ଓଡିଆନ୍ ନ୍ୟୁଜ

140

ଖାଦ୍ୟର ସଦୁପଯୋଗରେ ଅନ୍ନପୂର୍ଣ୍ଣା, ଭୁବନେଶ୍ୱରରେ ସ୍ଥାପନ ହେଲା ସାମୁହିକ ଫ୍ରିଜ ।

Team Odian News |

ଖାଦ୍ୟର ସଦୁପଯୋଗରେ ଅନ୍ନପୂର୍ଣ୍ଣା, ଭୁବନେଶ୍ୱରରେ ସ୍ଥାପନ ହେଲା ସାମୁହିକ ଫ୍ରିଜ  । 
ଭୁବନେଶ୍ୱର,୨୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଅନେକ ସମୟରେ ଘରମାନଙ୍କରେ ପର୍ବପର୍ବାଣି ବା ବିବାହ ବର୍ତ ସମୟରେ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି ହୋଇଥିବା ବେଳେ ସେଥିମଧ୍ୟରୁ ଅନେକ ଖାଦ୍ୟ ବଳିପଡ଼ିବା କାରଣରୁ ଫୋପଡ଼ା ହୋଇଥାଏ ।  ଏପରିକି ଆମ ଦୈନଦିନ ଜୀବନରେ ମଧ୍ୟ ଅନେକ ଖାଦ୍ୟପଦାର୍ଥ ବଳକା କାରଣରୁ ଫୋପଡ଼ା ହୋଇଥାଏ  । ହେଲେ ମୁଠାଏ  ଖାଦ୍ୟ ନପାଇ ଅନେକ ଲୋକ ଦିନଦିନ ଉପାସ ଭୋକରେ ଦିନବିତାନ୍ତି । ହେଲେ ଏବେ ଭୁବନେଶ୍ୱର ସହରରେ ବଳକା ଖାଦ୍ୟ ନଷ୍ଟ ହେବନି କି ଗରିବ ଲୋକ ଭୋକରେ ଶୋଇବନି  । ଏହିଭଳି ଏକ ଅଭିନବ ପ୍ରାୟସ କରିଛନ୍ତି ଭୁବନେଶ୍ୱର ନାଇଟିସ୍ ରାଉଣ୍ଡ ଟେବୁଲ(ବିକେଆରଟି), ଭୁବନେଶ୍ୱର  କୁଇନ୍ ଲେଡ଼ିଜ ସର୍କଲ(ବିକ୍ୟୁଏଲସି) ଓ ମାଇକେଲ କିଚେନ । ଏହି ସଂସ୍ଥାମାନଙ୍କ ପ୍ରୟାସରେ “ଅନ୍ନପୂର୍ଣ୍ଣା” ନାମରେ ଏକ ସାମୁହିକ ଫ୍ରିଜ ରଖାଯାଇ ଭୋକିଲା ଲୋକଙ୍କୁ  ଆହାର ଯୋଗାଉଛନ୍ତି । 
ଭୋକିଲାଙ୍କ ପାଇଁ ମାଗଣା ଆହାର
ଚଳିତମାସ ୧୫ତାରିଖ ଦିନ ଭୁବନେଶ୍ୱର ନାଇଟିସ୍ ରାଉଣ୍ଡ ଟେବୁଲ(ବିକେଆରଟି), ଭୁବନେଶ୍ୱର  କୁଇନ୍ ଲେଡ଼ିଜ ସରକଲ(ବିକ୍ୟୁଏଲସି) ଓ ମାଇକେଲସ୍ କିଚେନର ମିଳିତ ସହଯୋଗରେ ସୈନିକ ସ୍କୁଲ ନିକଟରେ “ଅନ୍ନପୂର୍ଣ୍ଣା” ନାମରେ ଏହି କମ୍ୟୁନିଟି ଫ୍ରିଜର ଉଦଘାଟନ ହୋଇଯାଇଛି । ଉଦଘାଟନ ଉତ୍ସବରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ସଂସ୍ଥାଗୁଡ଼ିକର ସଦସ୍ୟ ଓ ଅତିଥିମାନେ ଉପସ୍ଥିତ ଥିଲେ । ଏହି ଫ୍ରିଜରୁ ଯେକୌଣସି ଗରିବ ବା ଭୋକିଲା ବ୍ୟକ୍ତି ବିନାମୂଲ୍ୟରେ ଖାଦ୍ୟ ନେଇ ଖାଇ ପାରିବ । ଏହାସହ ଯେ କେହିବି ଏଠାରେ ପଳିପଡ଼ୁଥିବା ଖାଦ୍ୟକୁ  ପ୍ୟାକ କରି ରଖି ପାରିବ । ଯାହାକି ଜଣକର ଖାଦ୍ୟପୋଯୋଗୀ ହୋଇଥିବା  ସହ ନଷ୍ଟ ହୋଇ ନଥିବ । ଏଠାରେ ବିଭିନ୍ନ ରେସ୍ତୋରାଁ,ହୋଟେଲ ଓ ଘରୋଇ ଲୋକଙ୍କଠାରୁ ବଳିପଡ଼ୁଥିବା ଖାଦ୍ୟକୁ ସଂଗ୍ରହକରାଯାଇ ରଖାଯାଇଥାଏ । ଏହା ଭୋକିଲା ଲୋକମାନଙ୍କ ମୁହଁରେ ଆହାର ଯୋଗାଇବା ପାଇଁ ଏକ ଭଲ ଓ ବଡ଼ ପଦକ୍ଷେପ ବୋଲି କହିଲେ ଭୁଲ ହେବନାହିଁ । ଖାଦ୍ୟ ଅପଚୟ ଆମ ସମାଜର ଏକ ବ୍ୟାଧି ପାଲଟି ଯାଇଥିବା ବେଳେ ଏହି ସାମୁହିକ ଫ୍ରିଜ କଥା ପ୍ରଥମେ ୨୦୧୬ ମସିହାରେ କେରଳର କୋଚିରେ ଥିବା ଜଣେ ରେସ୍ତୋରାଁ ମାଲିକ ବାହାର କରିଥିଲେ । ସେ ଦୁଇଟି ସାମୁହିକ ଫ୍ରିଜ ସ୍ଥାପନ କରିଥିଲେ ଯାହାର ନାମ “ନାନାମାରମ” ଓ “ଟ୍ରି ଅଫ ଗୁଡ଼ନେସ୍” ଦେଇଥିଲେ । ଏହି ଘଟଣା ପରେପରେ ସାମୁହିକ ଫ୍ରିଜର ଧାରଣା  ବିଭିନ୍ନ ବଡ଼ବଡ଼ ସହରରେ ସ୍ଥାନ ପାଇଥିଲା ।
ତାରିଖ ସହ ପ୍ୟାକେଟରେ ରହୁଛି ଖାଦ୍ୟ
ଏନେଇ ବିକ୍ୟୁଏଲସର ସଭାପତି ଅନୁରାଧା ଅଗ୍ରୱାଲ କହନ୍ତି, “ନିୟମିତ ପ୍ରତେକ ଘରେ କିଛିନା କିଛି ଖାଦ୍ୟ ବଳିପଡ଼ିଥାଏ , ଏହାସହ ଆମେ କାହାକୁ ଭୋକିଲା ଶୋଇବାକୁ ଦେବାକୁ ଚାହୁଁ ନଥିଲୁ ।  ଯେଉଁଥି ପାଇଁକି ଏହି ସାମୁହିକ ଫ୍ରିଜର ସ୍ଥାପନ କଲୁ । ଏହି ଧାରଣା ଆମ ମନରେ ସେତେବେଳେ ଆସିଥିଲା ଯେତେବେଳେ ଆମ ପାଖ ପଡ଼ୋସୀଙ୍କୁ ବଳକା ବା ଅଧିକା ଖାଇବା ଫୋପାଡ଼ିବାର ଦେଖିଥିଲୁ । ଏହି ସାମୁହିକ ଫ୍ରିଜ ଦ୍ୱାରା ସେମାନେ ସେହି ଖାଦ୍ୟକୁ ଆବଶ୍ୟକ କରୁଥିବା ଲୋକ ପାଇଁ  ଏଠାରେ ସହଜରେ ପ୍ୟାକ କରି ରଖିପାରିବେ । ଏହାସହ ଆମେ ମଧ୍ୟ ସେମାନଙ୍କଠାରୁ  ସହଜରେ ବଳକା ଖାଦ୍ୟ ସଂଗ୍ରହ କରିପାରିବୁ ଭାବିଥିଲୁ । ଏଠାରେ ରଖାଯାଉଥିବା ଖାଦ୍ୟ ପ୍ୟାକିଙ୍ଗ ହେବା ସହ ସେଥିରେ ଖାଦ୍ୟ ବ୍ୟବହାର ଓ ତିଆରିର ସମୟ ସୀମା ଲେଖା ରହୁଛି । ଏହାସହ ଆମିଷ ଓ ନିରାମିଷ ଖାଦ୍ୟ ଅଲଗା ଅଲଗା ପ୍ୟାକେଟ କରାଯାଇ ରଖାଯାଉଛି ।
ଖାଦ୍ୟର ମାନ ପରୀକ୍ଷା ସହ ଦିଆଯାଏ
ଏହାସହ ଖାଦ୍ୟ ଦାନକରୁଥିବା ଲୋକଙ୍କ ସମସ୍ତ ତଥ୍ୟ ସଭ୍ୟମାନଙ୍କ ଦ୍ୱାରା ଲିଖିତ ଭାବେ ମଧ୍ୟ ରଖାଯାଉଛି । ଏ ନେଇ ବିକେଆରଟିର ସଭାପତି ଗୌରବ ଚାୱାଲା କହନ୍ତି ଆମେ ସମସ୍ତଙ୍କ ତଥ୍ୟ ରଖିଥାଉ କାରଣ  ଖାଦ୍ୟ ଅଭାବ ବା କମ୍ ପଡ଼ିଗଲେ  ଆମେ ସେମାନଙ୍କୁ ଖାଦ୍ୟ ଦେବା ପାଇଁ ଅନୁରୋଧ କରିପାରିବୁ । ସେହିଭଳି ମାଇକେଲସ୍ କିଚେନର ମାଲିକ ସେଫ ମାଇକେଲ କହନ୍ତି , “ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ ଲୋକମାନେ ଅର୍ଡ଼ର କରୁଥିବା ଖାଦ୍ୟରୁ ଅଧିକାଂଶ ବଳିପଡ଼େ ଯାହାକି କେବଳ ଫୋପଡ଼ା ହେଉଥିଲା । ହେଲେ ଏବେ ଆମ ରେସ୍ତୋରାଁକୁ ଆସୁଥିବା ଲୋକମାନଙ୍କୁ ବଳକା ଖାଦ୍ୟ ଦାନ ପାଇଁ ପ୍ରବତ୍ତାଉଛୁ, ଏହି ଧାରଣାଟି କି ମଧ୍ୟ ଆମରେସ୍ତୋରାଁକୁ ଆସୁଥିବା ଗ୍ରହକମାନଙ୍କୁ ବେଶ ଖୁସି ଦେଇଛି । ସେମାନଙ୍କର ବଳିପଡ଼ୁଥିବା ଖାଦ୍ୟକୁ ମଧ୍ୟ ସେମାନେ ପ୍ୟାକକରି ସେହି ସାମୁହିକ ଫ୍ରିଜ୍‍  ରେ ରଖୁଛନ୍ତି । ଏହାସହ ସେ କହନ୍ତି ଯେ ଖାଦ୍ୟ ଥୁଆ ହେବା ପୂର୍ବରୁ ବା କାହାକୁ ଦେବା ପୂର୍ବରୁ ତାର ମାନ ପରୀକ୍ଷା କରାଯାଇଥାଏ । ଏହାସହ ସ୍ୱେଚ୍ଛାସେବୀ ମାନଙ୍କୁ ମଧ୍ୟ ଫ୍ରିଜରେ ରହିଥିବା ଖାଦ୍ୟର ମାନ ପରୀକ୍ଷା ପାଇଁ କୁହାଯାଇଛି । ଖାଦ୍ୟଗୁଡ଼ିକ ଭିନ୍ନଭିନ୍ନ ସ୍ଥାନରୁ ସଂଗ୍ରହ କରାଯାଉଥିବା ବେଳେ ସକାଳ ୯ଟାରୁ ରାତି୧୧ ପର୍ଯ୍ୟନ୍ତ ଏଥିରେ ଯେ କେହିବି ଖାଦ୍ୟ ରଖିପାରିବ ଓ ନେଇ ଖାଇ ପାରିବାର ସୁବିଧା ରହିଥିବାର ସେ କହନ୍ତି ।