ଓଡିଆନ୍ ନ୍ୟୁଜ

186

ଶାଢିରେ ରାମାୟଣ: ବୁଣାକାରଙ୍କୁ ଡକ୍ଟରେଟ

Team Odian News |

ଶାଢିରେ ରାମାୟଣ: ବୁଣାକାରଙ୍କୁ ଡକ୍ଟରେଟ
କୋଲକାତା ,୨୩/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ) :୬ ଗଜ ଶାଢିରେ ସାତଖଣ୍ଡ ରାମାୟଣ ଚିତ୍ରିତ କରିଥିବା ବୁଣାକାର ବିରେନ କୁମାର ବସକଙ୍କୁ ଇଂଲଣ୍ଡ ବିଶ୍ୱ ରେକର୍ଡସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍‌ ପ୍ରଦାନ କରାଯାଇଛି । ବିଶ୍ୱର ବିଭିନ୍ନ ରେକର୍ଡ ବହିର ସମାହାରରେ ପ୍ରତିଷ୍ଠିତ ଏହି ସ୍ୱୟଂଚାଳିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗତ ସପ୍ତାହରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ କାର୍ୟ୍ୟକ୍ରମରେ ବିରେନଙ୍କୁ ସମ୍ମାନିତ କରାଯାଇଥିଲା । ପଶ୍ଚିବଙ୍ଗର ନଦିଆ ଜିଲା ଅନ୍ତର୍ଗତ ଫୁଲିଆ ନିବାସୀ ବିରେନ୍‌ ପ୍ରାୟ ୨୦ ବର୍ଷ ପୂର୍ବେ ଶାଢିରେ ରାମାୟଣ ଲିପିବଦ୍ଧ କରି ଚର୍ଚ୍ଚିତ ହୋଇଥିଲେ । ଏହି ଶାଢିକୁ ତାଙ୍କର ସର୍ବୋତ୍ତମ କଳାକୃତି ଭାବେ ବିରେନ ଅଭିହିତ କରିଛନ୍ତି । ଏ ନେଇ ଏକ ବର୍ଷ ଧରି ଯୋଜନା ପ୍ରସ୍ତୁତ କରିଥିଲେ ସେ । ଶାଢିଟିକୁ ବୁଣିବାକୁ ଦୁଇ ବର୍ଷ ସମୟ ଲାଗି ଯାଇଥିଲା । ଗତବର୍ଷ ମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତରେ ଯାଇଥିବା ବେଳେ ଅନ୍ୟ ଶାଢି ସହିତ ଏହାକୁ ସେଠାରେ ପ୍ରଦର୍ଶନ କରାଯାଇଥିଲା ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହି ଶାଢି ପାଇଁ ପୁରସ୍କୃତ ହେବା ବିରେନଙ୍କ ପାଇଁ କିଛି ନୂଆ କଥା ନୁହେଁ । ଏଥିପାଇଁ ପୂର୍ବରୁ ତାଙ୍କୁ ଜାତୀୟ ପୁରସ୍କାର, ଜାତୀୟ ମେରିଟ୍‌ ପ୍ରମାଣପତ୍ର ପୁରସ୍କାର ଓ ସନ୍ଥ କବିର ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହ ଏହି ଶାଢି ଲିମ୍‌କା ବୁକ, ଭାରତୀୟ ବୁକ୍‌ ଏବଂ ବିଶ୍ୱ ସ୍ୱତନ୍ତ୍ର ରେକର୍ଡରେ ସ୍ଥାନ ପାଇଛି । ଏ ବିଷୟରେ ଅବଗତ ହେବା ପରେ ଏହି ଶାଢି ଉପରେ ଏକ ସନ୍ଦର୍ଭ ପ୍ରସ୍ତୁତ କରିବାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଥିଲା । ବିରେନଙ୍କ ପୁତ୍ର ଅଭିନବ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ । ତାହାକୁ ଇଂରାଜୀରେ ଅନୁବାଦ କରିବାରେ ଫୁଲିଆ ସ୍କୁଲର ଶିକ୍ଷକ ଆନନ୍ଦ ମୋଡକ ତାଙ୍କୁ ସହଯୋଗ କରିଥିଲେ । ବର୍ତ୍ତମାନ ଶାଢିଟିର ଚମକ ହ୍ରାସ ପାଉଥିବା ବେଳେ ଏହାକୁ ସଂରକ୍ଷିତ ରଖିବାକୁ ଉଦ୍ୟମ କରାଯାଉଛି । ଏଥିରେ ବଙ୍ଗଳା ଭାଷାରେ ରାମାୟଣ ଲିପିବଦ୍ଧ ହୋଇଛି । ଫୁଲିଆର ବଙ୍ଗଳା କବି କୀର୍ତ୍ତିବାସ ଓଝା ଏହାକୁ ଅନୁବାଦ କରିଥିଲେ । ୨୦୦୪ରେ ଏହାକୁ ୮ ଲକ୍ଷ ଟଙ୍କାରେ କ୍ରୟ କରିବା ଲାଗି ମୁମ୍ବଇର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉଦ୍ୟମ କରିଥିଲା । ମାତ୍ର ବିରେନ୍‌ ଏଥିରେ ରାଜି ହୋଇ ନ ଥିଲେ । ବିରେନ୍‌ ଏବେ ଆଉ ଏକ ବିଶେଷ ଶାଢି ପ୍ରସ୍ତୁତ କରିବାର ଯୋଜନାରେ ଅଛନ୍ତି । ରବିନ୍ଦ୍ର ନାଥ ଠାକୁରଙ୍କ ବାଲ୍ୟ ଜୀବନୀକୁ ନେଇ ପ୍ରସ୍ତୁତ ହେବ ଏହି ଶାଢିି । ଏ ନେଇ ବିରେନ୍‌ ଇତିମଧ୍ୟରେ ଠାକୁରଙ୍କ ବାଲ୍ୟଜୀବନୀ ସମ୍ବନ୍ଧୀୟ ତଥ୍ୟ ଏବଂ ଫଟୋ ସଂଗ୍ରହ କରୁଛନ୍ତି । ଏହାପୂର୍ବରୁ ସେ ଗ୍ରାମାଞ୍ଚଳର ବାଳିକାମାନଙ୍କ ପାଇଁ ରାଜ୍ୟ ସରକାରଙ୍କ କନ୍ୟାଶ୍ରୀ ଯୋଜନାକୁ ନେଇ ଏକ ଶାଢି ପ୍ରସ୍ତୁତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁୁ ଏହା ଉପହାର ସ୍ୱରୂପ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।