ଓଡିଆନ୍ ନ୍ୟୁଜ

135

ବଲାଙ୍ଗୀର ଓ ନୂଆପଡ଼ାରେ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା

Team Odian News |

ବଲାଙ୍ଗୀର ଓ ନୂଆପଡ଼ାରେ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା
ବଲାଙ୍ଗୀର,୩୦ା୧୦( ଓଡ଼ିଆନ୍‍ ନ୍ୟୁଜ୍‍):ରାଜ୍ୟ ସରକାର ଜନ୍ମଠୁ ମରଣ ସବୁ ପ୍ରକାର ଯୋଜନା କରିଥିଲେ ମଧ୍ୟ ଏହା ରାଜ୍ୟର ଦାଦନ ଶ୍ରମିକଙ୍କ ଦୁଃଖ ଦୂର କରିପାରି ନାହିଁ । ପ୍ରତି ବର୍ଷ ସେପ୍ଟେମ୍ବର ମାସ ଆରମ୍ଭରୁ ଅଗଷ୍ଟ ମାସ ଶେଷକୁ ଅର୍ଥାତ ନୂଆଖାଇ ପରେ ପରେ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ସୋନପୁର ଆଦି ଜିଲ୍ଲା ଗୁଡ଼ିକରୁ ଶହ ଶହ ଲୋକ ଦାଦନ ଖଟିବା ପାଇଁ ରାଜ୍ୟ ବାହାରକୁ ଯାଇଥାନ୍ତି । ବେଶି ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ସୀମାରେ ଥିବା ବରଗଡ଼ ଜିଲ୍ଲାରୁ ଦାଦନ ଖଟିବା ପାଇଁ ଯାଇଥାନ୍ତି । ହେଲେ ଚଳିତ ବର୍ଷ ଦାଦନ ଋତୁରେ ଲୋକମାନେ ବାହାରକୁ ଯିବାବେଳେ ପ୍ରଶାସନକୁ ଚେତା ପସିଛି । ଶ୍ରମିକଙ୍କ ପାଇଁ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ସେମାନଙ୍କୁ ଜଣାଇବା ଓ ଏହାର ସମୀକ୍ଷା ନେଇ ବଲାଙ୍ଗୀର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶ୍ରମ ବିଭାଗ ପକ୍ଷରୁ ଏକ ବୌଠକ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ରାଜ୍ୟ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂ ଅଧ୍ୟକ୍ଷତା କରି କହିଥିଲେ ପଞ୍ଚାୟତସ୍ତରରୁ ଶ୍ରମିକଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା  ବିଭିନ୍ନ ଶ୍ରମିକ କଲ୍ୟାଣ କାର୍ଯ୍ୟକ୍ରମର ସୁଯୋଗ ସୃଷ୍ଠି କରାଯିବା ଦରକାର ବୋଲି ସେ କହିଥିଲେ । ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ୩୦ଟି ପଞ୍ଚାୟତରେ ଶ୍ରମିକଙ୍କ ସୁରକ୍ଷା ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୧୩୪ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯାଉଛି ବୋଲି ଏହି ବୌଠକରେ ମନ୍ତ୍ରୀ ଶ୍ରୀ ସିଂ ସୂଚନା ଦେଇଛନ୍ତି । ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଓ ବେଲପଡ଼ା ବ୍ଲକର ୨୦ଟି ପଞ୍ଚାୟତ ଓ ନୂଆପଡ଼ା ଜିଲ୍ଲାର ୧୦ଟି ପଞ୍ଚାୟତକୁ ଏହି ଯୋଜନାରେ ସାମିଲ କରାଯାଇଥିବାର କୁହାଯାଇଛି । ଏହାସହ ଜିଲ୍ଲାପାଳ ମଧ୍ୟ ଶ୍ରମିକଙ୍କ ପାଇଁ ନିଆଯାଉଥିବା ପଦେକ୍ଷପ ବିଷୟରେ କହିଥିଲେ ।