ଓଡିଆନ୍ ନ୍ୟୁଜ

143

ମୁଡିଜ୍‌ କ୍ରେଡିଟ ରେଟିଂରେ ଭାରତର ସ୍ଥାନରେ ସୁଧାର

Team Odian News |

ମୁଡିଜ୍‌ କ୍ରେଡିଟ ରେଟିଂରେ ଭାରତର ସ୍ଥାନରେ ସୁଧାର
ନୂଆଦିଲ୍ଲୀ,୧୭ା୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ବିଭିନ୍ନ ଦେଶର ‘କ୍ରେଡିଟ ରେଟିଂ’ ବା ବିଶ୍ୱସନୀୟତା ନିର୍ଧାରଣ କରୁଥିବା ଆମେରିକୀୟ ସଂସ୍ଥା ମୁଡିଜ୍‌ ସାର୍ବଭୌମ୍ୟ ଦେଶ ରେଟିଂ ତାଲିକାରେ ସଂଶୋଧନ କରି ଭାରତର ରେଟିଂକୁ ବିଏଏ-୩ରୁ ବିଏଏ-୨ରେ ପରିବର୍ତ୍ତିତ କରିଛି । ଗତ କିଛି ବର୍ଷ ଧରି ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ସମସ୍ତ ସକରାତ୍ମକ ପଦକ୍ଷେପ ଯୋଗୁ ଭାରତର କ୍ରେଡିଟ ରେଟିଂରେ ସୁଧାର ଆସିଛି ବୋଲି ଆନ୍ତର୍ଜାତିକ କ୍ରେଡିଟ ରେଟିଂ ପ୍ରଦାନକାରୀ ସଂସ୍ଥା ମୁଡିଜ ପକ୍ଷରୁ କୁହାଯାଇଛି । ଏହାକୁ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଖୁସି ବ୍ୟକ୍ତ କରିବା ସହ ଗତ କିଛି ବର୍ଷ ମଧ୍ୟରେ ଆର୍ଥିକ ବ୍ୟବସ୍ଥାରେ ଅଣାଯାଇଥିବା ସଂସ୍କାରରୁ ଭାରତର ଆର୍ଥିକ ବ୍ୟବସ୍ଥା ସୁଦୃଢ ହୋଇଛି ଓ ଏହାର ସକରାତ୍ମକ ପ୍ରଭାବ ରେଟିଂରୁ ପରିଲକ୍ଷିତ ହୋଇଛି ବୋଲି କହିଛନ୍ତି । ପ୍ରତିବର୍ଷ ଭାରତରେ କୌଣସି ନା କୌଣସି ନିର୍ବାଚନ ହେଉଥିବାରୁ ଏହାକୁ କୌଣସି ନିର୍ବାଚନ ସହ ସଲଗ୍ନ କରି ନଦେଖିବାକୁ ଅରୁଣ ଜେଟଲୀ କହିଛନ୍ତି । ମୁଡିଜ ଦ୍ୱାରା କରାଯାଇଥିବା ଏହି ସଂସ୍କାର ଭାରତ ପାଇଁ ଏକ ବଡ଼ ସକରାତ୍ମକ ପଦକ୍ଷେପ । ଯେଉଁମାନଙ୍କ ଆକଳନ ଏ ବିଷୟରେ ବହୁ ଗଭୀରତା ଭିତ୍ତିକ ରହିଛି, ସେମାନ ରାଜନୈତୀକ ଟିପ୍ପଣୀ ନଦେବାକୁ ଜେଟଲୀ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଦୀର୍ଘ ୧୩ ବର୍ଷ ପରେ ଭାରତ କ୍ରେଡିଟ ରେଟିଂରେ ସୁଧାର ଆସିଛି । ଏହାପୂର୍ବରୁ ୨୦୦୪ରେ ଭାରତ କ୍ରେଡିଟ ରେଟିଂରେ ସୁଧାର ଆସିଥିଲା । ସେତେବେଳେ ମୁଡିଜୀ ଭାରତକୁ ବିଏଏ-୩ ରେଟିଂ ପ୍ରଦାନ କରିଥିଲା । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଭାରତର କ୍ରେଡିଟ ରେଟିଂର ସୁଧାରର ଶ୍ରେୟ ଦ୍ରବ୍ୟ ଏବଂ ସେବାକର (ଜିଏସ୍‌ଟି), ବିମୁଦ୍ରାୟନକୁ ପ୍ରଦାନ କରିଛନ୍ତି । ଏହାଦ୍ୱାରା ଭାରତୀୟ ଅର୍ଥନୀତି ଅଧିକ ଡିଜିଟାଲାଇଜ ହୋଇପାରିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ମୁଡିଜ କ୍ରେଡିଟ ରେଟିଂରେ ସୁଧାର ପ୍ରଭାବ ଭାରତର ଅଂଶଧନ ବଜାରରେ ପଡିଛି । ଆଜି କାରବାର ଆରମ୍ଭରୁ ସେନସେକ୍ସ ୪୧୪ ପଏଣ୍ଟ ବୃଦ୍ଧି ପାଇ ୩୩,୫୨୧ ପଏଣ୍ଟରେ ପହଞ୍ଚିଥିଲାବେଳେ ନିଫ୍ଟର କାରବାରରେ ବି ବୃଦ୍ଧି ଘଟିଛି ।