ଓଡିଆନ୍ ନ୍ୟୁଜ

108

ମରୁଡ଼ି ପ୍ରଭାବିତ ଅଞ୍ଚଳ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଘୋଷଣା

Team Odian News |

ମରୁଡ଼ି ପ୍ରଭାବିତ ଅଞ୍ଚଳ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତା ଘୋଷଣା
ଭୁବନେଶ୍ୱର,୨୬ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ):ମରୁଡ଼ି ପ୍ରଭାବିତ ୧୫ ଜିଲାର ୬୦୧୫ ଗାଁ ଓ ୧୧ଟି ପୌରାଞ୍ଚଳର ୮୪ଟି ୱାର୍ଡ଼ର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଭାବିତ ଅଞ୍ଚଳରେ ଚାଷୀଙ୍କୁ ଫସଲ କ୍ଷତି ଭରଣା ସହ ଜଳକର ଛାଡ଼, ରବି ଚାଷ ଲାଗି ମାଗଣା ବିହନ ଆଦି ପ୍ରଦାନ କରାଯିବ ଏବଂ ସ୍କୁଲ କଲେଜ ପିଲାଙ୍କ ଟ୍ୟୁସନ ଓ ପରୀକ୍ଷା ଫି ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି ସଚିବାଳୟରେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମରୁଡ଼ି ପ୍ରଭାବିତ ଅଞ୍ଚଳର ଫସଲ କ୍ଷତି ନିମନ୍ତେ ଚାଷୀମାନଙ୍କୁ ସରକାର ସହାୟତା ପ୍ରଦାନ କରିବେ । ୩୩% ବା ତହିଁରୁ ଅଧିକ ଅଞ୍ଚଳ ଫସଲ କ୍ଷତିଲାଗି ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ୬୮୦୦ ଟଙ୍କା ଓ ଜଳସେଚିତ ଅଞ୍ଚଳରେ ୧୩୫୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ । ସେହିପରି ପ୍ରଭାବିତ ଚାଷୀମାନଙ୍କ ସ୍ୱଳ୍ପ ମିଆଦୀ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିବର୍ତ୍ତନ କରାଯିବ । ମରୁଡ଼ି ଯୋଗୁଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ୧.୨୫ ଲକ୍ଷ ଡ଼ାଲିଜାତୀୟ ଫସଲ ବିହନ, ୫୦ ହଜାର ତୈଳବୀଜ ଓ ୨୫ହଜାର ପନିପରିବା ବିହନ ମିନିକିଟ୍‌ ମାଗଣାରେ ଯୋଗାଇ ଦିଆଯିବ । ସେହିପରି ୫୦% ପର୍ୟ୍ୟନ୍ତ ଓ ସର୍ବାଧିକ ୧୫୦୦୦ ଟଙ୍କା ରିଆତିରେ ୫୦୦୦ ପମ୍ପସେଟ ବଣ୍ଟନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ରବି ଚାଷ ପାଇଁ ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକୁ ତୁରନ୍ତ କାର୍ୟ୍ୟକ୍ଷମ କରାଯିବ । ଯେଉଁଠି ପ୍ରକଳ୍ପଗୁଡ଼ିକ ଅଚଳ ପଡ଼ିଛି ତାହାକୁ ମରାମତି କରାଯିବ ଓ ଯେଉଁଠି ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ ସେଠାରେ ବିଦ୍ୟୁତ୍‌ ଯୋଗାଇ ଦିଆଯିବ । ଏହି କାର୍ୟ୍ୟ ଡ଼ିସେମ୍ବର ୩୧ ପୂର୍ବରୁ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଅଧାପନ୍ତରିଆ ହୋଇ ପଡ଼ିଥିବା ଓ ମଞ୍ଜୁର ହେବା ପରେ କାର୍ୟ୍ୟ ଆରମ୍ଭ ହୋଇ ନ ଥିବା ଗଭୀର ନଳକୂଅ ଖନନ ଯୋଜନାକୁ ତୁରନ୍ତ କାର୍ୟ୍ୟକାରୀ କରାଯିବ । ମହାତ୍ମା ଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମରୁଡ଼ି ଅଞ୍ଚଳରେ ଶ୍ରମିକମାନଙ୍କୁ ୫୦ ଦିନ ଅଧିକ କାମ ଯୋଗାଇ ଦିଆଯିବ । ଏହି ଯୋଜନାରେ ବର୍ଷରେ ୧୦୦ ଦିନ ନିଶ୍ଚିତ କାମ ଯୋଗାଇ ଦେବା ପାଇଁ ନିର୍ଦେଶ ରହିଥିବାବେଳେ କ୍ଷତିଗ୍ରସ୍ତ ହୋଇଥିବା ୬୦୧୫ ଗାଁରେ ଶ୍ରମିକମାନଙ୍କୁ ୧୫୦ ଦିନ କାମ ମିଳିବ । ଏହାବ୍ୟତୀତ ଭୂମିହୀନ, ନାମମାତ୍ର ଓ କ୍ଷୁଦ୍ର ଚାଷୀଙ୍କ ଜୀବନଜୀବିକାର ଉନ୍ନତି ନିମନ୍ତେ ଘାସ ଚାଷ, ଗୋପାଳନ ଓ କୁକୁଡ଼ା ଚାଷ ନିମନ୍ତେ ସହଯୋଗ ଯୋଗାଇ ଦିଆଯିବ । ଅପରପକ୍ଷରେ ମରୁଡ଼ି ପ୍ରଭାବିତ ଅଞ୍ଚଳର ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଟ୍ୟୁସନ ଓ ପରୀକ୍ଷା ଫି ଆଦାୟ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସମ୍ପ୍ରତି ରାଜ୍ୟରେ ୭୦ ବ୍ଲକ୍‌ର ୧୧୨୫ଟି ପଞ୍ଚାୟତ ଅନ୍ତର୍ଗତ ୬୦୧୫ ଗାଁ ଓ ୧୧ ପୌରାଞ୍ଚଳର ୮୪ଟି ୱାର୍ଡ଼ର ମୋଟ ୩.୨୩ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ଜିଲାପାଳମାନେ ରିପୋର୍ଟ ଦେଇଛନ୍ତି । ଏହାମଧ୍ୟରୁ ୧.୪୪ ଲକ୍ଷ ହେକ୍ଟର ଜମିରେ ୩୩%ରୁ ଊଦ୍ଧ୍ୱର୍ ଓ ୧.୭୧ ଲକ୍ଷ ହେକ୍ଟର ଜମିରେ ୫୦%ରୁ ଅଧିକ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି ।