ଓଡିଆନ୍ ନ୍ୟୁଜ

133

ଆଜିଠାରୁ ଦେଶରେ ଲାଗୁ ନାଗରିକତା ସଂଶୋଧନ ଆଇନ (ସିଏଏ) ୨୦୧୯

Team Odian News |

ନୂଆଦିଲ୍ଲୀ: ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ ବା CAA । ଏନେଇ ଗତକାଲି କେନ୍ଦ୍ର ସରକାର ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରିଛନ୍ତି । ସିଏଏ ଦ୍ବାରା ଜଣେ ହେଲେ ବି ଭାରତୀୟଙ୍କର ନାଗରିକତା କ୍ଷୁର୍ଣ୍ଣ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଆଜି ଏ ବାବଦ ବିଜ୍ଞପ୍ତି ଜାରି ହେବା ସହିତ ୧୦ ଜାନୁଆରି ୨୦୨୦ରୁ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଛି।ଦେଶର ବିଭିନ୍ନ ଅଂଚଳରେ ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଅନେକ ସ୍ଥାନରେ ହିଂସା ଯୋଗୁଁ ଜଟିଳ ସମସ୍ୟା ଉପୁଜିଛି । ଏହାକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ମଧ୍ୟ ଏକାଧିକ ମାମଲା ରୁଜୁ ହୋଇଛି । ତେବେ ନାଗରିକତା ସଂଶୋଧନ ଆଇନ ଦେଶ ହିତରେ ଏକ ବଡ଼ ପଦକ୍ଷେପ ଦର୍ଶାଇ ଏହାକୁ ଲାଗୁ କରିଛନ୍ତି କେନ୍ଦ୍ର ସରକାର।ନାଗରିକତା ଅଧିନିୟମ, ୧୯୫୫ରେ ପରିବର୍ତ୍ତନ ଆଣି କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲ୍‌ ସଂସଦରେ ଉପସ୍ଥାପନ କରିଥିଲେ। ଏହି ବିଲ୍‌ ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ମଂଜୁରି ସହିତ ଆଇନରେ ପରିଣତ ହୋଇଥିଲା। ଏବେ ସରକାର ବିଜ୍ଞପ୍ତି ଜାରି କରି ଏହି ଆଇନକୁ ସମଗ୍ର ଦେଶରେ ଲାଗୁ କରିଛନ୍ତି। ଏହା ଫଳରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସୁଥିବା ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍‌, ଖ୍ରିଷ୍ଟୀୟାନ ଏବଂ ପାର୍ସୀ ଶରଣାର୍ଥୀ ଭାରତର ନାଗରିକତା ସହଜରେ ପାଇପାରିବେ। ଏ ପର୍ଯ୍ୟନ୍ତ ସେମାନଙ୍କୁ ବେଆଇନ ଶରଣାର୍ଥୀ ଭାବେ ଗ୍ରହଣ କରାଯାଉଥିଲା। ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ଏହି ସଂପ୍ରଦାୟର ଶରଣାର୍ଥୀଙ୍କୁ ଏବେ ଭାରତର ନାଗରିକତା ମିଳିବାରେ କୌଣସି ବିଶେଷ ପ୍ରତିବନ୍ଧକ ରହିବନାହିଁ। ତେବେ ଆସାମ ସମେତ ଉତ୍ତର ପୂର୍ବାଞ୍ଚଳର କେତେକ ଅଂଚଳରେ ବିଶେଷ କାରଣ ଯୋଗୁଁ ଏହି ଆଇନ ଲାଗୁ ହେବନାହିଁ। କେନ୍ଦ୍ର ସରକାର ଏଥିପାଇଁ କେତେକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସିଏଏ ଦ୍ବାରା କୌଣସି ଜଣେ ବି ଭାରତୀୟଙ୍କର ନାଗରିକତା ପ୍ରଭାବିତ ହେବନାହିଁ ଏବଂ ଏ ନେଇ ସମସ୍ତେ ଆଶ୍ବସ୍ତ ରହିବା ଉଚିତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।