ଓଡିଆନ୍ ନ୍ୟୁଜ

126

ଉତ୍ତର କୋରିଆ ଆଣବିକ ଅସ୍ତ୍ର ପରୀକ୍ଷଣ ଘାଟିରେ ଅଘଟଣ, ୨୦୦ ମୃତ

Team Odian News |

ଉତ୍ତର କୋରିଆ ଆଣବିକ ଅସ୍ତ୍ର ପରୀକ୍ଷଣ ଘାଟିରେ ଅଘଟଣ, ୨୦୦ ମୃତ
ଟୋକିଓ ,୩୧/୧୦( ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ବାରମ୍ବାର ଆଣବିକ ଅସ୍ତ୍ର ପରୀକ୍ଷା କରି ବିଶ୍ୱରେ ଚହଳ ପକାଇଥିବା ଉତ୍ତର କୋରିଆକୁ ଏକ ବଡ଼ ଝଟକା ଲାଗିଛି । ଖବର ଅନୁଯାୟୀ ଉତ୍ତର କୋରିଆ ପରମାଣୁ ଅସ୍ତ୍ର ପରୀକ୍ଷଣ ସ୍ଥାନ ବା ଘାଟି ପଂଗି-ରିରେ ଏକ ସୁଢଙ୍ଗ ଭୁଶୁଡ଼ି ପଡିବାରୁ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଜାପାନ ଗଣମାଧ୍ୟମ ଦ୍ୱାରା ଏହି ଖବର ପଦାକୁ ଆସିଛି । ସୂଚନା ଅନୁଯାୟୀ ସେପ୍ଟେମ୍ବର ୩ରେ ଉତ୍ତର କୋରିଆ ସବୁଠୁ ବଡ଼ ତଥା ଷଷ୍ଠ ଭୂପୃଷ୍ଠ ତଳେ ଆଣବିକ ଅସ୍ତ୍ର ପରୀକ୍ଷଣ କରିଥିଲା । ଏହାର ଦିନକ ପରେ ଏହି ଦୁର୍ଘଟଣା ଘଟିଛି । ଉତ୍ତର କୋରିଆରେ ଥିବା ଜାପାନ ଖବରଦାତାଙ୍କ ସୂତ୍ରରୁ ଏହି ଖବର ପଦାକୁ ଆସିଛି । ଜାପାନର ଏକ ଟିଭି ଚ୍ୟାନେଲରେ ପ୍ରସାରିତ ଖବର ଅନୁସାରେ ଆରମ୍ଭରୁ ପାଖାପାଖି ୧୦୦ଶ୍ରମିକ ଉକ୍ତ ସୁଢଙ୍ଗରେ ଫଶି ରହିଥିଲେ । ଉଦ୍ଧାର କାର୍ୟ୍ୟ ଚାଲିଥିବାବେଳେ ସୁଢଙ୍ଗର ଅନ୍ୟ ଏକ ଅଂଶ ଭୁଶୁଡ଼ି ଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଆଣବିକ ଅସ୍ତ୍ର ପରୀକ୍ଷଣରୁ ହିଁ ଦୁର୍ଘଟଣାର ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୂପୃଷ୍ଠ ତଳେ ଆଣବିକ ଅସ୍ତ୍ର ପରୀକ୍ଷଣ କଲେ ପାହାଡ ସହ ସୁଢଙ୍ଗ ଭୁଶୁଡ଼ି ପଡ଼ିବାର ଆଶଙ୍କା ରହିଛି ବୋଲି ଉତ୍ତର କୋରିଆ ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ । କିନ୍ତୁଏହାକୁ ବେଖାତିର କରି ଆଣବିକ ଅସ୍ତ୍ର ପରୀକ୍ଷା କରାଯାଇଥିଲା । ଏହି ଆଣବିକ ଅସ୍ତ୍ର ପରୀକ୍ଷଣ ସ୍ଥାନରେ ୨୦୦୬ରୁ ଏପର୍ୟ୍ୟନ୍ତ ୬ଥର ଆଣବିକ ଅସ୍ତ୍ର ପରୀକ୍ଷା କରାଯାଇଛି । ସେପ୍ଟେମ୍ବର ୩ରେ ଷଷ୍ଠ ଆଣବିକ ଅସ୍ତ୍ର ପରୀକ୍ଷଣ ପରେ ଅନେକ ସ୍ଥାନରେ ଭୂ-ସ୍ଖଳନ ଘଟିଥିଲା । ଆଣବିକ ଅସ୍ତ୍ର ବିସ୍ଫୋରଣରେ ସୁଢଙ୍ଗ ନିକଟରେ ୬.୩ ତୀବ୍ରତାର ଭୂକମ୍ପ ଆସିଥିଲା । ଏହାର କିଛି ମିନିଟ ପରେ ଆଉ ଉପରେ ୪.୧ ତୀବ୍ରତାର ଭୂକମ୍ପ ଆସିଥିଲା । ଫଳରେ ସୁଢଙ୍ଗଟି ଭୁଶୁଡ଼ି ପଢିଥିଲା । ସାଟେଲାଇଟ ଫଟୋରୁ ଏହା ସ୍ପଷ୍ଟ ହୋଇଥିବା ଜାପାନ ପକ୍ଷରୁ ପ୍ରକାଶ କରାଯାଇଛି । ଜାପାନ ଆକଳନ ଅନୁଯାୟୀ ଉତ୍ତର କୋରିଅ ସେପ୍ଟେମ୍ବର ୩ରେ ଯେଉଁ ହାଇଡ୍ରୋଜେନ ବୋମା ପରୀକ୍ଷଣ କରିଥିଲା ତାହା ୧୯୪୫ରେ ହିରୋଶିମା ଉପରେ ପଡିଥିବା ପରମାଣୁ ବୋମାଠାରୁ ୮ଗୁଣ ଅଧିକ ଶକ୍ତିଶାଳୀ । ରିପୋର୍ଟ ମୁତାବକ ଆଣବିକ ଅସ୍ତ୍ର ପରୀକ୍ଷଣ ପରେ ସୁଢଙ୍ଗ ସ୍ଥାନଟି ଦୁର୍ବଳ ହୋଇଯାଇଥିଲା । ଏଠାରେ ସୂଚନାଯୋଗ୍ୟ ଯେ ଉତ୍ତର କୋରିଆରେ କୌଣସି ଦୁର୍ଘଟଣା ଓ ଅଘଟଣକୁ ସ୍ୱୀକାର କରେନାହିଁ । ଦକ୍ଷିଣ କୋରିଆର ମନ୍ତ୍ରୀ ଲି ୟୁଗିନ ଏ ସଂପକରେ ଖବର ମିଳିଛି; କିନ୍ତୁ ଅଧିକ କିଛି ତଥ୍ୟନାହିଁ ବୋଲି କହିଛନ୍ତି ।