ଓଡିଆନ୍ ନ୍ୟୁଜ

133

ରାଜକନିକା:ଜନ ଗର୍ଜନ ସମାବେଶରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

Team Odian News |

 ରାଜକନିକା:ଜନ ଗର୍ଜନ ସମାବେଶରେ କଂଗ୍ରେସର ଶକ୍ତି ପ୍ରଦର୍ଶନ
ରାଜକନିକା,୨୩ା୧୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଜନଗର୍ଜନ ସମାବେଶରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ ଜାହିର କରିଛି  । ଏହା ସହିତ ପୁଲିସ ପ୍ରଶାସନର ୧୪୪ ଧାରା ଜାରି ସହିତ ବିଭିନ୍ନ ସ୍ଥାନରେ ପୁଲିସର ପ୍ଲାର୍ଗ ମାର୍ଚ୍ଚ କର୍ମୀମାନଙ୍କ ଉତ୍ସାହ ଏବଂ ସଭାରେ ଯୋଗ ଦେବା ଉପରେ କୌଣସି ପ୍ରଭାବ ପଡ଼ିପାରିନଥିଲା । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏହି ବିରାଟ ଜନଗର୍ଜନ ସମାବେଶ ଆଜି ସଫଳ ହୋଇଛି  । ପ୍ରାୟ ପାଞ୍ଚ ହଜାର କଂଗ୍ରେସ କର୍ମୀ ଏହି ସମାବେଶରେ ସାମିଲ ହୋଇଛନ୍ତି  ।  ଏହା ସହିତ ଶାସକ ଦଳ ପକ୍ଷରୁ ଆଳି ବିଧାୟକଙ୍କୁ ବିରୋଧ କରି ପୋଷ୍ଟର ବ୍ୟାନର କିଛି କାମ କରିନଥିବାର ଜଣାପଡ଼ିଛି  । ଦିନ ପ୍ରାୟ ୧୧ଟାରୁ ଆଳିରୁ ଅତିଥି ମାନଙ୍କୁ ପାଛୋଟି ଆଣିବା ପାଇଁ ଦୁଇ ହଜାରରୁ ଅଧିକ ମଟର ସାଇକେଲ ଶୋଭାଯାତ୍ରାରେ ସାମିଲ ହୋଇ ବିଧାୟକ ଦେବେନ୍ଦ୍ର ଶର୍ମା ନିଜର ପତିଆରାକୁ ଜାହିର କରିଥିଲେ  । ବିଧାୟକ ଶ୍ରୀଶର୍ମା ନିଜେ ମଟରସାଇକେଲରେ ବସି ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ  । କଂଗ୍ରେସ ଶୋଭାଯାତ୍ରା ପାଇଁ କଟକ-ଚାନ୍ଦବାଲି ରାସ୍ତା ଏକ ଘଣ୍ଟା ଧରି ଜାମ ରହିଥିବା  । ପୁଲିସ ବିଭିନ ସ୍ଥାନରେ ରହି ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥିଲା  । ଏସ୍‍ଏନ୍‍ କଲେଜ ପଡ଼ିଆରେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜନଗର୍ଜନ ସମାବେଶରେ ମୁଖ୍ୟ ଅତିଥିଭାବେ  ବିରୋଧୀ ଦଳର ନେତା ନରସିଂହ ମିଶ୍ର ଯୋଗଦେଇ  କହିଥିଲେଯେ, ଏହି ଜନଗର୍ଜନ କେବଳ କଟକ ଭୁବନେଶ୍ୱର ନୁହେଁ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିବ  । ଆମେ ଶାନ୍ତି ଚାହୁଁ, ଆମେ କ୍ରାନ୍ତି ଚାହୁଁ  ।  ଆମେ ମୁକ୍ତି ଚାହୁଁ  । ଦୁର୍ନୀତିରୁ ଆମେ ମୁକ୍ତି ଚାହୁଁ ଅନ୍ୟାୟ ଓ ଅଚ୍ୟାଚାରରୁ  ଆମେ ମୁକ୍ତି ଚାହୁଁ, ଶୋଷଣରୁ ମୁକ୍ତି  ।  ତେବେ ଅଶାନ୍ତିର ବାତାବରଣ ପାଇଁ ଆମେ ବାଧ୍ୟ ହେବୁ  । ଏ ଆରମ୍ଭ ମାତ୍ର, ଆଗାମୀ ଦିନରେ ଏହା ଉଗ୍ରରୂପ ଧାରଣ କରିବ ବୋଲି କହିଥିଲେ । ଏହା ସହିତ ଶ୍ରୀମିଶ୍ର ସମସ୍ତଙ୍କୁ ଅତ୍ୟାଚାରରୁ ମୁକ୍ତି ସହିତ ଶାନ୍ତି ପାଇଁ ଶପଥ ପାଠ କରାଇଥିଲେ  । ଏହି ଜନଗର୍ଜନ ସମାବେଶରେ ବିରୋଧୀଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଯୋଗଦେଇ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ରାଜକନିକା ଥାନା ଅଧିକାରୀଙ୍କୁ ଦଶ ଦିନ ମଧ୍ୟ ବଦଳି ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କଂଗ୍ରେସ ବିଧାୟକଦଳ ପକ୍ଷରୁ ଡ଼ିଜିଙ୍କ ଅଫିସ୍‍ରେ ଆନ୍ଦୋଳନ କରିବୁ ବୋଲି କହିଥିଲେ  । ଶ୍ରୀବାହିନୀପତି ନାଟକୀୟ ଢ଼ଙ୍ଗରେ ନିଜର ବକ୍ତବ୍ୟ ପ୍ରଦାନ କରି କର୍ମୀମାନଙ୍କ ମଧ୍ୟରେ ହାସ୍ୟରୋଳ ସୃଷ୍ଠି କରିଥିଲେ  ।  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଅଂଶୁମାନ ମହାନ୍ତି, ଆଇନ୍‍ଜୀବୀ ତଥା କଂଗ୍ରେସର ନେତା ଧରଣୀଧର ନାୟକ ଏବଂ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ପ୍ରମୁଖ ଯୋଗଦେଇ ରାଜକନିକା ଥାନା ଅଧିକାରୀଙ୍କୁ ତୀବ୍ର ସମାଲୋଚନା କରିଥିଲେ  । ଏହା ସହିତ ଆଳି ଏବଂ କନିକା ଅଞ୍ଚଳରେ ହେଉଥିବା ଅନ୍ୟାୟ ଅତ୍ୟାଚାର ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ  । ରାଜକନିକା ବ୍ଲକ୍‍ ସଭାପତି ବାବୁରାମ ଜେନା, ଆଳି ବ୍ଲକ୍‍ ସଭାପତି ପର୍ଶୁରାମ ରାଉତରାୟ, ପୂର୍ବତନ ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ପରିଡ଼ା, ଉପସଭାପତି ବିକ୍ରମ ଦାସ, ସଂପାଦକ ପ୍ରଫୁଲ୍ଲ ଦାସ, ସମିତି ସଭ୍ୟ ଯୁବନେତା ମଙ୍ଗୁଳି ଚରଣ ବେହେରା ଏବଂ ସରପଞ୍ଚ କୈଳାସ ଚନ୍ଦ୍ର ତରାଇ ପ୍ରମୁଖ ଥାନାରେ ହେଉଥିବା ଅନ୍ୟାୟକୁ ପ୍ରତିବାଦ କରିଥିଲେ ଏବଂ କନିକାପ୍ରଜା ଆନ୍ଦୋଳନର ପୁନରାବୃତ୍ତି ହେବା ନେଇ ପ୍ରଶାସନକୁ ଚେତାବନୀ ଦେଇଥିଲେ  । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମଲ୍ଲିକ, ପୂର୍ବତନ ଜିଲାପରିଷଦ ସଭ୍ୟ ଇଂ ପ୍ରଶାନ୍ତ ବିଶ୍ୱାଳ, କଂଗ୍ରେସ ନେତା ରାମଚନ୍ଦ୍ର ଦାଶ ଏବଂ କଂଗ୍ରେସ ମିଡ଼ିଆ ସେଲର ସମ୍ବିତ ଶ୍ରୀଚନ୍ଦନ ପ୍ରମୁଖ ମଞ୍ଚାସୀନ ରହିଥିଲେ  । ଏହି ଅବସରରେ ଅବଦୁଲପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସମିତି ସଭ୍ୟ କଂଗ୍ରେସରେ ଯୋଗଦେଇଥିଲେ  । ଆଳି ବିଧାୟକଶ୍ରୀଶର୍ମା ନିଜ ବକ୍ତବ୍ୟରେ ରାଜକନିକା କୋଠସାହି ଗ୍ରାମରେ ଜଣେ ତିନି ବର୍ଷର ଦୁଷ୍କର୍ମର ଶୀକାର ହୋଇଥିବା ଝିଅକୁ ନିଜ କୋଳରେ ଧରି ତାର ଅଭିଯୁକ୍ତଙ୍କୁ ପୁଲିସ ଧରିବାରେ ବିଫଳ ଥିବାବେଳେ ପୁଲିସ ଶାସକ ଦଳର ମୁଖ୍ୟ ଭାବେ କାର୍ଯ୍ୟକରୁଥିବାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  । କଂଗ୍ରେସର ଏହି ଜନଗର୍ଜନ ସମାବେଶ ପାଇଁ ଜିଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  ।