ଓଡିଆନ୍ ନ୍ୟୁଜ

156

ଜାତିସଂଘ ଶାନ୍ତି ପ୍ରତିଷ୍ଠା ଯୋଜନାରେ ଭାରତର ଯୋଗଦାନ ବିଶ୍ୱରେ ତୃତୀୟ,‘ମନ କି ବାତ’ରେ ମୋଦିଜୀଙ୍କ ମନରକଥା

Team Odian News |

ଜାତିସଂଘ ଶାନ୍ତି ପ୍ରତିଷ୍ଠା ଯୋଜନାରେ ଭାରତର ଯୋଗଦାନ ବିଶ୍ୱରେ ତୃତୀୟ,‘ମନ କି ବାତ’ରେ ମୋଦିଜୀଙ୍କ ମନରକଥା 

ନୂଆଦିଲ୍ଲୀ,୨୯ା୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ନୂଆଦିଲ୍ଲୀ : ବିଶ୍ୱଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଭାରତ ସର୍ବଦା ନିଜକୁ ଉତ୍ସର୍ଗ କରିଆସୁଛି । ଜାତିସଂଘ ଦ୍ୱାରା ପ୍ରାୟୋଜିତ ବିଶ୍ୱ ଶାନ୍ତି, ସଦ୍‌ଭାବନା, ଏକତା ପ୍ରତିଷ୍ଠା ଯୋଜନାରେ ଭାରତ ନିଜକୁ ସାମିଲ କରିଆସୁଛି । ତେଣୁ ବିଶ୍ୱ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଭାରତ ଏକ ଦୂତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ‘ମନ କି ବାତ’ର ୩୭ତମ ସଂସ୍କରଣରେ କହିଛନ୍ତି । ସେ କହିଛନ୍ତି ଜାତିସଂଘ ଶାନ୍ତି ପ୍ରତିଷ୍ଠା ଯୋଜନାରେ ଭାରତର ଯୋଗଦାନ ବିଶ୍ୱରେ ତୃତୀୟ ବୃହତ । ଏହି ଯୋଜନାରେ ଭାରତର ପ୍ରାୟ ୭୦୦୦ ସୁରକ୍ଷାକର୍ମୀ କାର୍ୟ୍ୟ କରୁଛନ୍ତି । ଏମାନେ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରେ କାର୍ୟ୍ୟ କରୁଛନ୍ତି । ବସୁଧୈବ କୁଟୁମ୍ବକମ୍‌ରେ ବିଶ୍ୱାସ କରୁଥିବା ଗୌତମ ବୁଦ୍ଧ ଓ ମହାତ୍ମା ଗାନ୍ଧିଙ୍କ ମାଟିର ଏହି ସାହସୀ ସୈନିକମାନେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିଚାଲିଛନ୍ତି । ଅଗଷ୍ଟ ୨୦୧୭ରେ ଜାତିସଂଘର ୭୧ଟି ଶାନ୍ତି ଅଭିଯାନ ମଧ୍ୟରୁ ୫୦ଟି ଅଭିଯାନରେ ଭାରତ ଭାଗ ନେଇଥିଲା । କୋରିଆ, କମ୍ବୋଡିଆ, ଲାଓସ, ଭିଏତନାମ, କଙ୍ଗୋ, ସାଇପ୍ରସ, ଲିବେରିଆ, ଲେବାନନ ଓ ସୁଦାନ ଭଳି ଦେଶରେ ହୋଇଥିବା ଶାନ୍ତି ଅଭିଯାନରେ ଭାରତ ଭାଗ ନେଇଥିଲା । ଏହା ସହିତ ବିଭିନ୍ନ ରାଷ୍ଟ୍ରରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଭାରତ ନିଜର ସ୍ୱାସ୍ଥ୍ୟକର୍ମୀଙ୍କୁ ନିୟୋଜିତ କରିଛି । କଙ୍ଗୋ ଓ ଦକ୍ଷିଣ ସୁଦାନରେ ଭାରତ ସୈନ୍ୟ ବାହିନୀ ଦ୍ୱାରା ପରିଚାଳିତ ହସ୍ପିଟାଲରେ ୨୦ହଜାରରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯାଇଥିଲା । ଆଜିର ମନ୍‌ କି ବାତ କାର୍ୟ୍ୟକ୍ରମରେ ମୋଦି ବିଶ୍ୱ ଶାନ୍ତି ପ୍ରତିଷ୍ଠାରେ ଭାରତ ଯୋଗଦାନ ସହିତ ଛଟ୍‌ ପୂଜା, ସୈନିକଙ୍କ ସହିତ ଦିପାବଳୀ ପାଳିବା, ସ୍ୱଚ୍ଛତା, ଏକତା, ଖଦି ବସ୍ତ୍ରର ବ୍ୟବହାର ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଶରେ ଏକତା ପ୍ରତିଷ୍ଠା କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି । ପଟେଲଙ୍କ ଜନ୍ମ ଦିନ ଅକ୍ଟୋବର ୩୧କୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯିବ । ଏଥିପାଇଁ ଅନୁଷ୍ଠିତ ହେଉଥିବା ଏକତା ଦୌଡରେ ସମସ୍ତଙ୍କୁ ଭାଗ ନେବା ଲାଗି ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ ଅକ୍ଟୋବର ୩୧ ହୋଇଥିବାରୁ ମୋଦି ତାଙ୍କୁ ମଧ୍ୟ ମନେପକାଇଥିଲେ । ସେହିପରି ଜବାହାରଲାଲ ନେହେରୁଙ୍କ ଜନ୍ମ ଦିନ ନଭେମ୍ବର ୧୪ ଶିଶୁ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଛୋଟ ପିଲାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ସମୟରେ ଶିଶୁମାନେ ମଧୁମେହରେ ଆକ୍ରାନ୍ତ ହେଉଥିବା ନେଇ ପ୍ରଧାନମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଆମ ମାନଙ୍କର ଜୀବନ ଶୈଳୀ ପାଇଁ ଆମେ ମଧୁମେହରେ ଆକ୍ରାନ୍ତ ହେଉଛେ; ତେଣୁ ପିଲାମାନେ ଘର ବାହାର (ଆଉଟ ଡୋର) ଖେଳ ଉପରେ ଗୁରୁତ୍ୱ ଦେବା ଦରକାର । ଏହାଦ୍ୱାରା ସେମାନେ ମଧୁମେହରୁ ନିଜକୁ ଦୂରେଇ ରଖିପାରିବେ ବୋଲି ମୋଦି କହିଛନ୍ତି । ନଭେମ୍ବର ୪ରେ ହେଉଥିବା ଗୁରୁ ନାନକ ଜୟନ୍ତୀକୁ ମଧ୍ୟ ମୋଦି ମନେ ପକାଇବା ସହ ଏହି ଧର୍ମଗୁରୁଙ୍କ ସ୍ମୃତିଚାରଣ କରିଥିଲେ । ମୋଦି କହିଥିଲେ ଶିଖ ଗୁରୁ ନାନକ ଜଣେ ବିଶ୍ୱ ଗୁରୁ ଯିଏ କି ସମଗ୍ର ମାନବଜାତିର ମଙ୍ଗଳ ପାଇଁ କାର୍ୟ୍ୟ କରିଥିଲେ । ଗତ ଦିପାବଳୀକୁ ମୋଦି ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟ ଗୁରେଜ ସେକ୍ଟରରେ ସୈନ୍ୟ ବାହିନୀର ଯବାନଙ୍କ ସହ ବିତାଇଥିଲେ । ସୈନିକଙ୍କ ସହିତ ବିତାଇଥିବା ସମୟକୁ ମୋଦି ତାଙ୍କ ମନ କି ବାତ କାର୍ୟ୍ୟକ୍ରମରେ ମନେ ପକାଇବା ସହ ଦେଶର ଶାନ୍ତି, ସୁରକ୍ଷା କ୍ଷେତ୍ରରେ ଯବାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଆମର ସୈନିକମାନେ ଅତ୍ୟନ୍ତ କଷ୍ଟକର ପରିବେଶରେ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ କାର୍ୟ୍ୟ କରୁଥିବାରୁ ଆମେ ଶାନ୍ତିରେ ରହିପାରୁଛେ । ଗତ ଦିପାବଳୀରେ ଦେଶରେ ଖଦି ସାମଗ୍ରୀର ବିକ୍ରି ଗତବର୍ଷ ଅପେକ୍ଷା ୯୦% ବୃଦ୍ଧି ପାଇଥିବା ନେଇ ମୋଦି ଖୁସି ବ୍ୟକ୍ତ କରିଛନ୍ତି । ଏପରିକି ଅକ୍ଟୋବର ୧୭ ଧନତେରାସ ଦିନ ଦିଲ୍ଲୀର ଏକ ଖଦି ଭଣ୍ଡାରରେ ରେକର୍ଡ ପରିମାଣର ୧.୨କୋଟି ଟଙ୍କାର କାରବାର ହୋଇଥିଲା । ଏହା ପୂର୍ବରୁ ମୋଦି ତାଙ୍କର ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ଖଦି ସାମଗ୍ରୀ ବ୍ୟବହାର ଲାଗି ନିବେଦନ କରିଥିଲେ । ଏପରିକି ଖଦିର ଦେଶରେ ଖଦି ବସ୍ତ୍ରକୁ ଫେସନରେ ପରିଣତ କରିବାକୁ ସେ କହିଥିଲେ । ସେହିପରି ସ୍ୱଚ୍ଛତା ଅଭିଯାନରେ ଦେଶର ପ୍ରତ୍ୟେକ ବର୍ଗର ଲୋକ ନିଜକୁ ସାମିଲ କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।