ଓଡିଆନ୍ ନ୍ୟୁଜ

136

ଫେବୃଆରୀ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ

Team Odian News |

ଫେବୃଆରୀ ୨୩ରୁ  ମାଟ୍ରିକ ପରୀକ୍ଷା ଆରମ୍ଭ
କଟକ,୭/୧୧( ଓଡ଼ିଆନ୍ ନ୍ୟୁଜ୍):ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା-୨୦୧୮(ମାଟ୍ରିକ), ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ପରୀକ୍ଷା ଆସନ୍ତା ଫେବୃଆରୀ ୨୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ତାରିଖରେ ଶେଷ ହେବ । 

ଫେବୃଆରୀ ୨୩ରେ ପ୍ରଥମ ଭାଷା, ୨୬ରେ ଦ୍ୱିତୀୟ ଭାଷା, ୨୮ରେ ତୃତୀୟ ଭାଷା, ମାର୍ଚ୍ଚ ୩ରେ ଗଣିତ, ୬ରେ ସାଧାରଣ ବିଜ୍ଞାନ ଓ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ପୂର୍ବବର୍ଷ ଭଳି ପରୀକ୍ଷାର୍ଥୀମାନେ ଓଏମ୍ଆର ଉତ୍ତର ପତ୍ରରେ ୫୦ ନମ୍ବର ଅବ୍ଜେକ୍ଟିଭ ଏବଂ ପ୍ରଶ୍ନ-ଉତ୍ତରଖାତା ସମ୍ବଳିତ ସବ୍ଜେକ୍ଟିଭରେ ୫୦ ନମ୍ବର ପରୀକ୍ଷା ଦେବେ । ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ । ପ୍ରତ୍ୟେକ ଦିନ ପରୀକ୍ଷା ପୂର୍ବାହ୍ଣ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା୧୧ଟା ୪୫ରେ ଶେଷ ହେବ । ଦଶମ ଶ୍ରେଣୀ ଧନ୍ଦାମୂଳକ ଟ୍ରେଡ୍ ଆଇଟି, ଟିଟି, ଆରଟି ଓ ବିଏଫ୍ ବିଷୟଗୁଡ଼ିକର ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବୃଆରୀ ୧୨ରୁ ୧୭ ମଧ୍ୟରେ ହେବ । ପ୍ରଥମ ଭାଷା ମଧ୍ୟରେ ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦୁ ଓ ତେଲୁଗୁ, ଦ୍ୱିତୀୟ ଭାଷା ମଧ୍ୟରେ ଇଂରାଜୀ, ହିନ୍ଦୀ, ପରିବେଶ ଓ ଜନସଂଖ୍ୟା ଶିକ୍ଷା(କେବଳ ମୂକ-ବଧିର ପରୀକ୍ଷାର୍ଥୀଙ୍କ ପାଇଁ) ଏବଂ ତୃତୀୟ ଭାଷା ମଧ୍ୟରେ ହିନ୍ଦୀ, ସଂସ୍କୃତ, ଓଡ଼ିଆ ଓ ପାର୍ଶୀ ଏବଂ ଭିଜୁଆଲ ଆର୍ଟ(କେବଳ ମୂକ ଓ ବଧିର ପରୀକ୍ଷାର୍ଥୀଙ୍କ ପାଇଁ) ବିଷୟରୁ ପରୀକ୍ଷାର୍ଥୀ ଗୋଟିଏ ଲେଖାଏଁ ବିଷୟରେ ପରୀକ୍ଷା ଦେବେ । ମାର୍ଚ୍ଚ ୪ ତାରିଖ ପୂର୍ବାହ୍ଣ ୯ଟାରୁ ୧୧ଟା ପର୍ୟ୍ୟନ୍ତ ଭିଜୁଆଲ ଆର୍ଟର ପ୍ରାକ୍ଟିକାଲ ପରୀକ୍ଷା ହେବ । ପରୀକ୍ଷାର୍ଥୀଙ୍କୁ ୮ଟା ୩୦ରେ ଓଏମଆର ସିଟ୍ ଦିଆଯିବ । ୮ଟା ୪୫ରେ ଉଭୟ ଅବ୍ଜେକ୍ଟିଭ ଓ ସବ୍ଜେକ୍ଟିଭ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ମିଳିବ । ୮ଟା ୪୫ରୁ ୯ଟା ପର୍ୟ୍ୟନ୍ତ ପ୍ରଶ୍ନପତ୍ର ପଢ଼ିବାକୁ ପିଲାମାନଙ୍କୁ ସୁଯୋଗ ଦିଆଯିବ ବୋଲି ଏ ନେଇ ବୋର୍ଡ କାର୍ୟ୍ୟାଳୟରେ ପରୀକ୍ଷା ପରିଚାଳନା ବୋର୍ଡର ବୈଠକ ପରେ ସଭାପତି ଡ. ଜାହାନ୍ଆରା ବେଗମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । 

ଚଳିତବର୍ଷ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ପରୀକ୍ଷା ବ୍ୟବସ୍ଥାରେ କିଛି ସଂସ୍କାର ଅଣାଯାଇଛି । ମାଟ୍ରିକ ପରୀକ୍ଷାର୍ଥୀଙ୍କ ସହ ମୁକ୍ତ ବିଦ୍ୟାଳୟ ପ୍ରଥମ ପରୀକ୍ଷାର ପରୀକ୍ଷାର୍ଥୀ ଏକ ସମୟରେ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ । ଉକ୍ତ ପରୀକ୍ଷା ବର୍ଷରେ ୨ ଥର ହେଉଥିବାରୁ ତାହାର ଦ୍ୱିତୀୟ ପରୀକ୍ଷା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ସହିତ ହେବ । ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ପ୍ରତ୍ୟେକ ବିଷୟରେ ପାସ ମାର୍କ ୩୦ ପ୍ରତିଶତ ହେବ । ମଧ୍ୟମା ପରୀକ୍ଷା ଫେବୃଆରୀ ୨୩ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ତାରିଖ ପର୍ୟ୍ୟନ୍ତ ଚାଲିବ । ନବମ ଶ୍ରେଣୀ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ମାର୍ଚ୍ଚ ୭ରେ ହେବ । ଏନ୍ଆଇଓଏସ ପକ୍ଷରୁ ପରିଚାଳିତ ଗୃହବିଜ୍ଞାନ, ପେଣ୍ଟିଂ ଓ ଇଣ୍ଡିଆନ୍ କଲଚର ଆଣ୍ଡ ହେରିଟେଜ୍ ପରୀକ୍ଷା ଏବେ ବୋର୍ଡ ପକ୍ଷରୁ ହେବ । ଚଳିତମାସ ୨୨ ତାରିଖରେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ଅନ୍ଲାଇନ ଫର୍ମପୂରଣ କାର୍ୟ୍ୟ ଶେଷ ହେବ । ଫର୍ମପୂରଣ ଶେଷ ହେବା ପରେ ପରୀକ୍ଷାର୍ଥୀଙ୍କ ସଂଖ୍ୟାକୁ ବିଚାର କରାଯାଇ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ସ୍ଥିର କରାଯିବ । ମୁକ୍ତ ବିଦ୍ୟାଳୟ ପରୀକ୍ଷା ମାଟ୍ରିକ ସହ ଏକସଙ୍ଗେ ହେଉଥିବାରୁ ଉକ୍ତ ପରୀକ୍ଷା ପାଇଁ ପ୍ରାୟ ଶହେଟି ଅଧିକ କେନ୍ଦ୍ର ହୋଇପାରେ ବୋଲି ବୋର୍ଡର ପରୀକ୍ଷା ନିୟନ୍ତ୍ରକ ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା ବୋର୍ଡର ୱେବ୍ସାଇଟରେ ଉପଲବ୍ଧ ହେବ ବୋଲି ବୋର୍ଡ ସମ୍ପାଦକ ରାମାଶିଷ ହାଜରା ସୂଚନା ଦେଇଛନ୍ତି ।