ଓଡିଆନ୍ ନ୍ୟୁଜ

175

ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ : ମୁସଲମାନ ନେତାଙ୍କୁ ଭେଟିଲେ ରବିଶଙ୍କର

Team Odian News |

ରାମ ଜନ୍ମଭୂମି-ବାବ୍ରି ମସଜିଦ ବିବାଦ : ମୁସଲମାନ ନେତାଙ୍କୁ ଭେଟିଲେ ରବିଶଙ୍କର
ଲକ୍ଷ୍ନୌ ,୧୭ା୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ବିବାଦୀୟ ରାମ ଜନ୍ମଭୂମି ଏବଂ ବାବ୍ରି ମସ୍‌ଜିଦ ବିବାଦର ସମାଧାନ ଉଦ୍ୟମ ସ୍ୱରୂପ ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ଶୁକ୍ରବାର ଏଠାରେ ମୁସଲମାନ ନେତାଙ୍କୁ ସାକ୍ଷାତ କରିଛନ୍ତି । ଆଲୋଚନା ମାଧ୍ୟମରେ ସମସ୍ତ ପ୍ରସଙ୍ଗର ସମାଧାନ ସମ୍ଭବ ବୋଲି ସେ କହିଛନ୍ତି । ଭାରତୀୟ ଫରଙ୍ଗି ମହଲ ଇସ୍‌ଲାମିକ କେନ୍ଦ୍ରର ମୌଲାନା ଖାଲିଦ ରଶିଦ ଫରଙ୍ଗିମହଲି ଏବଂ ସମ୍ପ୍ରଦାୟର ଅନ୍ୟ କେତେ ଜଣ ନେତାଙ୍କୁ ରବିଶଙ୍କର ଭେଟିଛନ୍ତି । ମୌଲାନା ଖାଲିଦ ସର୍ବଭାରତୀୟ ମୁସଲମାନ ବ୍ୟକ୍ତିଗତ ଆଇନ ବୋର୍ଡର ଜଣେ ବରିଷ୍ଠ ସଦସ୍ୟ ମଧ୍ୟ ଅଟନ୍ତି । ଏହି ସାକ୍ଷାତ ପରେ ରବିବଶଙ୍କର କହିଛନ୍ତି, ସେ ନ୍ୟାୟାଳୟଙ୍କୁ ସମ୍ମାନ ଦେଉଛନ୍ତି । ମାତ୍ର ନ୍ୟାୟାଳୟ ଲୋକଙ୍କ ହୃଦୟକୁ ଏକତ୍ର କରିପାରିବେ ନାହିଁ । ଏହି ଘଟଣାର ୧୦୦ ବର୍ଷ ପରେ ମଧ୍ୟ ନ୍ୟାୟାଳୟଙ୍କ ନ୍ୟାୟ ପ୍ରକାଶ ପଇବାକୁ ବାକି ଅଛି । କିନ୍ତୁ ଯଦି ଆମେ ଲୋକଙ୍କ ହୃଦୟ ଜିଣି ଆଲୋଚନା ମାଧ୍ୟମରେ ଏହାର କୌଣସି ସମାଧାନ ବାହାର କରିପାରିବା ତା’ହେଲେ ଏହା ନିଶ୍ଚିତ ଭାବେ ଯୁଗ ଯୁଗ ଧରି ସ୍ମରଣୀୟ ରହିବ । ତେବେ ଏଭଳି ଉଦ୍ୟମରେ ସଫଳତା ପାଇବାରେ ଡେରି ହୋଇପାରେ; କିନ୍ତୁ ଶୀଘ୍ର ମାମଲାର ସମାଧାନ ହେବା ଜରୁରୀ । ଏହାଦ୍ୱାରା ଆମେ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିପାରିବୁ । ଭାତୃତ୍ୱର ଏକ ନୂତନ ବାର୍ତ୍ତା ସମାଜକୁ ମିଳିବା ଉଚିତ ବୋଲି ରବିଶଙ୍କର କହିଛନ୍ତି । ତେବେ ଅଦାଲତରେ ଏହି ମାମଲାର ରାୟ ପ୍ରକାଶ ପାଇବା ପୂର୍ବରୁ ସମାଧାନ ଉଦ୍ୟମ କରାଯାଉଛି କି ବୋଲି ପ୍ରଶ୍ନ ହେବାରୁ ରବିଶଙ୍କର କହିଥିଲେ ଯେ, ଆମେ କୌଣସି କାର୍ୟ୍ୟସୂଚୀ ଉପରେ କାମ କରୁ ନାହୁଁ; ବରଂ ସମାଧାନର ବାଟ ବାହାର କରିବା ଦିଗରେ ଉଦ୍ୟମ ଚଳାଇଛୁ । ତେବେ ଏ ବିଷୟରେ ତରବର ହେବାର ଆବଶ୍ୟକତା ନାହିଁ । ଧର୍ମିକ ନେତାମାନେ ଆଗେଇ ଆସି ଆଲୋଚନା କରିବା ଦରକାର । ସେହିଭଳି ମୌଲାନା ଖାଲିଦ କହିଛନ୍ତି, ଉଭୟ ପକ୍ଷର ନେତା ଗୋଟିଏ ସ୍ଥାନରେ ଏକତ୍ର ବସି ଆଲୋଚନା କରିବା ଦ୍ୱାରା ମତାନ୍ତର ଦୂର କରିବା ସମ୍ଭବ ହେବ । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ରବିଶଙ୍କର ବୁଧବାର ଅଯୋଧ୍ୟାରେ ପହଞ୍ଚି ବିଭିନ୍ନ ଧାର୍ମିକ ନେତାଙ୍କ ସହିତ ସାକ୍ଷାତ କରିଥିଲେ ।