ଓଡିଆନ୍ ନ୍ୟୁଜ

175

କୋବିନ୍ଦଙ୍କ ଅରୁଣାଚଳ ଗସ୍ତକୁ ଚୀନର ବିରୋଧ

Team Odian News |

କୋବିନ୍ଦଙ୍କ ଅରୁଣାଚଳ ଗସ୍ତକୁ ଚୀନର ବିରୋଧ
ବେଜିଂ ,୨୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ଚୀନ ବିରୋଧ କରିଛି । ଦ୍ୱିପାକ୍ଷିକ ସଂପର୍କ ନିର୍ଣ୍ଣାୟକ ସ୍ଥିତିରେ ଥିବା ସମୟରେ ଭାରତ ସୀମା ବିବାଦକୁ ଜଟିଳ ନକରି ଏଥିରୁ ଦୂରେଇ ରହିବା ଆବଶ୍ୟକ ବୋଲି ଚୀନ ପକ୍ଷରୁ କୁହାଯାଇଛି । ଉଲ୍ଲେଖ ଯେ ରବିବାର ରାମନାଥ କୋବିନ୍ଦ ଅରୁଣାଚଳ ପ୍ରଦେଶ ଗସ୍ତରେ ଯାଇଥିଲେ । କୋବିନ୍ଦଙ୍କ ଅରୁଣାଚଳ ଗସ୍ତ ସଂପର୍କରେ ପଚରାଯିବାରୁ ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଲ୍ୟୁ କାଙ୍ଗ କହିଥିଲେ ଯେ ଚୀନ ସରକାର ଅରୁଣାଚଳ ପ୍ରଦେଶକୁ କେବେବି ଭାରତର ଅଂଶ ବୋଲି ସ୍ୱୀକୃତି ଦେଇନାହାନ୍ତି । ସୀମା ପ୍ରସଙ୍ଗରେ ଆମ ସ୍ଥିତି ସ୍ପଷ୍ଟ ରହିଛି । ଚୀନ ରୀତିମତ ଭାବେ ଭାରତୀୟ ଅଧିକାରୀଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଆସୁଛି । ଅପରପକ୍ଷରେ ଚୀନର ସମସ୍ତ ଆପତ୍ତିକୁ ଖଣ୍ଡନ କରି ଭାରତ ପକ୍ଷରୁ କୁହାଯାଇଛି ଯେ ଅରୁଣାଚଳ ପ୍ରଦେଶର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଦେଶର ଅନ୍ୟ କୋଣକୁ ଯାତ୍ରା କରିବା ପାଇଁ ଭାରତର ନେତାମାନେ ଯେପରି ସ୍ୱାଧୀନ ସେପରି ଅରୁଣାଚଳ ଗସ୍ତ ପାଇଁ ବି ସ୍ୱାଧୀନ । ଭାରତର ପ୍ରତିକ୍ରିୟା ଜାଣିବା ପରେ ଲ୍ୟୁ କହିଥିଲେ ଯେ ଦୁଇ ଦେଶ ଏକ ନିରପେକ୍ଷ ଏବଂ ଉଚିତ୍‌ ସମାଧାନର ବାଟରେ ପହଞ୍ଚିବାକୁ ଦୁଇ ଦେଶ ଆଲୋଚନା ପ୍ରୟାସରେ ଅଛନ୍ତି । ଏକ୍ଷେତ୍ରରେ ଭାରତ କାର୍ୟ୍ୟ କରିବ ଓ ସମାଧାନର ବାଟ ବାହାର କରିବା ନେଇ ଆମେ ଆଶା ରଖିଛୁ ବୋଲି ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର କହିଥିଲେ ।