ଓଡିଆନ୍ ନ୍ୟୁଜ

172

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଭାରତରେ ସର୍ବାଧିକ : ରିପୋର୍ଟ

Team Odian News |

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ଭାରତରେ ସର୍ବାଧିକ : ରିପୋର୍ଟ
ନୂଆଦିଲ୍ଲୀ ,୨୧/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ):ପ୍ରତିବର୍ଷ ବିଶ୍ୱର ବିଭିନ୍ନ ଦେଶରେ ହେଉଥିବା ସଡ଼କ ଦୁର୍ଘଟଣା ମଧ୍ୟରେ ଭାରତରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥାଏ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଆନ୍ତର୍ଜାତିକ ସଡ଼କ ସଂଗଠନ (ଆଇଆରଏଫ) ରିପୋର୍ଟ ଅନୁସାରେ ବିଶ୍ୱରେ ୧୨.୫ ଲକ୍ଷ ଲୋକଙ୍କ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥାଏ । ଏହା ମଧ୍ୟରେ ଭାରତରେ କେବେଳ ୧୦%ରୁ ଅଧିକ ଲୋକେ ପ୍ରାଣ ହରାଇଥାନ୍ତି । ଜେନେଭାସ୍ଥିତ ଆଇଆରଏଫ ଅଧ୍ୟକ୍ଷ କପିଳାଙ୍କ ସୂଚନା ଅନୁଯାୟୀ ଭାରତରେ ୨୦୧୬ରେ ୧୫୦୭୮୫ ଲୋକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ଏହା ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ସର୍ବାଧିକ ମାନବ ସମ୍ବଳର କ୍ଷତି । ସଡ଼କ ଦୁର୍ଘଟଣାକୁ ରୋକିବା ସହ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଉଦେ୍ଦଶ୍ୟରେ ପ୍ରତିବର୍ଷ ନଭେମ୍ବର ମାସର ତୃତୀୟ ସପ୍ତାହରେ ପାଳନ ହେଉଥିବା ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଇଆରଏଫ ଅଧ୍ୟକ୍ଷ କପିଳା ଏହି ରିପୋର୍ଟ ପ୍ରକାଶ କରିଛନ୍ତି । ୧୯୯୩ ମସିହାରୁ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ଏବଂ ମୃତ୍ୟୁ ମୁହଁରୁ ଫେରି ଆସିଥିବା ଲୋକଙ୍କ ଦ୍ୱାରା ବ୍ୟାପକସ୍ତରରେ ସଡ଼କ ସୁରକ୍ଷା ସପ୍ତାହ ପାଳନ ଆରମ୍ଭ ହୋଇଥିଲା । ୨୦୦୫ ମସିହାରେ ମିଳିତ ଜାତିସଂଘ ଏହାକୁ ମାନ୍ୟତା ପ୍ରଦାନ କରିଥିଲା । କପିଳା ସଡ଼କ ଦୁର୍ଘଟଣାରେ ହେଉଥିବା କ୍ଷୟକ୍ଷତିର ରିପୋର୍ଟ ବିଷୟରେ ତଥ୍ୟ ଦେଇ କହିଥିଲେ ଯେ ବିଶ୍ୱର ମୋଟ ଯାନବାହାନର ୩% ଅଂଶ ଭାରତରେ ରହିଛି । ମାତ୍ର ସଡ଼କ ଦୁର୍ଘଟଣା ଏବଂ ଏଥିରେ ପ୍ରାଣ ହରାଉଥିବା ଲୋକଙ୍କ କ୍ଷେତ୍ରରେ ଭାରତର ଅଂଶ ୧୨.୬% ରହିଛି । ସରକାରଙ୍କ ସହ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ସଡ଼କ ସପ୍ତାହ ପାଳନ କରାଯାଉଛି ବୋଲି ସେ ସୂଚନା ଦେଇଥିଲେ । ଅପରପକ୍ଷରେ ସଂଯୁକ୍ତ ଜାତିସଂଘ ୨୦୨୦ ମଧ୍ୟରେ ସଡ଼କ ଦୁର୍ଘଟଣାକୁ ୫୦% ହ୍ରାସ କରିବାକୁ ଲକ୍ଷ୍ୟ ରଖିଛି । ପ୍ରତିବର୍ଷ ଭାରତରେ ସଡ଼କ ଦୁର୍ଘଟଣାରେ ମାନବ ସମ୍ବଳ ସହ ବହୁ ପରିମାଣର ଆର୍ଥିକ କ୍ଷତି ଘଟିଥାଏ । ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ହେଉଥିବା ଖର୍ଚ୍ଚରେ ପୀଡ଼ିତର ପରିବାର ବହୁଳମାତ୍ରାରେ ପ୍ରଭାବିତ ହୋଇଥାନ୍ତି ବୋଲି ଏହି ରପୋର୍ଟରେ ଉଲ୍ଲେଖ କରାଯାଇଛି ।