ଓଡିଆନ୍ ନ୍ୟୁଜ

172

ଇରାନ-ଇରାକ ସୀମାରେ ଭୂମିକମ୍ପ: ୩୨୮ ମୃତ, ୨୫୦୦ ଆହତ

Team Odian News |

ଇରାନ-ଇରାକ ସୀମାରେ ଭୂମିକମ୍ପ: ୩୨୮ ମୃତ, ୨୫୦୦ ଆହତ
ନୂଆଦିଲ୍ଲୀ,୧୩/୧୧( ଓଡ଼ିଆନ୍‍ ନ୍ୟୁଜ୍‍): ଇରାନ -ଇରାକ ସୀମାବର୍ତ୍ତୀ ପାର୍ବତ୍ୟାଞ୍ଚଳରେ ଭୂମିକମ୍ପ ଘଟି ୩୨୮ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସିବା ଜାରି ରହିଥିବାରୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି । ରବିବାର ରାତିରେ ୭.୩ ତୀବ୍ରତାର ଏହି ଭୂମିକମ୍ପ ଘଟିଥିଲା ବୋଲି ସୂଚନା ମିଳିଛି । ଭୂମିକମ୍ପର ନିମିଷକ ମଧ୍ୟରେ ଉତ୍ତର ଇରାକର ସୁଲାଇମାନିୟା, ଦାରବାଣ୍ଡିଖାନ ଭଳି ସହରର ଅନେକ ବଡ଼ ବଡ଼ ଅଟ୍ଟାଳିକା ଓ ଘର ଭୁଶୁଡ଼ି ମାଟିରେ ମିଶିଯାଇଥିଲା । ଇରାକ କୁର୍ଦିସ୍ତାନରୁ ୩୦ କିମି ଦୂର ଦକ୍ଷିଣପଶ୍ଚିମ ହାଲାବଜା ଏହାର କେନ୍ଦ୍ରସ୍ଥଳି ହୋଇଥିଲାବେଳେ ରାତି ୯ଟା ୨୦ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରାତିରେ ଲୋକେ ଘରେ ଥିବା ସମୟରେ ଏହି ଭୂମିକମ୍ପ ଘଟିବାରୁ ଲୋକଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡିଥିଲା ବୋଲି ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣ ବିଭାଗ ପକ୍ଷରୁ କୁହାଯାଇଛି । ଇରାନର ବିଭିନ୍ନ ସ୍ଥାନରେ ମାଟି ଅତଡ଼ା ଖସି ରାସ୍ତା ବନ୍ଦ ହୋଇଯାଇଥିବାରୁ ଉଦ୍ଧାର କାର୍ୟ୍ୟ ବାଧାପ୍ରାପ୍ତ ହୋଇଛି ବୋଲି ଜରୁରୀକାଳୀନ ସେବା ମୁଖ୍ୟ ପିର ହୋସେନ କୁଲିଭାଣ୍ଡ କହିଛନ୍ତି । ବିଶ୍ୱର ଅନେକ ଦେଶ ଏନେଇ ଦୁଃଖ ପ୍ରକାଶ କରିଛନ୍ତି । ଆସିଆନ୍‌ ସମ୍ମିଳନୀ ପାଇଁ ଫିଲିପାଇନ୍ସ ଗସ୍ତରେ ଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ତୁର୍କି ପକ୍ଷରୁ ଇରାକକୁ ରିଲିଫ ସାମଗ୍ରୀ ପଠାଯାଇଛି । ସେହିପରି ପାକିସ୍ତାନ ସରକାର ଭୂମିକମ୍ପରେ ମୃତ ଲୋକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି ।