ଓଡିଆନ୍ ନ୍ୟୁଜ

181

ଇଜିପ୍ଟ ମସ୍‌ଜିଦ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩୫ ମୃତ

Team Odian News |

ଇଜିପ୍ଟ ମସ୍‌ଜିଦ ଉପରେ ଆତଙ୍କବାଦୀ ଆକ୍ରମଣ, ୨୩୫ ମୃତ
କାଇରୋ,୨୫/୧୧(ଓଡ଼ିଆନ୍‍ ନ୍ୟୁଜ୍‍ ଟିମ୍‍): ଇଜିପ୍ଟର ଉତ୍ତର ସିନାଇ ପ୍ରଦେଶର ଏକ ମସଜିଦରେ ଶୁକ୍ରବାର ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୨୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ମେନା ଷ୍ଟେଟ୍‌ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ମସ୍‌ଜିଦ ଭିତରେ ବିସ୍ଫୋରଣ କରିବା ସହ ଗୁଳିମାଡ କରିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସାପ୍ତାହିକ ପ୍ରାର୍ଥନା ପାଇଁ ମସଜିଦରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିବାବେଳେ ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇଥିଲେ । ମସଜିଦ ଭିତରେ ବିସ୍ଫୋରଣ ହେବାରୁ ଶ୍ରଦ୍ଧାଳୁମାନେ ବାହାରକୁ ଦୌଡିଥିଲେ । ଏହି ସମୟରେ ବାହାରେ ଜଗି ରହିଥିବା ଆତଙ୍କବାଦୀମାନେ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଆରିସ ସହରର ପଶ୍ଚିମରେ ଥିବା ଅଲ୍‌ ରାଦା ମସଜିଦରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣ ପରେ ରାଷ୍ଟ୍ରପତି ଆବଦେଲ ଫତହ ଅଲ ସିସି ସୁରକ୍ଷା ଅଧିକାରୀଙ୍କ ଜରୁରୀ ବୈଠକ କରିଛନ୍ତି । ମସଜିଦରେ ପ୍ରାର୍ଥନା କରୁଥିବା ସୁରକ୍ଷା ବାହିନୀର ସମର୍ଥକଙ୍କୁ ନିଶାଣ କରି ଆତଙ୍କବାଦୀମାନେ ଏହି ଆକ୍ରମଣ ଘଟାଇଛନ୍ତି । ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀଙ୍କୁ ବିତାଡିତ କରିବା ପାଇଁ ସୁରକ୍ଷା ଏଜେନ୍ସି ପକ୍ଷରୁ ଅଭିଯାନ ଚାଲିଥିବାବେଳେ ଏପରି ଆକ୍ରମଣ ହୋଇଛି ।