ଓଡିଆନ୍ ନ୍ୟୁଜ

133

ରାଜଧାନୀରେ ପାଇପରେ ରନ୍ଧନ ଗ୍ୟାସ, ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Team Odian News |

ରାଜଧାନୀରେ ପାଇପରେ ରନ୍ଧନ ଗ୍ୟାସ, ଶୁଭାରମ୍ଭ କରିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ 
ଭୁବନେଶ୍ୱର,୧୯/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ରାଜଧାନୀବାସୀଙ୍କୁ ମିଳିବ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ । ପାଇଲଟ୍‌ ଭିତ୍ତିରେ ଓଡ଼ିଶାରେ ଆରମ୍ଭ ହେଉଥିବା ଏହି ପ୍ରାକୃତିକ ବାଷ୍ପ ଯୋଗାଣ ପ୍ରକଳ୍ପ ଅଧୀନରେ ଗୁରୁବାର ଗେଲ୍ ଇଣ୍ଡିଆ ଲିମିଟେଡ୍‌ ପ୍ରଥମ ପର୍ୟ୍ୟାୟରେ ରାଜଧାନୀର ନାଲକୋ ନଗର ବାସିନ୍ଦାଙ୍କୁ ରନ୍ଧନ ଗ୍ୟାସ୍‌ ବିତରଣ ଆରମ୍ଭ କରିବାକୁ ଯାଉଛି । କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏହି ପ୍ରାକୃତିକ ଗ୍ୟାସ (ପିଏନଜି) ବିତରଣ ବ୍ୟବସ୍ଥାର ଶୁଭାରମ୍ଭ କରିବେ । ଚଳିତବର୍ଷ ମାର୍ଚ୍ଚରେ ସହର ସିଟି ଗ୍ୟାସ୍‌ ଡିଷ୍ଟ୍ରିବ୍ୟୁସନ(ସିଜିଡି) ପ୍ରକଳ୍ପ ନିର୍ମାଣ କାର୍ୟ୍ୟର ଶୁଭାରମ୍ଭ ସମୟରେ ପାଇଲଭିତ୍ତିରେ ୨୦୧୮ ମାର୍ଚ୍ଚ ସୁଦ୍ଧା ଭୁବନେଶ୍ୱର ନାଲକୋ ନଗରରୁ ପିଏନଜି ବିତରଣ ଆରମ୍ଭ କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଏହି ଅନୁକ୍ରମରେ ଗେଲ୍ ଇଣ୍ଡିଆ ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ସ୍ଥାନୀୟ ନାଲକୋ ନଗରର ୨୫୫ ଟି ଘରକୁ ପିଏନଜି ବିତରଣର ଆରମ୍ଭ କରାଯିବ । ଗେଲ୍ ଯୁଦ୍ଧକାଳୀନଭିତ୍ତିରେ ଏହି ପ୍ରକଳ୍ପକୁ ଆରମ୍ଭ କରି ଧାର୍ୟ୍ୟ ସମୟସୀମାର ପ୍ରାୟ ୬ମାସ ପୂର୍ବରୁ ପ୍ରାକୃତିକ ଗ୍ୟାସ ବିତରଣ ଆରମ୍ଭ କରିବାକୁ ଯାଉଥିବା ଗୁରୁବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗେଲର ନିର୍ଦେଶକ (ପ୍ରକଳ୍ପ) ଡ. ଆଶୁତୋଷ କର୍ଣ୍ଣାଟକ କହିଛନ୍ତି । ଆସନ୍ତାବର୍ଷ ମାର୍ଚ୍ଚରୁ କଟକ ସହରରେ ପାଇପ୍‌ଯୋଗେ ପ୍ରାକୃତିକ ଗ୍ୟାସ୍‌ ବିତରଣ ବ୍ୟବସ୍ଥା ଆରମ୍ଭ କରାଯିବ । ତେବେ ୨୦୧୯ ଡିସେମ୍ବର ସୁଦ୍ଧା ଉଭୟ ଭୁବନେଶ୍ୱର ଏବଂ କଟକ ସହରରେ ପ୍ରାକୃତିକ ଗ୍ୟାସ୍‌ ବିତରଣ ବ୍ୟବସ୍ଥା ସମ୍ଫୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତିି । ଆଗାମୀ ୫ବର୍ଷ ମଧ୍ୟରେ କମ୍ପାନୀ ଏହାର ପ୍ରାକୃତିକ ଗ୍ୟାସ୍‌ ପାଇପ୍‌ଲାଇନ୍‌ ନେଟୱର୍କକୁ ବର୍ତ୍ତମାନର ୧୧,୦୦୦ କି.ମିରୁ ୧୮,୦୦୦ କି.ମି. ପର୍ୟ୍ୟନ୍ତ ସମ୍ପ୍ରସାରିତ କରିବ । ଏ କ୍ଷେତ୍ରରେ ଗେଲ୍‌ ୧୨,୯୪୦ କୋଟି ଟଙ୍କା ନିବେଶ କରିବ । ପୂର୍ବର ଏଲ୍‌ପିଜି ବ୍ୟବହାର ତୁଳନାରେ ବର୍ତ୍ତମାନ ପ୍ରାକୃତିକ ଗ୍ୟାସ ବ୍ୟବହାର ଖର୍ଚ୍ଚ ୩୦%-୪୦% କମ୍‌ ହେବ । ଯାନବାହନକୁ ଇନ୍ଧନ ଯୋଗାଣ ନିମନ୍ତେ ଦ୍ୱୈତ୍ୟ ନଗରୀରେ ୨୫ଟି କମ୍ପ୍ରେଡ୍‌ ପ୍ରାକୃତିକ ଗ୍ୟାସ୍‌ (ସିଏନଜି) ଷ୍ଟେସନ୍ ନିର୍ମାଣ ଯୋଜନା କରାଯିବ । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ପଟିଆ, ଖଣ୍ଡଗିରି ଏବଂ ତମାଣ୍ଡୋଠାରେ ସିଏନ୍ଜି ଷ୍ଟେସନ ନିର୍ମାଣ କାର୍ୟ୍ୟ ଆରମ୍ଭ କରାଯାଇଛି । ଖୁବ ଶୀଘ୍ର ଏଠାରୁ ପ୍ରାକୃତିକ ଗ୍ୟାସ ବିତରଣ ଆରମ୍ଭ କରାଯିବ ବୋଲି ଡ. କର୍ଣ୍ଣାଟକ କହିଛନ୍ତି । ‘ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ଏବଂ କଟକରେ ସିଟି ଗ୍ୟାସ୍ ବିତରଣ (ସିଜିଡି) ପରିଯୋଜନା ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପ୍‌ଲାଇନ (ଜେଏଚ୍ବିଡିପିଏଲ୍) ଯୋଜନା ସହ ସମାନ୍ତରାଳ ଭାବେ କାର୍ୟ୍ୟକାରୀ କରାଯାଉଛି । ଗେଲ୍‌ ରାଜ୍ୟରେ ୪,୦୦୦ କୋଟି ଟଙ୍କା ବ୍ୟୟରେ ୭୬୯ କି.ମି.ର ପାଇପଲାଇନ୍ ବିଛାଇବା ଯୋଜନା କରିଛି । ଏହା ଜରିଆରେ ରାଜ୍ୟର ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ କେନ୍ଦ୍ରାପଡା ଆଦି ୧୩ଟି ଜିଲାରେ ପ୍ରାକୃତିକ ଗ୍ୟାସ ପାଇପଲାଇନ୍ ବିଛାଯିବ । ଏହି ପାଇପଲାଇନ୍ ଖୋର୍ଦ୍ଧା, ଝାରସୁଗୁଡା, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, କଟକ, ଅନୁଗୋଳ, ଢେଙ୍କାନାଳ, କଳିଙ୍ଗନଗର, ଯାଜପୁର ଏବଂ ପାରାଦୀପ ଭଳି ଶିଳ୍ପ ସହରଗୁଡିକୁ ସଂଯୋଗ କରିବ । ବାଣିଜ୍ୟିକ ଭାବେ ପ୍ରାକୃତିକ ଗ୍ୟାସ ପ୍ରମୁଖ ହୋଟେଲ୍ ଏବଂ ହସ୍ପିଟାଲ୍ ଆଦିକୁ ଯୋଗାଣ କରିବାକୁ ମଧ୍ୟ ଯୋଜନା କରାଯାଉଥିବା ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗେଲ୍‌ର କେ.ବି. ସିଂ,ଏସ୍‌.କେ. ପାଠକ୍‌,ଏମ୍‌.ପି. ମାହାତୋ ଏବଂ ଅନୂପ୍‌ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ ।