ଓଡିଆନ୍ ନ୍ୟୁଜ

161

ଆଗାମୀ ନିର୍ବାଚନରେ ସମାନ ଦୂରତା ବଜାୟ ରଖି ସରକାର ଗଢ଼ିବୁ : ନବୀନ

Team Odian News |

ଆଗାମୀ ନିର୍ବାଚନରେ ସମାନ ଦୂରତା ବଜାୟ ରଖି ସରକାର ଗଢ଼ିବୁ : ନବୀନ
ଭୁବନେଶ୍ୱର,୩୦/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ): ମୁଁ ପରିସଂଖ୍ୟାନରେ ବିଶ୍ୱାସ କରେ ନାହିଁ, ତେବେ ୨୦୧୯ ନିର୍ବାଚନ ଲଢ଼ିବା ପାଇଁ ବିଜେଡି କୌଣସି ଦଳ ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ମେଣ୍ଟ କରିବ ନାହିଁ । ଆଗାମୀ ନିର୍ବାଚନରେ ଉଭୟ ବିଜେପି ଏବଂ କଂଗ୍ରେସଠାରୁ ବିଜେଡି ସମାନ ଦୂରତା ବଜାୟ ରଖିବ ଓ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବ । ରବିବାର ଭୁବନେଶ୍ୱରରେ ‘ଦି ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’ ପକ୍ଷରୁ ଆୟୋଜିତ ଓଡ଼ିଶା ସାହିତ୍ୟ ଉତ୍ସବର ଉଦ୍‌ଯାପନୀ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହିପରି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ‘ଦି ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍‌’ର ସମ୍ପାଦକୀୟ ନିର୍ଦେଶକ ପ୍ରଭୁ ଚାୱାଲାଙ୍କ ସହ କଥୋପକଥନ ଓ ପ୍ରଶ୍ନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମ ଉପରେ ଲୋକଙ୍କର ଭରସା ରହିଛି ଏବଂ ଆଗାମୀ ୨୦୧୯ ନିର୍ବାଚନରେ ରାଜ୍ୟର ଜନସାଧାରଣ ଆମକୁ ପୁଣିଥରେ ସୁଯୋଗ ଦେବେ । ଉପଯୁକ୍ତ ଯୋଜନା ଏବଂ ତା’ର ସଫଳ କାର୍ୟ୍ୟକାରିତା ହେତୁ ଆଜି ଓଡ଼ିଶା ଅନେକ କ୍ଷେତ୍ରରେ ସଫଳତା ପାଇଛି । ଫାଇଲିନ୍‌ ମହାବାତ୍ୟା ହେଉ କିମ୍ବା ଏସୀୟ ଆଥଲେଟିକ୍‌ ମିଟ୍‌ର ଆୟୋଜନ, ସବୁବେଳେ ଆମେ କାର୍ୟ୍ୟଦକ୍ଷତା ଉପରେ ଗୁରୁତ୍ୱ ଦେଉଥିବାରୁ ରାଜ୍ୟ ବିକାଶ ପଥରେ ଅଗ୍ରସର ହେଉଛି । ବିପିଏଲ୍‌ ପରିବାରକୁ ୧ଟଙ୍କାରେ ଚାଉଳ ଯୋଗାଣ ସହିତ ୧୦ ବର୍ଷ ମଧ୍ୟରେ ଆମେ ରାଜ୍ୟର କୃଷକଙ୍କ ଆୟକୁ ଦୁଇଗୁଣା କରିପାରିଛୁ । ସେହିପରି ଗତ ଦୁଇବର୍ଷ ମଧ୍ୟରେ ଆମେ ରାଜ୍ୟରେ ୧୦ ଲକ୍ଷ ପକ୍କା ଘର ନିର୍ମାଣ କରିଥିବା ବେଳେ ଆଗକୁ ଆଉ ୧୦ ଲକ୍ଷ ପକ୍କା ଘର ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛୁ । ଦାରିଦ୍ର୍ୟ ଦୂରୀକରଣ ପାଇଁ ଆମ ସରକାର ଅନେକ ଯୋଜନା ସଫଳତାର ସହ କାର୍ୟ୍ୟକାରୀ କରିଛି । ୧୯୯୯ ମହାବାତ୍ୟା ପରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ନିର୍ମାଣ କରିବା ସହ ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଉଦ୍ଧାର ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛୁ । ସମୟୋଚିତ ପଦକ୍ଷେପ ଯୋଗୁଁ ଆମେ ଫାଇଲିନ୍‌ ବାତ୍ୟା ସମୟରେ ଉପକୂଳରେ ଥିବା ସମସ୍ତ ଲୋକଙ୍କୁ ଥଇଥାନ କରାଯାଇ ପାରିଛି । ଯେଉଁଥିପାଇଁ ଁ ମିଳିତ ଜାତିସଂଘ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେଡି ଏବଂ ଅନ୍ୟ ଦଳର ରାଜନେତାମାନେ ଏବେ ପରସ୍ପର ବିରୋଧରେ କଟୁ ଭାଷା ପ୍ରୟୋଗ କରିବା କେତେଦୂର ସମିଚୀନ ଏବଂ ନିଜ ଦଳର ନେତାଙ୍କ ସମ୍ପର୍କରେ ଆପଣଙ୍କ ମତ କ’ଣ ବୋଲି ଶ୍ରୀ ଚାୱାଲାଙ୍କ ପ୍ରଶ୍ନରେ ନବୀନ ସ୍ପଷ୍ଟ ଭାବରେ ଏହାକୁ ନାପସନ୍ଦ କରିଛନ୍ତି । ରାଜନୀତି କିମ୍ବା ସାମାଜିକ ଜୀବନରେ ମୁଁ କାହାରି ନାଁ ନେଇ ତାଙ୍କ ପ୍ରତି କେବେବି କଟୁଭାଷା ପ୍ରୟୋଗ କରିନାହିଁ । ଏପରି ଭାଷା ପ୍ରୟୋଗ କରିବା ଆଦୌ ସମିଚୀନ ନୁହେଁ । ଏବେ ନିଜ ଟ୍ୱିଟର୍‌ ଆକାଉଣ୍ଟରେ କୌଣସି ମନ୍ତବ୍ୟ ଦେବା ପରେ ଜୟ ଜଗନ୍ନାଥ ଲେଖିବା ପଛରେ ନିଜକୁ ଈଶ୍ୱରବିଶ୍ୱାସୀ ଓ ଜଗନ୍ନାଥଙ୍କ ଉପରେ ଅଗାଧ ବିଶ୍ୱାସ ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ସେହିପରି ତାଙ୍କ ପାଇଁ ଛୁଟିଦିନ ଅନ୍ୟ କାର୍ୟ୍ୟ ଦିବସ ସହ ସମାନ ଏବଂ ଛୁଟି ଦିନରେ ବିଭିନ୍ନ ସରକାରୀ-ଦଳୀୟ କାର୍ୟ୍ୟ ସହ ରାଜ୍ୟର ବିକାଶ ପ୍ରସଙ୍ଗ ସହ ଜଡ଼ିତ କିଛି କାମ କରିବାକୁ ପଡ଼ିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ଓଡ଼ିଶାର ସାହିତ୍ୟ, କଳା ଓ ସଂସ୍କୃତିର ବେଶ୍‌ ଗୌରବମୟ ଇତିହାସ ରହିଛି । ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି ବୋଲି ଉଲ୍ଲେଖ କରି ବର୍ତ୍ତମାନ ସମୟରେ ସାହିତ୍ୟର ପରିଭାଷା ବଦଳିବାରେ ଲାଗିଛି ବୋଲି କହିଥିଲେ । ଏବେ ପାଠକ ଡିଜିଟାଲ ଲାଇବ୍ରେରୀ, ଅନ୍‌ଲାଇନ୍‌ରେ ବହି ପଢ଼ିବାକୁ ପସନ୍ଦ କରୁଛନ୍ତି । ସାହିତ୍ୟ ଉତ୍ସବ ଏପରି ଏକ ମଞ୍ଚ ଯେଉଁଠାରେ ଲେଖକ ଏବଂ ପାଠକ ଏକାଠି ହୋଇ ସାହିତ୍ୟ ଉପରେ ଆଲୋଚନା କରିବାର ସୁଯୋଗ ପାଉଛନ୍ତି । ଏହା ଆଗକୁ ମଧ୍ୟ ଜାରି ରହିବା ଉଚିତ । ତେବେ ସମାଜ ଗଠନରେ ସାହିତ୍ୟିକମାନେ ଉଦ୍ୟମ କରିବା ଜରୁରୀ ବୋଲି ସେ କହିଥିଲେ । ସାହିତ୍ୟ ଉତ୍ସବର ଆଜି ଦ୍ୱିତୀୟ ଦିବସରେ ଯୁବ ଓଡ଼ିଆ ସମାଜର ଭବିଷ୍ୟତ, ଭାରତୀୟ ଖାଦ୍ୟ, ଓଡ଼ିଆ ଚଳଚ୍ଚିତ୍ର ଏବଂ ନୂତନ ଭାରତରେ ପ୍ରେମର ସଂଜ୍ଞା ଆଦି ବିଷୟବସ୍ତୁକୁ ନେଇ ଆଲୋଚନା ହୋଇଥିଲା । ସେହିପରି ଭାରତୀୟ ଚଳଚ୍ଚିତ୍ରର ପରିବର୍ତ୍ତିତ ଚିତ୍ରକୁ ନେଇ ଆୟୋଜିତ ବିତର୍କରେ ଚଳଚ୍ଚିତ୍ର ନିର୍ଦେଶକ ମଧୁର ଭଣ୍ଡାରେକର ଏବଂ ଅନ୍ୟମାନେ ଯୋଗ ଦେଇଥିଲେ ।