ଓଡିଆନ୍ ନ୍ୟୁଜ

131

ଆଜି ପବିତ୍ର ଅଁଳା ନବମୀ ! ପାଦପଦ୍ମ ଦର୍ଶନ ପାଇଁ ଭକ୍ତଙ୍କ ଭିଡ

Team Odian News |

ଆଜି ପବିତ୍ର ଅଁଳା ନବମୀ ! ପାଦପଦ୍ମ ଦର୍ଶନ ପାଇଁ ଭକ୍ତଙ୍କ ଭିଡ
 ସାକ୍ଷୀଗୋପାଳ,୨୯ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ):ଆଜି ହେଉଛି ପବିତ୍ର ଅଁଳା ନବମୀ । ଏହି ଅବସରରେ ସାକ୍ଷୀଗୋପାଳରେ ଥିବା ଗୋପୀନାଥଜୀଉ ମନ୍ଦିରେ ରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମିଛି । ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନେ ଶାନ୍ତିଶୃଙ୍ଖଳା ସହ ରାଧାପାଦ ଦର୍ଶନ କରୁଛନ୍ତି। 
ସାକ୍ଷୀଗୋପାଳରେ ଶ୍ରୀ ଗୋପାଳଜୀଉ ଓ ରାଧାରାଣୀ ଉତ୍ତର ଭାରତୀୟ ବେଶ ଧାରଣ କରିବା ସହ ସେହି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଏ । କାରଣ ଶ୍ରୀ ଶ୍ରୀ ଗୋପାଳଜୀଉ ଏବଂ ଶ୍ରୀ ଶ୍ରୀ ରାଧାରାଣୀ ଉତ୍ତର ଭାରତରୁ ଆସିଥିଲେ । କେବଳ ଅଁଳା ନବମୀ ଦିନ ଶ୍ରୀରାଧା ଓଡିଆଣି ବେଶ ଧାରଣା କରିବା ସହ କାଣିଆ କଚ୍ଛା ମାରଥାନ୍ତି। କାଣିଆ କଚ୍ଛା ମାରିବା ଦ୍ବାରା ଠାକୁରାଣୀଙ୍କ ପାଦପଦ୍ମ ଉପରୁ ପିନ୍ଧା ବସ୍ତ୍ର ଉଠିକି ରହିଥାଏ । ଫଳରେ ଭକ୍ତମାନେ ଠାକୁରାଣୀଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଅଁଳା ନବମୀ ଦିନ ଓଡିଆଣୀ ବେଶରେ ଠାକୁରାଣୀ ନୂତନ ପାଟବସ୍ତ୍ର ପରିଧାନ କରି କାଣିଆ କଚ୍ଛା ମାରିଥାନ୍ତି। ପଣତକାନୀରେ ଗୁଆ, ଅରୁଆ ଚାଉଳ ଓ ଦୁବ ବନ୍ଧା ଯିବା ସହ ପାଦରେ ଅଳତା, ଚକ୍ଷୁରେ କଜ୍ଵଳ ଓ ମୁଣ୍ଡରେ ସିନ୍ଧୁର ଲାଗଯାଇଥାଏ । ଶ୍ରୀ ରାଧାରାଣୀଙ୍କ ମସ୍ତକରେ ସୁବର୍ଣ୍ଣ କିରିଟ, ଗଳାରେ ସୁବର୍ଣ୍ଣ ସେବତୀ ଫୁଲହାର, ସୁବର୍ଣ୍ଣ ଅଁଳା ଫଳ ମାଳ ଏବଂ ପାଦରେ ନୂପୁର, ଘୁଙ୍ଗୁର, ବାଙ୍କି , ଝୁଣ୍ଟିଆ ଏବଂ ପାଦ ପଦ୍ମରେ ପାପଦ୍ମ ଶିକୁଳି ଶୋଭା ପାଏ।