ଓଡିଆନ୍ ନ୍ୟୁଜ

111

ପୋଲାଭରମ୍‌ ମାମଲାରେ କେନ୍ଦ୍ର ସରକାରଙ୍କୁ ଜରିମାନା

Team Odian News |

ପୋଲାଭରମ୍‌ ମାମଲାରେ କେନ୍ଦ୍ର ସରକାରଙ୍କୁ ଜରିମାନା
ନୂଆଦିଲ୍ଲୀ  ,୮/୧୧( ଓଡ଼ିଆନ୍ ନ୍ୟୁଜ୍): ବିବାଦୀୟ ପୋଲାଭରମ୍‌ ପ୍ରକଳ୍ପ ମାମଲାରେ ନିଜ ପକ୍ଷ ରଖିବାରେ ବିଫଳ ହେବା ନେଇ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ୨୫ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି । ୨୦୧୬ରେ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ରପଦେଶ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । କେନ୍ଦ୍ର ସରକାର ଏହାର ଜବାବ ରଖିବାରେ ବିଫଳ ହୋଇଥିଲେ । ସୁପ୍ରିମକୋର୍ଟ ଏହି ମାମଲାରେ ଦୁଇ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି । ଏହାସହିତ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନା ସରକାରଙ୍କୁ ଏଥିରେ ପକ୍ଷଭୁକ୍ତ କରିବାକୁ କହିଛନ୍ତି । ସେତେବେଳେ କର୍ଣ୍ଣାଟକ ଓ ମହାରାଷ୍ଟ୍ରକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା ଏବଂ ଅନ୍ୟ କୌଣସି ରାଜ୍ୟ ଚାହିଁଲେ ଏଥିରେ ପକ୍ଷଭୁକ୍ତ ହୋଇପାରିବେ ବୋଲି କହିଥିଲେ । ଏହି କ୍ରମରେ ଛତିଶଗଡ଼ ଓ ତେଲେଙ୍ଗାନା ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି । ଓଡ଼ିଶା ସରକାର ପୋଲାଭରମ୍‌କୁ ବିରୋଧ କରୁଥିବାବେଳେ କେନ୍ଦ୍ର ସରକାର ଏହାକୁ ଜାତୀୟ ପ୍ରକଳ୍ପ ମାନ୍ୟତା ଦେବାର ପ୍ରତିବାଦରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ଏହାଛଡ଼ା ତଫସିଲଭୁକ୍ତ ଜନଜାତି, ବିସ୍ଥାପିତ ଓ ଜଙ୍ଗଲ ବାସିନ୍ଦାଙ୍କ ଅଧିକାର ପାଇଁ ଲଢ଼ୁଥିବା ଏକ ଏନ୍‌ଜିଓ ପକ୍ଷରୁ ଏ ନେଇ ଆବେଦନ କରାଯାଇଥିଲା । ଇନ୍ଦିରା ସାଗର ପୋଲାଭରମ୍‌ ପ୍ରକଳ୍ପ ହେବା ଦ୍ୱାରା ଏମାନେ ନିଜ ଭିଟାମାଟି ହରାଇବାକୁ ଥିôବାରୁ ଉଚିତ କ୍ଷତିପୂରଣ ଦେବାକୁ ଏଥିରେ ଦାବି କରାଯାାଇଥିଲା । ଏହି ଆବେଦନର ଶୁଣାଣିବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଦଣ୍ଡିତ କରିଥିଲେ ।