ଓଡିଆନ୍ ନ୍ୟୁଜ

11

ଜଙ୍ଗଲୀ ରାସ୍ତାରେ ବାପ-ପୁଅଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

Team Odian News |

ଧର୍ମଗଡ଼: ବୋରଗୁଡ଼ାର କ୍ଷିତି ନାଏକ ଓ ତାଙ୍କ ପୁଅ ବଳଭଦ୍ର ନାଏକ କପା ବିକ୍ରି ଟଙ୍କା ନେଇ ଏକ ବାଇକ୍‌ରେ ଗାଁକୁ ଫେରୁଥିଲେ। ଏହି ସମୟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଦୁଇଟି ବାଇକ୍‌ରେ ପିଛା କରିଥିଲେ। ପରେ ଜଙ୍ଗଲୀ ରାସ୍ତା ଦେଖି ସେମାନଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରି ସଫଳ ନ ହେବାରୁ ଲୁହା ରଡ ଓ ଭୁଜାଲିରେ ଆକ୍ରମଣ କରିଥିଲେ। ଫଳରେ କ୍ଷିତି ଓ ତାଙ୍କ ପୁଅ ତଳେ ପଡ଼ି ଯିବାରୁ ଦୁର୍ବୃତ୍ତମାନେ ସେମାନଙ୍କ ନିକଟରୁ ୬ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। କିଛି ସମୟ ପରେ ଉକ୍ତ ବାଟ ଦେଇ ଯାଉଥିବା କିଛି ଲୋକ ଉଭୟଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜୁନାଗଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ବଳଭଦ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯିବା ବେଳେ ବାଟରେ ତାଙ୍କ ମୃତ୍ୟୁ ହୋଇଥିଲା ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଜୁନାଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।