ଲଗାଣ ବର୍ଷା, ଉଜୁଡିଲା ଚାଷ; ଯୁବଚାଷୀ କଲେ ଆତ୍ମହତ୍ୟା
ରାଜକନିକା,୧୭ା୧୧( ଓଡ଼ିଆନ୍ ନ୍ୟୁଜ୍ ): ରାଜକନିକା ବ୍ଲକ ଅଧିନସ୍ଥ ନମତରା ଗ୍ରାମର ଭାବଗ୍ରାହି ସୂତାର(୪୮) ନାମକ ଜଣେ ଯୁବ ଚାଷୀ ଗୁରୁବାରି ରାତିରେ ଘରେ ପ୍ୟାଂନ୍ରେ ଦଉଡିଦେଇ ଆତ୍ମହତ୍ୟା କରିବାର ଜଣାପଡ଼ିଛି । ତେବେ ଲଘୁଚାପ ଲଗାଣ ବର୍ଷା ଯୋଗୁ ତାଙ୍କର ଫସଲ ନଷ୍ଟ ହୋଇ ଯାଇଥିବାରୁ ରଣ ପରିଶୋଧ କରିବେ କିପରି ଏହି ମାନସିକ ଚିନ୍ତାରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସାନଭାଇ ସତ୍ୟବ୍ରତ ସୂତାର କଣ୍ଡିଆଫାଣ୍ଡିରେ ଅଭେିଯାଗ କରିଛନ୍ତି । ସେ ନିକଟସ୍ଥ ବ୍ୟାକଂ ଅଫ୍ ଇଣ୍ଡିଆ ଓ ଚରପଡା କୃଷି ସମବାୟ ସମିତିରୁ ଲକ୍ଷାଧିକ ଟଙ୍କା ରଣ ନେଇ ଧାନ ଓ ବିରି ଫସଲ କରିଥିଲେ । ତେବେ ଏହି ଘଟଣାରେ ପରିବାର ଲୋକେ ଦୁଃଖରେ ଭାଂଗିପଡିଛନ୍ତି । ଏ ସଂପର୍କରେ ସ୍ଥାନୀୟ ବ୍ୟାକଂ ଅଫ ଇଣ୍ଡିଆ କଣ୍ଡିଆ ଶାଖା ପରିଚାଳକଙ୍କ ସହିତ ଯୋଗାଯୋଗ କରିବାରୁ ସେ ବ୍ୟାଙ୍କରୁ ଚଳିତ ଆର୍ଥିକ ବର୍ଷରେ ୩୫ ହଜାର ଟକାଂ ରଣ ନେଇଥିବା କହିଛନ୍ତି । ସେହିପରି ଚରପଡା କୃଷି ସମବାୟ ସମିତିରୁ ୫୯ ହଜାର ଟଙ୍କା ରଣ ନେଇଥିବା ଜଣାପଡିଛି । ମୃତ ଯୁବ ଚାଷୀ ଭାବଗ୍ରାହୀ ଦୁଇ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କର ପତ୍ନୀ ଦେବକୀ ଏବଂ ୪ମାସର ଗୋଟିଏ ଶିଶୁ କନ୍ୟା ଥିବା ଜଣାପଡିଛି ।