ଓଡିଆନ୍ ନ୍ୟୁଜ

102

ଆମେରିକାର ଯୁଦ୍ଧ ବିମାନ ସଜାଗ, ଆମେରିକା-ଉତ୍ତର କୋରିଆ ଉତ୍ତେଜନାମୂଳକ ପରିସ୍ଥିତି

Team Odian News |

ଆମେରିକାର  ଯୁଦ୍ଧ ବିମାନ ସଜାଗ, ଆମେରିକା-ଉତ୍ତର କୋରିଆ ଉତ୍ତେଜନାମୂଳକ ପରିସ୍ଥିତି
ୱାଶିଂଟନ,୨୪/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ଉତ୍ତର କୋରିଆ ସହ ଦେଖାଯାଇଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ନେଇ ଆମେରିକା ଏହାର ପରମାଣୁ ବୋମା ନିକ୍ଷେପକାରୀ ଯୁଦ୍ଧବିମାନଗୁଡିକୁ ସଜାଗ ରହିବା ଲାଗି ନିର୍ଦେଶ ଦେଇଛି । ବାୟୁସେନାର ବୋମା ନିକ୍ଷେପକାରୀ ଯୁଦ୍ଧବିମାନ ବି-୫୨ ଗୁଡିକୁ ୨୪ଘଣ୍ଟିଆ ସତର୍କତା ଜାରି କରାଯାଇଛି । ଏପରିକି ନିର୍ଦେଶ ପାଇବା ମାତ୍ରେ ଯୁଦ୍ଧବିମାନଗୁଡିକ ଆକ୍ରମଣ ପାଇଁ ବାହାରିପାରିବେ । ୧୯୯୧ ଠାରୁ ଆମେରିକା-ଉତ୍ତର କୋରିଆ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବାବେଳେ ପ୍ରଥମ ଥର ପାଇଁ ବି-୫୨ ଯୁଦ୍ଧବିମାନକୁ ସତର୍କ ରହିବା ଲାଗି ନିର୍ଦେଶ ଦିଆଯାଇଛି । ଆମେରିକା ବାୟୁସେନା ମୁଖ୍ୟ ଡାଭିଡ ଗୋଲ୍ଡଫିନ କହିଛନ୍ତି ଏହି ଯୁଦ୍ଧ ପ୍ରସ୍ତୁତି କୌଣସି ନିର୍ଦ୍ଦଷ୍ଟ ଘଟଣା ଉପରେ ଆଧାରିତ ନୁହେଁ; ବରଂ ବର୍ତ୍ତମାନର ବିଶ୍ୱ ପରିସ୍ଥିତିକୁ ନେଇ ଏହି ସତର୍କତା ଜାରି କରାଯାଇଛି । ବିଶେଷକରି ଉତ୍ତର କୋରିଆ ସହ ଉତ୍ତେଜନାମୂଳକ ପରିସ୍ଥିତି ଓ ରୁଷ୍‌ ସେନାର ଯୁଦ୍ଧ ପ୍ରସ୍ତୁତିକୁ ନେଇ ଏହି ସତର୍କତା ଜାରି କରାଯାଇଛି । ସେ କହିଛନ୍ତି ଯେ ସରକାରଙ୍କ ଠାରୁ ସୂଚନା ପାଇବା ମାତ୍ରେ ଯୁଦ୍ଧ ବିମାନଗୁଡିକ ଆକ୍ରମଣ ପାଇଁ ବାହାରିବେ । ଆମେରିକା ବାୟୁସେନାରେ କାର୍ୟ୍ୟରତ ବି-୫୨ ଯୁଦ୍ଧବିମାନର ବେଗ ଘଣ୍ଟା ପ୍ରତି ୧୦୩୭ କିମି । ଏହା ଥରକେ ୧୪,୦୮୦ କିମି ଦୂର ଅତିକ୍ରମ କରିପାରିବ । ଏହାର ୩୨ହଜାର କିଲୋର ଯୁଦ୍ଧାସ୍ତ୍ର ପରିବହନ କରିପାରିବ । ୧୯୫୫ରୁ ଏହା ଆମେରିକା ବାୟୁସେନାରେ କାର୍ୟ୍ୟ କରିଆସୁଛି । ଏକ ସପ୍ତାହ ପୂର୍ବରୁ ଉତ୍ତର କୋରିଆ କହିଥିଲା ଯେ କୋରିଆ ଉପଦ୍ୱୀପରେ ଯେ କୌଣସି ସମୟରେ ପରମାଣୁ ଯୁଦ୍ଧ ଲାଗିପାରେ । ଜାତିସଂଘ ଅଣୁଅସ୍ତ୍ର ନିରସ୍ତ୍ରୀକରଣ ବୈଠକରେ ଉତ୍ତରକୋରିଆ ଉପ ରାଷ୍ଟ୍ରଦୂତ କିମ୍‌ ଇନ ରେଅଙ୍ଗ କହିଥିଲେ ଯେ କୋରିଆ ଉପଦ୍ୱୀପରେ ଆମେରିକା ଯେଉଁ ସମରାଭ୍ୟାସ ଚଳାଇଛି ତାହା ଯେକୌଣସି ମୂହୁର୍ତ୍ତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିପାରେ । ରେଅଙ୍ଗ କହିଥିଲେ ଯେ ଉତ୍ତର କୋରିଆ ବିଶ୍ୱର ଏକମାତ୍ର ରାଷ୍ଟ୍ର ଯାହା ସର୍ବଦା ପରମାଣୁ ଆକ୍ରମଣ ଧମକର ସମ୍ମୁଖୀନ ହୋଇଆସୁଛି । ଏପରି ଧମକକୁ ସମ୍ମୁଖୀନ ହେବା ଲାଗି ଉତ୍ତର କୋରିଆ ଏବେ ପୂର୍ଣ୍ଣ ପ୍ରସ୍ତୁତ । ଉତ୍ତର କୋରିଆ ଏବେ ଯେଉଁ ପରମାଣୁ ଅସ୍ତ୍ର ହାସଲ କରିଛି ଏହା ତାର ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ; ତେଣୁ ଅଣୁଅସ୍ତ୍ର ହାସଲରୁ ଏହାକୁ କେହି ରୋକିପାରିବେ ନାହିଁ । ଉଦ୍‌ଯାନ ବୋମା, ଆନ୍ତଃ ମହାଦେଶୀୟ ବାଲାଷ୍ଟିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା ପୂର୍ବକ ଚଳିତବର୍ଷ ଉତ୍ତର କୋରିଆ ଏକ ସ୍ୱୟଂସମ୍ପୂର୍ଣ୍ଣ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ହୋଇଛି । ଆମେରିକାର ସମଗ୍ର ଭୂଖଣ୍ଡ ଆମର ପରମାଣୁ ଅସ୍ତ୍ର ପରିସୀମାରେ ରହୁଛି । ଆମେରିକା ଯଦି କୌଣସି ପରିସ୍ଥିତିରେ ଆମ ଉପରେ ଆକ୍ରମଣ କରେ ତେବେ ଏହାର ଗୋଟିଏ ଇଞ୍ଚ ଭୂଖଣ୍ଡ ଅଣୁ ଆକ୍ରମଣରୁ ବର୍ତ୍ତି ପାରିବ ନାହିଁ ।