ଓଡିଆନ୍ ନ୍ୟୁଜ

100

୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟବଲ:କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଆଜିଠାରୁ

Team Odian News |

୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟବଲ:କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌ ଆଜିଠାରୁ
ଗୁଆହାଟୀ, ୨୧/ ୧୦(ଓଡ଼ିଆନ୍‍ ନ୍ୟୁଜ୍‍): ଭାରତରେ ପ୍ରଥମଥର ପାଇଁ ଖେଳାଯାଉଥିବା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଫୁଟବଲ ପ୍ରତିଯୋଗିତା କ୍ୱାର୍ଟର ଫାଇନାଲ ପର୍ୟ୍ୟାୟ ମ୍ୟାଚ୍‌ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି । ଶନିବାର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଘାନାର ମୁକାବିଲା ମାଲି ସହ ହେବ । ଉଭୟ ଦେଶ ବେଶ୍‌ ଶକ୍ତିଶାଳୀ ହୋଇଥିବାରୁ ଏହି ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ଘାନା ଦଳର ରକ୍ଷଣଭାଗ ବେଶ୍‌ ମଜବୁତ୍‌ ହୋଇଥିବାରୁ ଏହାକୁ ଭେଦ କରି ଗୋଲ୍‌ କରିବା ମାଲି ଦଳ ପାଇଁ ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ହେବ ବୋଲି ଆଲୋଚନା ହେଉଛି । ପୂର୍ବରୁ ଦୁଇଥର ଏହି ପ୍ରତିଯୋଗିତାରେ ଚମ୍ପିଆନ୍‌ ହୋଇଥିବା ଘାନା ଚଳିତଥର ମାଲିକୁ ହରାଇ ସେମିରେ ପ୍ରବେଶ କରିବାକୁ ନିଶ୍ଚିତ ଭାବେ ଉଦ୍ୟମ କରିବ । ସେହିପରି ୧୭ ବର୍ଷରୁ କମ୍‌ ଆଫ୍ରିକା କପ୍‌ ଫୁଟବଲ ପ୍ରତିଯୋଗିତାରେ ଘାନାକୁ ମାଲି ୧-୦ରେ ଗୋଲ୍‌ରେ ପରାସ୍ତ କରିଥିବାରୁ ବିଶ୍ୱକପ୍‌ରେ ଏହାର ପ୍ରତିଶୋଧ ନେବାକୁ ଘାନା ନିଶ୍ଚିତ ଭାବେ ଉଦ୍ୟମ କରିବ । ମଜବୁତ୍‌ ରକ୍ଷଣାଭାଗ ସହ ଘାନାର ଆକ୍ରମଣପନ୍ଥୀ ବେଶ୍‌ ଶକ୍ତିଶାଳୀ ଥିବାରୁ ଦଳ ବିଜୟୀ ହେବାର ଅଧିକ ସମ୍ଭାବନା ରହିଛି । ପ୍ରି-କ୍ୱାର୍ଟରରେ ଦଳ ନାଇଜର ଦଳକୁ ସହଜରେ ପରାସ୍ତ କରିଥିବାରୁ କ୍ୱାର୍ଟରରେ ମଧ୍ୟ ବିଜୟୀ ହେବାକୁ ଆଶା ରଖିଛି । ଦଳର ଅଧିନାୟକ ଇରିକ୍‌ ଆହିୟା ଚମକ୍ରାର ଫର୍ମରେ ଥିବାରୁ ସେ କ୍ୱାର୍ଟରରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ମାଲି ଦଳ ଇରାକ୍‌ ବିରୋଧରେ ବିପୁଳ ବିଜୟ ହାସଲ କରିଥିବାରୁ ଦଳର ମନୋବଳ ନିଶ୍ଚିତ ଭାବେ ବୃଦ୍ଧି ପାଇଥିବ ଏଥିରେ ସନେ୍ଦହ ନାହିଁ । ଦଳ ତରଫରୁ ଲାସନା ଏନ୍‌’ ଡିଆୟେ ଚାରିଟି ମ୍ୟାଚ୍‌ରୁ ୫ଟି ଗୋଲ ସ୍କୋର କରିଥିବାରୁ କ୍ୱାର୍ଟରରେ ମଧ୍ୟ ସେ ଦଳ ତରଫରୁ ପ୍ରମୁଖ ଖେଳାଳି ଭାବେ ଉଭା ହେବେ ବୋଲି ଆଶା କରାଯାଉଛି । ସେହିପରି ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଆମେରିକାର ମୁକାବିଲା ଇଂଲଣ୍ଡ ସହ ହେବ । ୧୯୯୯ ସଂସ୍କରଣରେ ଆମେରିକା ଏହି ପ୍ରତିଯୋଗିତାରେ ଚତୁର୍ଥ ସ୍ଥାନ ହାସଲ କରିଥିବାରୁ ଚଳିତଥର ଏଥିରେ ଉନ୍ନତି ଆଣିବାକୁ ନିଶ୍ଚିତ ଭାବେ ଚେଷ୍ଟା କରିବ । ଅନ୍ୟପକ୍ଷରେ ଇଂଲଣ୍ଡ ଦଳ ୨୦୦୭ ସଂସ୍କରଣରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ଦଳ ଉଭୟ ରକ୍ଷଣଭାଗ ଓ ଆକ୍ରମଣାପନ୍ଥୀରେ ଭଲ ପ୍ରଦର୍ଶନ କରୁଥିବାରୁ ଆମେରିକା ବିରୋଧରେ ଦଳ ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି । ବିଶେଷ କରି ଦଳର ଗୋଲରକ୍ଷକ କୁର୍ଟିସ ଆଣ୍ଡରସନ୍‌ ଚମତ୍କାର ଫର୍ମରେ ଥିବାରୁ ସେ ଏହି କ୍ୱାର୍ଟରରେ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଛି । ଅନ୍ୟପକ୍ଷରେ ଦଳର ତାରକା ଫରୱାର୍ନ ସାନ୍‌ଚୋଙ୍କ ଅନୁପସ୍ଥିତିରେ ଦଳର ଆକ୍ରମଣପନ୍ଥୀ କିଭଳି ଭାବେ ପ୍ରଦର୍ଶନ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଆମେରିକା ଦଳର ଆକ୍ରମଣପନ୍ଥୀ ବେଶ୍‌ ଶକ୍ତିଶାଳୀ । ବିଶେଷ କରି ଦଳର ଅଧିନାୟକ ଜୋସ୍‌ ସାରଜେଣ୍ଟ, ଟିମ୍‌ ୱେ ଓ ଆକିନୋଲା ଇଂଲଣ୍ଡ ଦଳର ରକ୍ଷଣାଭାଗ ଖେଳାଳିଙ୍କୁ ଅଡୁଆରେ ପକାଇବାରେ ସକ୍ଷମ । ଏହି ମ୍ୟାଚ୍‌ରେ ଉଭୟ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଆଶା କରାଯାଉଛି । ୨୨ତାରିଖ ରବିବାର ସ୍ପେନ ଓ ଇରାନ ଏବଂ ଜର୍ମାନୀ ଓ ବ୍ରାଜିଲ ମଧ୍ୟରେ ଅନ୍ୟ ଦୁଇଟି ମ୍ୟାଚ ଖେଳାଯିବ । ୨୫ ତାରିଖରେ ସେମିଫାଇନାଲ ଏବଂ ୨୮ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।