ଓଡିଆନ୍ ନ୍ୟୁଜ

92

ଜାମ୍ମୁ କାଶ୍ମୀରର ରାଜନୀତିରେ ଅନୁଚ୍ଛେଦ ୩୫ (କ)କୁ ନେଇ ଉଷ୍ମତା, ସୋମବାର ସୁପ୍ରିମକୋର୍ଟରେ ଶୁଣାଣି

Team Odian News |

ଜାମ୍ମୁ କାଶ୍ମୀରର ରାଜନୀତିରେ ଅନୁଚ୍ଛେଦ ୩୫ (କ)କୁ ନେଇ ଉଷ୍ମତା,  ସୋମବାର ସୁପ୍ରିମକୋର୍ଟରେ ଶୁଣାଣି
ଶ୍ରୀନଗର ,୨୯ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍ ): ଜାମ୍ମୁ କାଶ୍ମୀରର ରାଜନୀତିରେ ଅନୁଚ୍ଛେଦ ୩୫ (କ)କୁ ନେଇ ଉଷ୍ମତା ରହିଛି । ଏହା ମଧ୍ୟରେ ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଦାଲତ ଏ ପ୍ରସଙ୍ଗରେ କୌଣସି ଏକ ବଡ଼ ରାୟ ଦେଇପାରନ୍ତି ବୋଲି ବିଚାର କରାଯାଉଛି । ମାତ୍ର ଏହା ପୂର୍ବରୁ ଜାମ୍ମୁ କାଶ୍ମୀରରୁ ବିରୋଧର ସ୍ୱର ଶୁଣିବାକୁ ମିଳିଛି । ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟତ କନଫ୍ରେନ୍ସ ଏହାକୁ ନେଇ ରବିବାର ଖୋଲା ଚେତାବନୀ ଦେଇଛି । ହୁରିୟତ ପକ୍ଷରୁ କୁହାଯାଇଛି ଯେ ଯଦି ସୁପ୍ରିମକୋର୍ଟ ରାୟ ଅନୁଚ୍ଛେଦ ୩୫(କ) ବିରୋଧରେ ଆସେ ତେବେ ଘାଟିରେ ଏହା ବିରୋଧରେ ବିଦ୍ରୋହ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଅନୁଚ୍ଛେଦ ୩୫(କ) ଜାମ୍ମୁ କାଶ୍ମୀରକୁ ରାଜ୍ୟ ହିସାବରେ ବିଶେଷ ଅଧିକାର ପ୍ରଦାନ କରୁଛି । ଏହି ଅନୁଚ୍ଛେଦ ପ୍ରାବଧାନ ସ୍ଥାୟୀ ନିବାସ ସହ ସଂପୃକ୍ତ । ଏହି ଅନୁଚ୍ଛେଦର ବିଶେଷ ଅଧିକାରକୁ ସୁପ୍ରିମକୋର୍ଟରେ ଆହ୍ୱାନ ଦିଆଯାଇଛି । ଏହା ଉପରେ ଅଦାଲତରେ ଶୁଣାଣି ହେବାର ଅଛି । ସାମ୍ବିଧାନିକ ଅନୁଚ୍ଛେଦ ୩୫(କ) ଅନୁଯାୟୀ ବାହାର ଲୋକ (ଅନ୍ୟ ରାଜ୍ୟର) ଜାମ୍ମୁ କାଶ୍ମୀରରେ ଜମି କିମ୍ବା ଘର କିଣି ପାରିବେ ନାହିଁ । ଏପରିକି ରାଜ୍ୟ ବାହାର କୌଣସି ଲୋକଙ୍କୁ ବିବାହ କରୁଥିବା ମହିଳାଙ୍କୁ ସମ୍ପତ୍ତିର ଅଧିକାର ମିଳେନାହିଁ । ଅର୍ଥାତ ବାହାର ରାଜ୍ୟର କୌଣସି ବ୍ୟକ୍ତିଙ୍କୁ ବିବାହ କଲେ ମହିଳାଙ୍କ ସମ୍ପତ୍ତିଗତ ଅଧକାର ଶେଷ ହୋଇଯାଇଥାଏ ଓ ତାର ପୁଅକୁ ବି ଏହି ଅଧିକାର ମିଳେନାହିଁ । ବିଶେଷ ରୂପେ ଏହି ବିଶେଷ ପ୍ରାବଧାନକୁ ସୁପ୍ରିମକୋର୍ଟରେ ଆହ୍ୱାନ କରାଯାଇଛି ।