀବନକାଳ ମଧ୍ୟରେ ସେ ସବୁବେଳେ ଯୁବକଙ୍କୁ ପ୍ରାଧାନ୍ୟ ଦେଉଥିଲେ । ଦେଶର ଭବିଷ୍ୟତ ଯୁବଶକ୍ତିଙ୍କ ହାତରେ ସୁରକ୍ଷିତ ବୋଲି ସେ ହୃଦୟଙ୍ଗମ କରିଥିଲେ । ଏହାଛଡା ଯୁବକ ମାନେ ମଧ୍ୟ ଆଗକୁ ଆସି ଦେଶର ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ଅନକ ଥର ମତପ୍ରକାଶ କରିଥିଲେ । ଦେଶରେ ଅନେ ନୂଆନୂଆ କୌଶଳର ପ୍ରଣୟନ କରିବା ଏବଂ ପ୍ରକଳ୍ପ ଆରମ୍ଭ କରିବାକୁ ସେ ସବୁବେଳେ ପ୍ରେରଣା ଯୋଗାଇ ଆସୁଥିଲେ । ଦେଶପ୍ରତି ତାଙ୍କର ଏଭଳି ନିସ୍ୱାର୍ଥପର ସେବା ଏବଂ ଦେଶକୁ ଆଧୁନିକ କରିବା ସହ ସମସ୍ତ ଜ୍ଞାନକୌଶଳ ସମ୍ପନ୍ନ କରିବା ପାଇଁ ଯୋଗାଇ ଦେଉଥିବା ପ୍ରେରଣା ଯୋଗୁଁ ୧୯୮୧ରେ ପଦ୍ମଭୂଷଣ, ୧୯୯୦ରେ ପଦ୍ମବିଭୂଷଣ ଏବଂ ପରେ ୧୯୯୯ରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ସମ୍ମାନରେ ଭୂଷିତ କରାଯାଇଥିଲା । ସେ ଦେଶର ଏକାଦଶତମ ରାଷ୍ଟ୍ରପତି ଭାବେ ୨୦୦୨ରେ ନିର୍ବାଚିତ ହୋଇ ୨୦୦୭ ପର୍ୟ୍ୟନ୍ତ ଦାୟିତ୍ୱ ତୁଲାଇଥିଲେ । ତେବେ ୨୦୧୫,ଜୁଲାଇ ୨୭ ତାରିଖରେ ସିଲଂ ଠାରେ ଏକ କାର୍ୟ୍ୟକ୍ରମରେ ଭାଗନେବା ଅବସରରେ ହୃଦଘାତରେ ତାଙ୍କ ପରଲୋକ ଘଟିଥିଲା ।