ଓଡିଆନ୍ ନ୍ୟୁଜ

119

ଆସିଆନ୍‌ ସମ୍ମିଳନୀ ଉଦ୍‌ଘାଟିତ

Team Odian News |

ଆସିଆନ୍‌ ସମ୍ମିଳନୀ ଉଦ୍‌ଘାଟିତ
ମାନିଲା,୧୩/୧୧( ଓଡ଼ିଆନ୍‍ ନ୍ୟୁଜ୍‍): ଫିଲିପାଇନ୍ସର ରାଜଧାନୀ ମାନିଲାଠାରେ ସୋମବାର ଦକ୍ଷିଣପୂର୍ବ ଏସୀୟ ରାଷ୍ଟ୍ର ସଂଘ (ଆସିଆନ) ସମ୍ମିଳନୀ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରର ମୁଖ୍ୟମାନେ ଯୋଗ ଦେଇଛନ୍ତି । ମାନିଲା ସମ୍ମିଳନୀ କେନ୍ଦ୍ରଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଡ୍ୟୁଟେର୍ଟେ କହିଛନ୍ତି ଯେ, ସମ୍ମିଳନୀର ଆଗାମୀ ଦୁଇ ଦିନ ମଧ୍ୟରେ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗଗୁଡିକ ଉପରେ ଆଲୋଚନା ହେବ । ବିଶେଷକରି ଆତଙ୍କବାଦ ଓ ସମୁଦ୍ର ମଧ୍ୟରେ ସଶସ୍ତ୍ର ଡକାୟତି ବିଷୟ ଉପରେ ଗୁରୁତ୍ୱାରୋପ କରାଯିବ । ଏହି ଅବସରରେ ସେ ମାରାୱିଠାରେ ଫିଲିପାଇନ୍ସ ସେନା ଏବଂ ଇସ୍‌ଲାମ ଧର୍ମୀୟ ରାଷ୍ଟ୍ର ସଂସ୍ପର୍ଶରେ ଥିବା ଆତଙ୍କବାଦୀଙ୍କ ମଧ୍ୟରେ ସାମରିକ ଲଢେଇ ବିଷୟ ଉତ୍‌ଥାପନ କରିଥିଲେ । ସେ କହିଥିଲେ, ଏକ ମାସରୁ କମ୍‌ ସମୟ ପୂର୍ବେ ଫିଲିପାଇନ୍ସ ସରକାର ମାରାୱିକୁ ଆତଙ୍କବାଦୀଙ୍କ କବଳରୁ ମୁକ୍ତ କରିଛନ୍ତି । ଏ ନେଇ ହୋଇଥିବା ସାମରିକ ଅଭିଯାନ ବେଳେ ବହୁ ଧନଜୀବନ ହାନି ହୋଇଛି । ଏହି ଘଟଣାରେ ବିସ୍ଥାପିତ ଲୋକେ ଏବେ ସାଧାରଣ ଜୀବନକୁ ଫେରିବାର ଉଦ୍ୟମ କରୁଥିବା ବେଳେ ଫିଲିପାଇନ୍ସ ସରକାର ସେମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଏଥିନିମନ୍ତେ ଆସିଆନ୍‌ ସଂଘର ସଦସ୍ୟମାନେ ମଧ୍ୟ ଫିଲିପାଇନ୍ସ ସରକାର ଓ ସେନାଙ୍କୁ ଆକଶ୍ୟକୀୟ ସହାୟତା ପ୍ରଦାନ କରୁଥିବା ସେ ପ୍ରକାଶ କରିଛନ୍ତି । ଏଭଳି ଏକ ଜରୁରୀକାଳୀନ ପରିସ୍ଥିତିରେ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବା ଲାଗି ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଆଗେଇ ଆସିବା ଦରକାର ବୋଲି ଡ୍ୟୁଟେର୍ଟେ ସ୍ମରଣ କରାଇ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦ ଏବଂ ହିଂସାର କୌଣସି ସୀମା ନାହିଁ । ଏହା ଯୋଗୁ ଆମ ଅଞ୍ଚଳର ଶାନ୍ତି, ସ୍ଥିରତା ଏବଂ ନିରାପତ୍ତା ବାଧାପ୍ରାପ୍ତ ହେଉଛି । ଅନ୍ୟପକ୍ଷରେ ସମୁଦ୍ରରେ ସଶସ୍ତ୍ର ଡକାୟତି ଯୋଗୁ ଉଭୟ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ବାଣିଜ୍ୟ ପ୍ରଭାବିତ ହେଉଛି । ସେହିଭଳି ଔଷଧର ବେଆଇନ କାରବାର ମଧ୍ୟ ସମାଜ ପାଇଁ ଚିନ୍ତାଜନକ ବିଷୟ ହୋଇଛି । ଏଣୁ ମାନବିକ ଚିକିତ୍ସା ଏବଂ ନ୍ୟାୟ ହାସଲ ନେଇ ଏହି ଅଞ୍ଚଳରେ ଥିବା ପ୍ରବାସୀ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା କରିବା ତଥା ସେମାନଙ୍କୁ ସହାୟତା ପ୍ରଦାନ ଦିଗରେ ଆସିଆନ୍‌ ରାଷ୍ଟ୍ର ସମୂହ ଏକ ଗୁରୁତ୍ୱପୂର୍ଣ୍ଣ ସହମତିରେ ଉପନୀତ ହୋଇଛନ୍ତି । ଏ ସମ୍ବନ୍ଧୀୟ ଏକ ଦସ୍ତାବିଜ୍‌ ମଙ୍ଗଳବାର ସ୍ୱାକ୍ଷର ହେବ । ‘ପ୍ରବାସୀ ଶ୍ରମିକଙ୍କ ଅଧିକାରର ସୁରକ୍ଷା ଏବଂ ସହାୟତା ସମ୍ବନ୍ଧରେ ଏସିଆନ୍‌ ରାଷ୍ଟ୍ରସମୁହର ସହମତି’ ଶୀର୍ଷକ ଏହି ଦସ୍ତାବିଜ୍‌ ଚଳିତ ଏସିଆନ ସମ୍ମେଳନର ଗୁରୁତ୍ୱପୂର୍ଣ୍ଣ ଅଂଶ ହେବ । ତେବେ ଆତଙ୍କବାଦ ସମେତ ମାନବିକ ଅଧିକାର ପ୍ରସଙ୍ଗକୁ ସମ୍ମେଳନରେ ଗୁରୁତ୍ୱ ଦିଆଯିବ । ବିଶେଷକରି ମିଆଁମାରର ରୋହିଙ୍ଗ୍ୟା ଅଧିବାସୀଙ୍କ ମାନବିକ ଅଧିକାର, ଉତ୍ତର କୋରିଆର ପରମାଣୁ ଓ କ୍ଷେପଣାସ୍ତ୍ର କାର୍ୟ୍ୟକ୍ରମ, ଉପକୂଳ ଏବଂ ସାମୁଦ୍ରିକ ନିରାପତ୍ତା ଏବଂ ଅର୍ଥନୀତି ଉପରେ ଆଗାମୀ ଦୁଇ ଦିନ ମଧ୍ୟରେ ସମ୍ମେଳନରେ ଗୁରୁତ୍ୱର ସହ ଆଲୋଚନା କରାଯିବ । ଏହି ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାପାନ ପ୍ରଧାନମନ୍ତ୍ରୀ ସିନ୍‌ଜୋ ଆବେ, ରୁଷ୍‌ ପ୍ରଧାନମନ୍ତ୍ରୀ ଡିମିଟ୍ରି ମେଦଭେଦେଭ୍‌ ଏବଂ ଚୀନ୍‌ ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ ପ୍ରମୁଖ ଯୋଗ ଦେଇଛନ୍ତି ।