ଓଡିଆନ୍ ନ୍ୟୁଜ

134

ବିଜେପିକୁ ଝଟକା; ଚିତ୍ରକୁଟ ଉପନିର୍ବାଚନରେ କଂଗ୍ରେସ ବିଜୟୀ

Team Odian News |

ବିଜେପିକୁ ଝଟକା; ଚିତ୍ରକୁଟ ଉପନିର୍ବାଚନରେ କଂଗ୍ରେସ ବିଜୟୀ
ଭୋପାଳ,୧୨/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ):ମଧ୍ୟପ୍ରଦେଶରେ ଶାସନାଧୀନ ବିଜେପି ସରକାରଙ୍କୁ ବଡ଼ ଝଟକା ଲାଗିଛି । ଚିତ୍ରକୁଟ ବିଧାନସଭା ଉପନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ୧୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଫଳରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସମସ୍ତ ଉଦ୍ୟମରେ ପାଣି ପଶିଯାଇଛି । ଚିତ୍ରକୁଟ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନୀଳାଂଶୁ ଚତୁର୍ବେଦୀ ବିଜେପି ପ୍ରାର୍ଥୀ ଶଙ୍କର ଦୟାଲ ତ୍ରିପାଠୀଙ୍କୁ ୧୪ ହଜାର ୩୩୩ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ୧୪ଟି ପର୍ୟ୍ୟାୟ ମତଗଣନା ପୂର୍ଣ୍ଣ ହେବା ବେଳକୁ କଂଗ୍ରେସ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କଠାରୁ ୧୬, ୦୮୨ ଖଣ୍ଡ ଭୋଟରେ ଆଗୁଆ ଥିଲେ । ଶେଷରେ ୧୪ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ସେ ବିଜୟୀ ହୋଇଥିଲେ । କଂଗ୍ରେସ ବିଧାୟକ ପ୍ରେମ ସିଂହଙ୍କ ୬୫ ବର୍ଷ ବୟସରେ ଚଳିତ ବର୍ଷ ୨୯ ମଇରେ ପରଲୋକ ଘଟିଥିଲା । ଏହାପରଠାରୁ ଏହି ବିଧାନସଭା ଆସନଟି ଖାଲି ପଡ଼ିଥିଲା । ୯ ନଭେମ୍ବରରେ ଭୋଟ ଗ୍ରହଣ କରାଯାଇଥିଲାବେଳେ ୬୫% ମତଦାନ ହୋଇଥିଲା । ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ମତଦାନ କରିଥିଲେ । ଚିତ୍ରକୁଟ ବିଧାନସଭା ଉପନିର୍ବାଚନ ପାଇଁ ୧୨ ଜଣ ପ୍ରାର୍ଥୀ ଥିଲେ । ମୁଖ୍ୟମନ୍ତ୍ରୀ ଶବିରାଜ ସିଂହ ଚୌହାନ ୩ ଦିନ ପର୍ୟ୍ୟନ୍ତ ସେଠାରେ ନିର୍ବାଚନ ପ୍ରଚାର କରିଥିଲେ ।