ଓଡିଆନ୍ ନ୍ୟୁଜ

44

ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ଉନ୍ନାଓ ପୀଡ଼ିତା

Team Odian News |

ନୂଆଦିଲ୍ଲୀ: ଆଖି ବୁଜିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ରାତି ୧୧ଟା ୪୦ ମିନିଟ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ହୃଦ୍‌ଘାତ ପରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୨୦୧୮ ଡିସେମ୍ବରରେ ଉନ୍ନାଓର ଶିବମ୍‌ ତ୍ରିବେଦୀ ଓ ଶୁଭମ୍‌ ତ୍ରିବେଦୀ ନାମକ ଦୁଇଜଣ ବ୍ୟକ୍ତି ସମ୍ପୃକ୍ତ ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ସେମାନେ ମାର୍ଚ୍ଚରେ ଗିରଫ ହୋଇ ଜେଲ ଯାଇଥିଲେ ଓ ନଭେମ୍ବର ୨୫ରେ ଜାମିନରେ ମୁକୁଳିଥିଲେ। ଏହି ମାମଲାର ଶୁଣାଣି ପାଇଁ ପୀଡ଼ିତା ଗୁରୁବାର ଭୋର ୪ଟା ୩୦ରେ ଉନ୍ନାଓରୁ ରାଏବରେଲି କୋର୍ଟକୁ ଯାଉଥିବାବେଳେ ବାଟରେ ଶିବମ୍‌ ଓ ଶୁଭମ୍‌ଙ୍କ ସହ ଅନ୍ୟ ତିନି ଅଭିଯୁକ୍ତ ହରିଶଙ୍କର ତ୍ରିବେଦୀ, ରାମକିଶୋର ତ୍ରିବେଦୀ ଏବଂ ଉମେଶ ବାଜପେୟୀ ମିଶି ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ପୀଡ଼ିତା ପୋଡ଼ିହୋଇଯିବା ପରେ ସାହାଯ୍ୟ ପାଇଁ ୧ କି.ମି. ଦୂର ପର୍ଯ୍ୟନ୍ତ ଧାଇଁଥିଲେ। ପୂର୍ବାହ୍ନ ୧୦ଟାରେ ସିଭିଲ୍‌ ହସ୍ପିଟାଲରେ ତାଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ଶରୀରର ୯୦% ପୋଡ଼ିହୋଇଯାଇଥିବାରୁ ଶୁକ୍ରବାର ରାତିରେ ଲକ୍ଷ୍ନୌରୁ ଏକ ବିମାନରେ ନୂଆଦିଲ୍ଲୀସ୍ଥିତ ସଫ୍‌ଦରଜଙ୍ଗ ହସ୍ପିଟାଲକୁ ପଠାଯାଇଥିଲା। ସଫଦରଜଙ୍ଗ ହସ୍ପିଟାଲରେ ପୀଡ଼ିତାଙ୍କ ପାଇଁ ଏକ ଅଲଗା ଆଇସିୟୁର ବ୍ୟବସ୍ଥା କରାଯାଇଥିଲା। ମେଡିକାଲ୍‌ର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌ଙ୍କ ତତ୍ତ୍ୱାବଧାନରେ ପୀଡ଼ିତା ଥିଲେ। ତେବେ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ ଡାକ୍ତର।  ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୁଲିସ୍‌। ପେଟ୍ରୋଲ ଢାଳି ନିଆଁ ଲଗାଇବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କୁ ଛୁରୀ ମାରିଥିଲେ। ମାମଲାର ଶୁଣାଣି ପାଇଁ କୋର୍ଟ ଯାଉଥିବାବେଳେ ୫ ଅଭିଯୁକ୍ତମାନେ ତାଙ୍କୁ ଘେରି ଯାଇ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ପୀଡ଼ିତା ଜଣକ ତାଙ୍କ ବୟାନରେ କହିଥିଲେ।