ଓଡିଆନ୍ ନ୍ୟୁଜ

114

କୃଷ୍ଣା ସୋବତିଙ୍କୁ ଜ୍ଞାନପୀଠ ପୁରସ୍କାର

Team Odian News |

କୃଷ୍ଣା ସୋବତିଙ୍କୁ ଜ୍ଞାନପୀଠ  ପୁରସ୍କାର
ନୂଆଦିଲ୍ଲୀ,୪/୧୧( ଓଡ଼ିଆନ୍ ନ୍ୟୁଜ୍): ହିନ୍ଦୀ ସାହିତ୍ୟର ଖ୍ୟାତନାମା ଲେଖିକା କୃଷ୍ଣା ସୋବତି ଚଳିତବର୍ଷର ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶୁକ୍ରବାର ଜ୍ଞାନପୀଠ ମନୋନୟନ ବୋର୍ଡ ପକ୍ଷରୁ ଏହା ଘୋଷଣା କରାଯାଇଛି । ସୋବତିଙ୍କ ଦ୍ୱାରା ରଚିତ ପୁସ୍ତକରେ ଚରିତ୍ରଗୁଡିକ ବେଶ ପ୍ରଭାବଶାଳୀ । ଭାରତ ବିଭାଜନ ଠାରୁ ଆରମ୍ଭ କରି ପୁରଷ-ନାରୀ ସମ୍ପର୍କ, ଭାରତୀୟ ସମାଜର ପରିବର୍ତ୍ତିତ ସମୀକରଣ, ମାନବିକ ମୂଲ୍ୟବୋଧର ଅବକ୍ଷୟ ଭଳି ପ୍ରସଙ୍ଗକୁ ନେଇ ତାଙ୍କ ଲେଖାଗୁଡିକର ବିଷୟବସ୍ତୁ ବେଶ ରୁଦ୍ଧିମନ୍ତ । ତାଙ୍କର କେତେକ ଲୋକପ୍ରିୟ ଉପନ୍ନ୍ୟାସ ମଧ୍ୟରେ ‘ଦାର୍‌ ସେ ବିଛୁଡି’, ‘ମିତ୍ରୋ ମାର୍ଜାନୀ’, ଜିନେ୍ଦଗୀନାମା’, ଦିଲ-ଓ-ଦାନିସ’, ‘ବଦଲୋମ୍‌ କେ ଘେରେ’, ‘ଏ ଲଡ୍‌କୀ’ ଓ ‘ଗୁଜରାତ୍‌ ପାକିସ୍ତାନ ସେ ଗୁଜରାତ୍‌ ହିନ୍ଦୁସ୍ତାନ’ ଅନ୍ୟତମ । ଏଗୁଡିକ ଅନ୍ୟ ଭାରତୀୟ ଭାଷା ସମେତ ଇଂରାଜୀ, ସ୍ୱିଡିସ୍‌ ଓ ରୁଷୀୟ ଭାଷାରେ ମଧ୍ୟ ଅନୁବାଦ କରାଯାଇଛି । ସୋବତିଙ୍କୁ ପୂର୍ବରୁ ହିନ୍ଦୀ ଏକାଡେମୀ, ଶିରୋମଣ ପୁରସ୍କାର, ମୈଥିଳି ଶରଣ ଗୁପ୍ତ ସମ୍ମାନ, ସାହିତ୍ୟ ଏକାଡେମୀ ଫେଲୋସିପ୍‌ ସମ୍ମାନ ମିଳିସାରିଛି । ୨୦୧୦ରେ ତାଙ୍କୁ ପଦ୍ମଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲେ ସୁଦ୍ଧା ସେ ବିନମ୍ରତାର ସହ ଏହାକୁୁ ପ୍ରତ୍ୟାଖ୍ୟାନ କରିଥିଲେ । ୯୨ ବର୍ଷୀୟା ସୋବତି ୧୯୨୫ରେ ପାକିସ୍ତାନ ଅନ୍ତର୍ଗତ ଗୁଜରାଟରେ ଜନ୍ମଗ୍ରହଣ କରିଥିଲେ । ବିଭାଜନ ପରେ ସେ ଭାରତ ଚାଲିଆସିଥିଲେ । ସୋବତି ବର୍ତ୍ତମାନ ସ୍ୱାମୀଙ୍କ ସହ ଦିଲ୍ଲୀରେ ବସବାସ କରୁଛନ୍ତି ।