ଓଡିଆନ୍ ନ୍ୟୁଜ

104

ଶ୍ରୀ ଜୟଦେବଙ୍କ କବିତ୍ୱ ଓ ବ୍ୟକ୍ତିତ୍ୱକୁ ନେଇ ଏକ ବହୁଭାଷୀ ଚଳଚ୍ଚିତ୍ର ନିର୍ମାଣ ହେବ

Team Odian News |

ଶ୍ରୀ ଜୟଦେବଙ୍କ କବିତ୍ୱ ଓ ବ୍ୟକ୍ତିତ୍ୱକୁ ନେଇ ଏକ ବହୁଭାଷୀ ଚଳଚ୍ଚିତ୍ର ନିର୍ମାଣ ହେବ
ଭୁବନେଶ୍ୱର,୭/୧୧( ଓଡ଼ିଆନ୍ ନ୍ୟୁଜ୍) ଶ୍ରୀ ଗୀତଗୋବିନ୍ଦର ରଚୟିତା କବି ଶ୍ରୀ ଜୟଦେବଙ୍କ କବିତ୍ୱ ଓ ବ୍ୟକ୍ତିତ୍ୱକୁ ନେଇ ଏକ ବହୁଭାଷୀ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଓଡ଼ିଆ, ଇଂରାଜୀ, ହିନ୍ଦୀ ସମେତ ୧୦ରୁ ଅଧିକ ଭାରତୀୟ ଭାଷାରେ ଏହି ଚଳଚ୍ଚିତ୍ର ନିର୍ମାଣ ଯୋଜନା ରହିଛି । ଆମେରିକାର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ପୂର୍ବତନ ଅଧ୍ୟାପକ ତଥା ସେଠାରେ ଅବସ୍ଥାପିତ ଓଡ଼ିଆ ପୁଅ ଡ. ସୁଧାକର ମିଶ୍ର ଏ ନେଇ ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଚଳଚ୍ଚିତ୍ର ପାଇଁ ଜୟଦେବ ଗବେଷକ ତଥା ଫାଉଣ୍ଡେସନ ଟ୍ରଷ୍ଟର କାର୍ୟ୍ୟନିର୍ବାହୀ ଟ୍ରଷ୍ଟି ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ଓଡ଼ିଶୀ ସଙ୍ଗୀତ ଗବେଷକ ଡ. କୀର୍ତ୍ତନ ନାରାୟଣ ପାଢ଼ୀ, ତୀର୍ଥାନନ୍ଦ ମହାନ୍ତି, ସଂଳାପକାର ସରୋଜ ମିଶ୍ରଙ୍କ ସହାୟତାରେ କାହାଣୀ ଲେଖିଛନ୍ତି ବିଶିଷ୍ଟ ନାଟ୍ୟକାର ଡ. ବିଜୟ ମିଶ୍ର । ଭୁବନେଶ୍ୱର ଦୂରଦର୍ଶନର ପୂର୍ବତନ ନିର୍ଦେଶକ ରବୀନ୍ଦ୍ର ନାଥ ମିଶ୍ରଙ୍କ ନିର୍ଦେଶନାରେ ନିର୍ମିତ ହେବାକୁ ଥିବା ଚଳଚ୍ଚିତ୍ରରେ ଶ୍ରୀ ଗୀତଗୋବିନ୍ଦର ଆଦ୍ୟ କଥାକୁ ଗୁରୁତ୍ୱ ଦିଆଯିବ । କାହାଣୀକାର ଡ. ମିଶ୍ର କହିଛନ୍ତି ଶ୍ରୀରାଧା ତତ୍ତ୍ୱର ପ୍ରାମାଣିକ ଦସ୍ତାବିଜ୍‌ ‘ଶ୍ରୀଗୀତଗୋବିନ୍ଦ ।’ ଏହାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବା ଏକ ବଡ଼ ଆହ୍ୱାନ । ନିର୍ଦେଶକ ଡ. ମିଶ୍ର କହିଛନ୍ତି ଏହି ଚଳଚ୍ଚିତ୍ର ମାଧ୍ୟମରେ ଶ୍ରୀ ଗୀତଗୋବିନ୍ଦ ଓ ଶ୍ରୀ ଜୟଦେବଙ୍କୁ ବିଶ୍ୱସ୍ତରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି । ଏହି ଚଳଚ୍ଚିତ୍ର ଜର୍ମାନ୍‌, ଫ୍ରେଞ୍ଚ୍‌ ଭଳି ବିଦେଶୀ ଭାଷାରେ ଅନୁବାଦ ଯୋଜନା ହୋଇଛି । ଅଧିକନ୍ତୁ ଦେଶର ବିଭିନ୍ନ ସଂଗ୍ରହାଳୟରେ ଏହି ଚଳଚ୍ଚିତ୍ର କିପରି ସଂରକ୍ଷିତ ହୋଇ ରହିବ ସେ ଦିଗରେ ଯୋଜନା କରାଯାଉଥିବା ଅନ୍ୟତମ ପ୍ରଯୋଜକ ସୁଧାଂଶୁ ରଞ୍ଜନ ମିଶ୍ର କହିଛନ୍ତି । ରବିବାର ସହିଦନଗରସ୍ଥିତ ଜୟଦେବ କମ୍ପ୍ଲେକ୍ସରେ ଆୟୋଜିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି ।