ଓଡିଆନ୍ ନ୍ୟୁଜ

133

ପ୍ରବଳ ବର୍ଷା ,ଦୀପାବଳି ଫିକା ପଡ଼ିଯାଇଛି

Team Odian News |

ପ୍ରବଳ ବର୍ଷା ,ଦୀପାବଳି ଫିକା ପଡ଼ିଯାଇଛି 
ଭୁବନେଶ୍ୱର,୧୯/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଆଲୋକର ପର୍ବ ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ହେଲେ ଲଘୁଚାପ ପାଇଁ ଦୀପାବଳି ଫିକା ପଡ଼ିଯାଇଛି  । ପାର୍ବଣ ପୂର୍ବରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଘୁଚାପ ବର୍ଷା ଆରମ୍ଭ ହୋଇଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ଦୋକାନ ଖୋଲିଥିବା ବ୍ୟବସାୟୀ ଏବେ ହାତ ବାନ୍ଧି ବସିଛନ୍ତି । ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରି ଦିଆଯାଇଛି । କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଶକ୍ତିଶାଳୀ ହେବା ସହିତ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅବପାତରେ ପରିଣତ ହେବା ପରେ ଲଘୁଚାପ ଉତ୍ତର-ଉତ୍ତର ପଶ୍ଚିମରେ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ଲଘୁଚାପ ସହିତ ପୂର୍ବ ବିହାରରୁ ଉତ୍ତର ଓଡ଼ିଶା ପର୍ୟ୍ୟନ୍ତ ଏକ ଟ୍ରଫଲାଇନ ରହିଛି । ଲଘୁଚାପ, ଘୂର୍ଣ୍ଣିବଳୟ ଓ ଟ୍ରଫଲାଇନ ପ୍ରଭାବରେ ବୁଧବାର ପୂର୍ବାହ୍ନରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି । ଆସନ୍ତା ୪୮ଘଣ୍ଟା ପର୍ୟ୍ୟନ୍ତ ବର୍ଷା ପ୍ରଭାବ ଲାଗିରହିବା ସହିତ ସାରା ରାଜ୍ୟରେ ବର୍ଷା ହେବ । କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଅଞ୍ଚଳରେ ବର୍ଷା ପରିମାଣ ଅଧିକ ରହିବ । ବର୍ଷା ସହିତ ଉପକୂଳ ଅଞ୍ଚଳରେ ୬୦ରୁ ୬୫କିମି ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ବର୍ଷା ସହିତ ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତର ସମ୍ଭାବନା ଥିବାରୁ ଏଥିପାଇଁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।