ଓଡିଆନ୍ ନ୍ୟୁଜ

108

ସୁପ୍ରିମକୋର୍ଟରେ ଆବେଦନ ଖାରଜ , ବିବାଦୀୟ ଦୃଶ୍ୟ କଟିବନି

Team Odian News |

ସୁପ୍ରିମକୋର୍ଟରେ ଆବେଦନ ଖାରଜ , ବିବାଦୀୟ ଦୃଶ୍ୟ କଟିବନି
ନୂଆଦିଲ୍ଲୀ ,୨୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ‘ପଦ୍ମାବତୀ’ ଚଳଚ୍ଚିତ୍ରରେ ଥିବା ବିବାଦୀୟ ଦୃଶ୍ୟ ହଟେଇବାକୁ ନେଇ ହୋଇଥିବା ଆବେଦନ ସୋମବାର ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି । ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହାକୁ ଅପରିପକ୍ୱ ବୋଲି କହିଛନ୍ତି । ଚଳିତ ମାସ ଦ୍ୱିତୀୟ ଥର ପାଇଁ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ସେନ୍ସର ବୋର୍ଡ ପ୍ରଥମେ ଏହି ଫିଲ୍ମକୁ ଦେଖି ଏହାର ମତ ରଖୁ ବୋଲି ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କୁହାଯାଇଛି । ଫିଲ୍ମ ଉପରେ ନିଷେଧାଜ୍ଞା ଜାରି କରିବାକୁ ଜଣେ ଓକିଲ ଏମ୍‌ଏଲ ଶର୍ମା ଆବେଦନ କରିଥିଲେ । ସେ ଦର୍ଶାଇଥିଲେ ଯେ ସେନ୍ସର ବୋର୍ଡ ଫିଲ୍ମକୁ ସାର୍ଟିଫିକେଟ ଦେଇ ନ ଥିବାବେଳେ ଏହାର ରିଲିଜ୍‌ ହୋଇଥିବା ଗୀତ ରାଣୀ ପଦ୍ମିନୀଙ୍କ ଚରିତ୍ର ସଂହାର କରିବା ପରି ହୋଇଛି । ଏହାପୂର୍ବରୁ ୧୦ ନଭେମ୍ବରରେ ବି ଏପରି ଏକ ଆବେଦନ କରାଯାଇଥିଲା । ସୂଚନାଯୋଗ୍ୟ, ୨୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ‘ପଦ୍ମାବତୀ’ ଏକ ମହାକାବ୍ୟ ଉପରେ ଆଧାରିତ । ରାଣୀ ପଦ୍ମିନୀଙ୍କ ସୌନ୍ଦର୍ୟ୍ୟରେ ବିମୋହିତ ହୋଇଯାଇଥିଲେ ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଦିନ୍‌ ଖିଲଜୀ । ସେ ତାଙ୍କୁ ପାଇବା ପାଇଁ ଯୁଦ୍ଧରେ ତାଙ୍କ ପତିଙ୍କୁ ହତ୍ୟା କରିଥିଲେ । ରାଣୀ ପଦ୍ମିନୀ ନିଜ ସମ୍ମାନ ରକ୍ଷା କରିବାକୁ ନିଆଁରେ ଝାସ ଦେଇଥିଲେ ବୋଲି କାବ୍ୟରେ ଉଲ୍ଲେଖ ହୋଇଛି; କିନ୍ତୁ ଫିଲ୍ମରେ ପଦ୍ମାବତୀ-ଆଲ୍ଲାଉଦ୍ଦିନ ଖିଲଜୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ପ୍ରଦର୍ଶନ କରାଯାଇଛି ବୋଲି କର୍ଣ୍ଣି ସେନା ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହାକୁ ତରବରିଆ ଭାବେ ସମୀକ୍ଷା କରି ସାର୍ଟିଫିକେଟ୍‌ ଦେବାକୁ ସେନ୍ସର ବୋର୍ଡ଼ ସୋମବାର ମନା କରିଦେଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ପ୍ରଯୋଜକ ଭାୟାକମ୍‌ ୧୮ ମୋଶନ୍‌ ପିକଚର୍ସ ଅନିର୍ଦ୍ଦିଷ୍ଟ କାଳ ପର୍ୟ୍ୟନ୍ତ ଫିଲ୍ମର ରିଲିଜକୁ ଘୁଞ୍ଚେଇ ଦେବାକୁ ଘୋଷଣା କରିଥିଲେ । ଏହାସହିତ ଫିଲ୍ମର ନିର୍ଦେଶକ ସଞ୍ଜୟ ଲୀଳା ବଂଶାଲୀ ଓ ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ବାରମ୍ବାର ଧମକ ମିଳୁଥିବାରୁ ସେମାନଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି । ସେମାନଙ୍କୁ ଧମକ ଦେବା ଲୋକଙ୍କ ଭିତରେ ହରିୟାଣାର ବିଜେପି ନେତା ସୂରଯ ପାଲ ଅଛନ୍ତି । ଦୀପିକା ଓ ବଂଶାଲୀଙ୍କ ମୁଣ୍ଡକାଟ କଲେ ୧୦ କୋଟି ଟଙ୍କା ପୁରସ୍କାର ବାବଦରେ ଦିଆଯିବ ବୋଲି ଗତକାଲି ସେ ଘୋଷଣା କରିଥିଲେ । ସେ କାହିଁକି ଏପରି ମନ୍ତବ୍ୟ ଦେଇଛନ୍ତି ତା’ର ଜବାବ ରଖିବାକୁ ଆଜି ତାଙ୍କୁ ଦଳ ପକ୍ଷରୁ ପଚରା ଯାଇଛି । ବିଜେପି ଶାସିତ ରାଜ୍ୟମାନଙ୍କ ପରେ ଏବେ କଂଗ୍ରେସ ବି ଏହି ବିବାଦରୁ ଫାଇଦା ଉଠାଇବାକୁ ଚାହୁଁଛି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂହ ‘ପଦ୍ମାବତୀ’ ଉପରେ ନିଷେଧାଜ୍ଞା ଜାରି କରିବାକୁ ଦାବି କରିଛନ୍ତି । ଇତିହାସକୁ ବିକୃତ କରିବାର ଅଧିକାର କାହାର ନାହିଁ । ଯେଉଁମାନେ ଏହା ବିରୋଧରେ ବିରୋଧ କରୁଛନ୍ତି ସେମାନେ ଠିକ୍‌ କରୁଛନ୍ତି ବୋଲି ସେ ପ୍ରଦର୍ଶନକାରୀଙ୍କ ସମର୍ଥନରେ କହିଛନ୍ତି ।