ଓଡିଆନ୍ ନ୍ୟୁଜ

177

ଫେବୃଆରୀ ଶେଷରେ ମାଟ୍ରିକ ପରୀକ୍ଷା : ସଭାପତି ଡ. ଜାହାନଆରା ବେଗମ

Team Odian News |

ଫେବୃଆରୀ ଶେଷରେ ମାଟ୍ରିକ ପରୀକ୍ଷା : ସଭାପତି  ଡ. ଜାହାନଆରା ବେଗମ
ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ପ୍ରଥମ ମହିଳା ସଭାପତି ରୂପେ ଯୋଗଦେଇଛନ୍ତି ଶିକ୍ଷାବିତ୍ ଡ. ଜାହାନଆରା ବେଗମ । ଶିକ୍ଷାଦାନ ସହିତ ତାଙ୍କର ପ୍ରଶାସନିକ ଅଭିଜ୍ଞତା ରହିଛି । ବୋର୍ଡ ଉପରେ ଆସ୍ଥା ଓ ବିଶ୍ୱାସ ଦୃଢ଼ କରିବା ପାଇଁ ଉଦ୍ୟମ କରିବେ ବୋଲି କହନ୍ତି ଡ. ବେଗମ । 
ପ୍ରଶ୍ନ: ବୋର୍ଡର ସଭାପତି ପଦ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଏହାକୁ କିପରି ସୂଚାରୁରୂପେ ସମ୍ପାଦନ କରିବେ?
ଉ: ଦୀର୍ଘ ୩୭ ବର୍ଷ ଚାକିରି ଜୀବନରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଛି ଓ ପ୍ରଶାସନିକ କାର୍ଯ୍ୟର ଅନୁଭୂତି ମଧ୍ୟ ବେଶ୍ ପାଇଛି । ୩,୫୦୦ବିଦ୍ୟାର୍ଥୀଙ୍କ ଛୋଟ ସେଟ୍-ଅପ୍ରେ ପ୍ରଶାସନିକ କାର୍ଯ୍ୟ କରୁଥିଲି । ସରକାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଏକ ବଡ ସେଟ୍-ଅପ୍ରେ ପ୍ରଶାସନିକ କାର୍ଯ୍ୟ କରିବାକୁ ସୁଯୋଗ ଦେଇଛନ୍ତି । ମୋର ଛାତ୍ର ବୋର୍ଡର ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି । ଗୁରୁ-ଶିଷ୍ୟ ସମ୍ପର୍କ ବୋର୍ଡର କାର୍ଯ୍ୟକୁ ସହଜ ଓ ସରଳ କରିଦେବ ବୋଲି ମୋର ଆଶା ଓ ବିଶ୍ୱାସ । 
ପ୍ରଶ୍ନ: ବୋର୍ଡ ସମ୍ପାଦକଙ୍କୁ କିଛି ନୂତନ ଦାୟିତ୍ୱ ଦେବେ କି?
ଉ:ଗଣମାଧ୍ୟମକୁ ବୋର୍ଡ ସମ୍ପର୍କରେ ସୂଚନା ଦେବାକୁ ପୂର୍ବରୁ କାହାକୁ ଅଧିକୃତ କରାଯାଇନଥିଲା । ଏଣିକି ସମ୍ପାଦକଙ୍କ ମାଧ୍ୟମରେ ହିଁ ସମସ୍ତ ସୂଚନା ପ୍ରଦାନ କରାଯିବ । ପରୀକ୍ଷା ପରିଚାଳନା ବ୍ୟତୀତ ବୋର୍ଡର ଅନ୍ୟ କେହି ପଦାଧିକାରୀ ବୋର୍ଡ ସମ୍ପର୍କରେ ଯେପରି କୌଣସି ମନ୍ତବ୍ୟ ନ ଦେବେ ସେଥିପାଇଁ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । 
ପ୍ରଶ୍ନ: ବୋର୍ଡର ସଂସ୍କାର ପ୍ରକ୍ରିୟା ଜାରି ରହିବ ନା ନାହିଁ?
ଉ: ୨୦୧୪ରୁ ବୋର୍ଡରେ ସଂସ୍କାର ପ୍ରକ୍ରିୟା ଚାଲୁରହିଛି । ଏଥିରେ ସଫଳତା ମିଳିଛି ଏଥିପାଇଁ ତତ୍କାଳୀନ ସଚିବ ଓ ବୋର୍ଡ ସଭାପତି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି । ସଂସ୍କାର ପ୍ରକ୍ରିୟା ଚାଲୁରହିବ । ପୂର୍ବପରି ମାଟ୍ରିକ ପରୀକ୍ଷା ଫେବୃଆରୀ ଶେଷ ସପ୍ତାହରେ ହେବ । ପରୀକ୍ଷା ପରିଚାଳନା ଓ ଫଳ ପ୍ରକାଶନରେ ସ୍ୱଚ୍ଛତା ରକ୍ଷା ଆମ ପାଇଁ ଆହ୍ୱାନ । ସଂସ୍କାର ପାଇଁ ଆଉ ଯାହା ପରାମର୍ଶ ଆସିବ ଆସନ୍ତାବର୍ଷ ପାଇଁ ବିଚାର କରାଯାଇପାରେ । 
ପ୍ରଶ୍ନ: ପୁରୁଣା ରେକର୍ଡପତ୍ର ଡିଜିଟାଇଜେସନ କ’ଣ ଅଧାରେ ରହିଗଲା?
ଉ: ବୋର୍ଡର ପୁରୁଣା ରେକର୍ଡପତ୍ର ଡିଜିଟାଇଜେସନ ପ୍ରକ୍ରିୟାର ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି । ବିଭାଗୀୟ ସଚିବଙ୍କ ସହ ଏ ନେଇ ବିଚାରବିମର୍ଶ ହୋଇଛି । ବୈଷୟିକ ବିଷାରଦଙ୍କ ପରାମର୍ଶ ନିଆଯାଉଛି । ପ୍ରଥମ ଦଶବର୍ଷର ପୁରାତନ କାଗଜପତ୍ରଗୁଡ଼ିକର ଡିଜିଟାଇଜେସନ ହେବ । 
ପ୍ର-ବୋର୍ଡରେ କର୍ମଚାରୀ ସଙ୍କଟ ରହିଛି ।
ଉ: ବୋର୍ଡରେ କର୍ମଚାରୀ ସଙ୍କଟ ରହିଛି ଏହା ସତ୍ୟ । ପ୍ରାଥମିକ ସ୍ତରରେ ଖାଲି ପଦ ପୂରଣ ପାଇଁ ତୁରନ୍ତ ଉଦ୍ୟମ କରାଯିବ । ବିଭିନ୍ନ ବିଭାଗରେ ଆମର ମାନବସମ୍ବଳ ଅଭାବ ଥିଲେ ହେଁ ସପୋର୍ଟ ସିଷ୍ଟମକୁ ଦୃଢ଼ କରାଯିବ ।