ଓଡିଆନ୍ ନ୍ୟୁଜ

222

୨୦୧୮ ସୁଦ୍ଧା ସବୁ ପରିବାରରେ ପହଞ୍ଚିବ ବିଦ୍ୟୁତ୍

Team Odian News |

 ୨୦୧୮ ସୁଦ୍ଧା ସବୁ ପରିବାରରେ ପହଞ୍ଚିବ ବିଦ୍ୟୁତ୍
ଭୁବନେଶ୍ୱର,୭/୧୧( ଓଡ଼ିଆନ୍ ନ୍ୟୁଜ୍) ରାଜ୍ୟରେ ସବୁ ପରିବାରକୁ ୨୦୧୮ ସୁଦ୍ଧା ବିଦ୍ୟୁତ୍ ପହଞ୍ଚାଇବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକୁ ଶତପ୍ରତିଶତ ସଫଳ କରିବାପାଇଁ ନଭେମ୍ବର ପହିଲାରୁ ବିଭାଗ ପକ୍ଷରୁ ମିଶନ ଆରମ୍ଭ ହୋଇଥିବାବେଳେ ଏହି କାର୍ୟ୍ୟରେ ସରପଞ୍ଚଙ୍କ ସହାୟତା ଲୋଡାଯାଇଛି । ଏନେଇ ଶକ୍ତିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୋମବାର ସବୁ ସରପଞ୍ଚଙ୍କୁ ପତ୍ର ଲେଖି ଏହି ମିଶନରେ ଭାଗୀଦାରି ହେବାକୁ ଅନୁରୋଧ କରିଛନ୍ତି । ଶ୍ରୀ ମଲ୍ଲିକ କହିଛନ୍ତି ଯେ ପ୍ରତ୍ୟେକ ଗ୍ରାମ ଓ ପଡ଼ାରେ ଯେଭଳି କୌଣସି ପରିବାର ବିଦ୍ୟୁତ୍ ସେବାରୁ ବଞ୍ଚିତ ନରୁହେ ଏଥିପ୍ରତି ସରପଞ୍ଚ ଓ ୱାର୍ଡସଭ୍ୟଙ୍କ ଗୁରୁ ଦାୟିତ୍ୱ ରହିଛି । ଯଦି କୌଣସି ଗ୍ରାମ ଓ ପଡ଼ାରେ ଯେକୌଣସି ବର୍ଗର ଲୋକ ଏଥିରୁ ବାଦ୍‌ ପଡିଥାଏ ତାକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାପାଇଁ ସଂପୃକ୍ତ ଅଞ୍ଚଳର ସରପଞ୍ଚ ରାଜ୍ୟ ମୁଖ୍ୟାଳୟକୁ ଯୋଗାଯୋଗ କରିବେ । ଶ୍ରୀ ମଲ୍ଲିକ କହିଛନ୍ତି ଯେ ଏନେଇ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲାପରିଷଦ ସଭ୍ୟ, ଜିଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, କାଉନସିଲର ଓ କର୍ପୋରେଟରଙ୍କୁ ମଧ୍ୟ ପତ୍ର ଲେଖାଯାଇଛି । ଯେଉଁ ପରିବାରଗୁଡିକ ବିଦ୍ୟୁତ ସେବାରୁ ବଞ୍ଚିତ ଅଛନ୍ତି ସେମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ମାଗଣା ଫର୍ମରେ ତାଙ୍କର ଠିକଣା ଲେଖି ଗ୍ରାମରେ ଲଟକାଯାଇଥିବା ବାକ୍ସରେ ପକାଇବେ । ପରେ ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଯଦି କେହି ବାଦ୍‌ ପଡ଼ିଯାଆନ୍ତି ସେହି ସମୟରେ ମଧ୍ୟ ସେମାନଙ୍କୁ ପୁନଶ୍ଚ ଆବେଦନ କରି ବିଦ୍ୟୁତ ସେବା ପାଇପାରିବେ । ଚଳିତମାସ ୩୦ ତାରିଖ ସୁଦ୍ଧା ଆବେଦନ ପ୍ରକ୍ରିୟା ଶେଷ ହେବାକୁ ବିଭାଗ ଲକ୍ଷ୍ୟ ରଖିଛି । ଏହାପରେ ବ୍ଲକସ୍ତରୀୟ ଓ ଜିଲାସ୍ତରୀୟ କମିଟିରେ ଆବେଦନଗୁଡିକୁ ଯାଞ୍ଚ କରାଯାଇ ସବୁ ପରିବାରକୁ ବିଦ୍ୟୁତ୍ ସଂଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।