ଓଡିଆନ୍ ନ୍ୟୁଜ

140

ପୃଥିବୀକୁ ଧକ୍କା ଦେଇପାରେ ଚୀନ୍‌ ‘ସ୍ପେସ୍‌ ଲ୍ୟାବ୍‌’ର ଭଗ୍ନାବଶେଷ!

Team Odian News |

ପୃଥିବୀକୁ ଧକ୍କା ଦେଇପାରେ ଚୀନ୍‌ ‘ସ୍ପେସ୍‌ ଲ୍ୟାବ୍‌’ର ଭଗ୍ନାବଶେଷ!
ନୂଆଦିଲ୍ଲୀ,୧୬/୧୦( ଓଡ଼ିଆନ୍‍ ନ୍ୟୁଜ୍‍) : ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ଚୀନ୍‌ ନିର୍ମାଣ କରିଥିବା ମହାକାଶ ଷ୍ଟେସନ୍‌ ‘ଟିଆନ୍‌ଗଙ୍ଗ’ ନିୟନ୍ତ୍ରଣ ହରାଇଛି । ଫଳରେ ଏହା କିଛି ମାସ ମଧ୍ୟରେ ପୃଥିବୀପୃଷ୍ଠରେ ଖସିପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ଗତ ବର୍ଷ ସେପ୍ଟେମ୍ବରରେ ଚୀନ୍‌ର ମହାକାଶ ଗବେଷଣା ସଂସ୍ଥା ସିଏନ୍‌ଏସ୍‌ଏରେ କାର୍ୟ୍ୟରତ ବୈଜ୍ଞାନିକମାନେ ଏହା ସ୍ୱୀକାର କରିଥିଲେ । ଏପରିକି ଏହା ଖସିପଡ଼ି ପୃଥିବୀରେ ମାଡ଼ହେବାର ଆଶଙ୍କା ଥିବା ସେମାନେ ସୂଚାଇଥିଲେ । ଚୀନ୍‌ ବୈଜ୍ଞାନିକଙ୍କଠାରୁ ଏଭଳି ସୂଚନା ପାଇବା ପରେ ବିଶ୍ୱ ତମାମ ମହାକାଶ ବିଜ୍ଞାନୀମାନେ ଏହି ମହାକାଶ ଷ୍ଟେସନ୍‌ର ଗତିବିଧି ଉପରେ ନଜର ରଖି ଆସୁଛନ୍ତି । ଏହି ମହାକାଶ ଷ୍ଟେସନରୁ ସଠିକ୍‌ ସଙ୍କେତ ମିଳିପାରୁ ନ ଥିବା ଏବଂ ଏହା ଅଦ୍ଭୁତ ପ୍ରତିକ୍ରିୟା ଦେଖାଉଥିବା ଏବେ ଜଣାପଡ଼ିଛି । ଏପରିକି ଏହି ମହାକାଶ ଷ୍ଟେସନ୍‌ ପୃଥିବୀପୃଷ୍ଠରେ ସ୍ଥଳଭାଗରେ ଖସିପଡ଼ିଲେ ଅତିକମ୍‌ରେ ୧୦୦ କିଲୋଗ୍ରାମର ଭଗ୍ନାବଶେଷ ମାଡ଼ହେବାର ଆଶଙ୍କା ରହିଛି । ଏହା ବିଶ୍ୱର ତମାମ୍‌ ମହାକାଶ ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି । ଚୀନ୍‌ ୨୦୧୧ ମସିହାରେ ଏହାର ମହାକାଶ ଷ୍ଟେସନ୍‌ (ସ୍ପେସ୍‌ ଲ୍ୟାବ୍‌) ‘ଟିଆନ୍‌ଗଙ୍ଗ-୧’ ନିର୍ଦ୍ଧାରିତ କକ୍ଷରେ ସ୍ଥାପନ କରାଇବାରେ ସକ୍ଷମ ହୋଇଥିଲା । ସେବେଠାରୁ ଚୀନ୍‌ର ମହାକାଶ ଗବେଷଣା କେନ୍ଦ୍ର ସହ ଏହି କେନ୍ଦ୍ରର ଯୋଗସୂତ୍ର ରହିଥିଲା । ଏହି ଷ୍ଟେସନ୍‌କୁ ଚୀନ୍‌ ସ୍ୱର୍ଗୀୟ ପ୍ରାସାଦ (ହେଭେନ୍‌ଲି ପ୍ୟାଲେସ୍‌) ଭାବେ ନାମିତ କରିଥିଲା । ଏସୀୟ କ୍ଷେତ୍ର ଓ ବିଶ୍ୱସ୍ତରରେ ମହାଶକ୍ତି ଭାବେ ନିଜର ରାଜନୈତିକ ପତିଆରା ବୃଦ୍ଧି ଲକ୍ଷ୍ୟରେ ଚୀନ ଏହି ମହଦାକାଂକ୍ଷୀ ମହାକାଶ ଷ୍ଟେସନ କାର୍ୟ୍ୟକ୍ଷମ କରାଇଥିଲା । ମାତ୍ର ଏହି କେନ୍ଦ୍ର ୭ ବର୍ଷ ନ ପୂରୁଣୁ ନିୟନ୍ତ୍ରଣ ବାହାରକୁ ଚାଲିଯାଇ କ୍ରମଶଃ ପୃଥିବୀ ଆଡ଼କୁ ଅଗ୍ରସର ହେଉଛି । ଏପରିକି ଆଗାମୀ କିଛି ମାସ ମଧ୍ୟରେ ପୃଥିବୀ ପୃଷ୍ଠରେ ଖସି ପଡ଼ିବ ବୋଲି ହାଭାର୍ଡ଼ ଆଷ୍ଟ୍ରୋଫିଜିକିଷ୍ଟ ଜୋନାଥନ୍‌ ମାକ୍‌ଡ୍ୱେଲ୍‌ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହା ଖସିପଡ଼ିଲେ କ’ଣ ବିପତ୍ତି ରହିଛି ସେ ସମ୍ପର୍କରେ ବୈଜ୍ଞାନିକମାନେ ଆକଳନ କରିବା ଆରମ୍ଭ କରିଛନ୍ତି । ପ୍ରଥମତଃ ସମୁଦ୍ର ମଧ୍ୟରେ ଖସିପଡ଼ିଲେ ବିପତ୍ତିର ଆଦୌ ଆଶଙ୍କା ନାହିଁ । ଦ୍ୱିତୀୟରେ ଏହା ବାୟୁମଣ୍ଡଳରେ ପ୍ରବେଶ କରିବାମାତ୍ରେ ଖଣ୍ଡବିଖଣ୍ଡିତ ହୋଇ ଚାରିଆଡ଼େ ବିଛୁରିତ ହୋଇପାରେ; ଫଳରେ କେତେକାଂଶ ଜନବସତିରେ ପଡ଼ିବା ଆଶଙ୍କା ଅଧିକ । ତେବେ ପୃଥିବୀର କେଉଁଠାରେ ପଡ଼ିବ ତାହା ଆକଳନ କରିବା ଏବେଠାରୁ ସମ୍ଭବ ନୁହେଁ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ପାଗରେ ସାମାନ୍ୟ ପରିବର୍ତ୍ତନରେ ଖଣ୍ଡବିଖଣ୍ଡିତ ଅଂଶ ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶ ଆଡ଼କୁ ଚାଲିଯାଇପାରେ ବୋଲି ମଧ୍ୟ ଆକଳନ କରାଯାଉଛି । ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଅଧିକାଂଶ ଭଗ୍ନାବଶେଷ ପାଉଁଶ ହୋଇ ଯାଇପାରେ; ତଥାପି ୧୦୦ କିଲୋଗ୍ରାମ ଭଳି ଅଂଶ ପୃଥିବୀରେ ପଡ଼ିବା ଅସମ୍ଭବ ନୁହେଁ । ଅତୀତରେ ମହାକାଶରୁ ପତିତ ବସ୍ତୁ ଜନବସତିରେ ବିପତ୍ତି ଆଣିବାର ନଜିର୍‌ ରହିଛି । ଏପରିକି କିଛି ଲୋକ ଏଥିଯୋଗୁଁ ଆହତ ମଧ୍ୟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ହରାଇଥିବା ଚୀନ୍‌ର ‘ସ୍ପେସ୍‌ ଲ୍ୟାବ୍‌’ ଉପରେ ସମସ୍ତଙ୍କ ନଜର ରହିଛି ।