ଓଡିଆନ୍ ନ୍ୟୁଜ

95

ପାକିସ୍ତାନକୁ ୪-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ବିଜୟୀ , ଏସିଆ କପ୍‌ ହକି

Team Odian News |

ପାକିସ୍ତାନକୁ ୪-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ବିଜୟୀ , ଏସିଆ କପ୍‌ ହକି
ଢାକା,୨୨/୧୦( ଓଡ଼ିଆନ୍‍ ନ୍ୟୁଜ୍‍): ଭାରତ ଏସିଆ କପ୍‌ ହକି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛି । ସୁପର-୪ ପର୍ୟ୍ୟାୟରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ଦଳ ବିଜୟୀ ହେବା ସହ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି । ସୁପର-୪ ପର୍ୟ୍ୟାୟରେ ଭାରତୀୟ ଦଳ ୭ ପଏଣ୍ଟ ହାସଲ କରିବାକୁ ସକ୍ଷମ ହେବା ସହ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିରୋଧରେ ନିଜ ବିଜୟଧାରା ଅବ୍ୟାହତ ରଖିବାରେ ସକ୍ଷମ ହୋଇଛି । ଚଳିତବର୍ଷ ଭାରତୀୟ ଦଳ ପାକିସ୍ତାନକୁ ୪ଥର ପରାସ୍ତ କରି ସାରିଛି । ଏହି ମ୍ୟାଚ୍‌ରେ ଭାରତୀୟ ଦଳର ଖେଳାଳିମାନେ ପ୍ରଥମେ ଧୀମା ଖେଳ ପ୍ରଦର୍ଶନ କରିଥିଲେ । ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲ ମ୍ୟାଚରେ ପାକିସ୍ତାନ ଖେଳାଳିମାନେ ଅଧିକ ସମୟ ବଲ୍‌କୁ ନିଜ ନିୟନ୍ତ୍ରଣରେ ରଖିବାକୁ ସକ୍ଷମ ହୋଇଥିଲେ । ପ୍ରଥମ କ୍ୱାର୍ଟରରେ ପାକିସ୍ତାନକୁ ୩ଟି ପେନାଲଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଏହାକୁ ଗୋଲ୍‌ରେ ପରିବର୍ତ୍ତିତ କରିବାକୁ ସକ୍ଷମ ହୋଇ ପାରିନଥିଲା । ଭାରତୀୟ ଦଳକୁ ପେନାଲଟି କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲ ସ୍କୋର କରିବାରେ ସକ୍ଷମ ହୋଇପାରିନଥିଲା । ଖେଳର ୩୯ ମିନିଟ୍‌ରେ ଲଳିତଙ୍କ ଠାରୁ ଏକ ପାସ୍‌ ପାଇ ଭାରତୀୟ ଖେଳାଳି ସତବୀର ସିଂହ ଏହାକୁ ଗୋଲରେ ପରିବର୍ତ୍ତିତ କରି ଦଳକୁ ୧-୦ ଗୋଲ୍‌ରେ ଅଗ୍ରଣୀ କରାଇଥିଲେ । ଅନ୍ତିମ ୧୦ ମିନିଟ୍‌ରେ ଭାରତୀୟ ଦଳ ପାକିସ୍ତାନ ଗୋଲପୋଷ୍ଟ ଉପରେ ଘନଘନ ଆକ୍ରମଣ କରି ଆଉ ୩ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଖେଳର ୫୧ ମିନିଟ୍‌ରେ ହରମନ୍‌ପ୍ରୀତ ସିଂହ, ୫୨ ମିନିଟ୍‌ରେ ଲଳିତ ଉପାଧ୍ୟାୟ ଓ ୫୭ ମିିନିଟ୍‌ରେ ଗୁରଜାଣ୍ଟ ସିଂହ ଭାରତ ପକ୍ଷରୁ ଗୋଲ ସ୍କୋର କରିଥିଲେ ।