ଓଡିଆନ୍ ନ୍ୟୁଜ

175

ପଦ୍ମାବତୀକୁ ବିରୋଧ କରି ଆତ୍ମହତ୍ୟା

Team Odian News |

ପଦ୍ମାବତୀକୁ ବିରୋଧ କରି ଆତ୍ମହତ୍ୟା
ଜୟପୁର ,୨୬/୧୧( ଓଡ଼ିଆନ୍‍ ନ୍ୟୁଜ୍‍ ) : ‘ପଦ୍ମାବତୀ’ ବିରୋଧୀ ବିକ୍ଷୋଭ ଦିନକୁ ଦିନ ଉଗ୍ର ରୂପ ଧାରଣ କରିବାରେ ଲାଗିଛି । ଏହି ଚଳଚ୍ଚିତ୍ରକୁ ବିରୋଧ ପ୍ରଦର୍ଶନ ପୂର୍ବକ ଜୟପୁରରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଠାକାର ନହରଗଡ଼ ଦୁର୍ଗ ନିକଟରେ ଶୁକ୍ରବାର ତାଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ନିକଟରେ ଥିବା ଚଟାଣରୁ ପୁଲିସ ଏକ ଚିଠି ପାଇଛି । ପଦ୍ମାବତୀ ଚଳଚ୍ଚିତ୍ରକୁ ବିରୋଧ କରି ସେ ଆତ୍ମହତ୍ୟା କରୁଛନ୍ତି ବୋଲି ସମ୍ପୃକ୍ତ ବ୍ୟକ୍ତି ଏହି ଚିଠିରେ ଲେଖିଥିବା କୁହାଯାଉଛି । ମୃତଦେହଟି ଭୂମିଠାରୁ ୨୦୦ ମିଟର ଉଚ୍ଚତାରେ ଝୁଲି ରହିଥିଲା । ଏହାକୁ ଦେଖିବା ପରେ ସମ୍ପୃକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ କହିଥିଲେ । ମାତ୍ର ପୋଲିସ ସେଠାରେ ପହଞ୍ଚି ଚିଠିଟିକୁ ଉଦ୍ଧାର କରିବା ପରେ ସତ୍ୟ ପଦାକୁ ଆସିଥିଲା । ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ପରେ ଏବେ ଦିଲ୍ଲୀ ହାଇକୋର୍ଟ ଏହି ଚଳଚ୍ଚିତ୍ର ବିରୋଧି ଆବେଦନକୁ ଖାରଜ କରିଦେଇଛନ୍ତି । ଅଖଣ୍ଡ ରାଷ୍ଟ୍ରବାଦୀ ଦଳ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ଗତ ୧୬ ତାରିଖରେ ଏକ ଆବେଦନ କରାଯାଇଥିଲା । ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ସେନସର ବୋର୍ଡର ସଦସ୍ୟ, ଜଣେ ସାମାଜିକ କର୍ମୀ ଏବଂ ୩ ଜଣ ଐତିହାସିକ ବିଶେଷଜ୍ଞଙ୍କୁ ନେଇ ଏକ କମିଟି ଗଠନ ଲାଗି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସିବିଏଫ୍‌ସି)କୁ ନିର୍ଦେଶ ଦେବାକୁ ଦଳ ପକ୍ଷରୁ ନିବେଦନ କରାଯାଇଥିଲା । ପଦ୍ମାବତୀ ମୁକ୍ତିଲାଭ କରିବା ପୂର୍ବରୁ ଏଥିରେ ରାଣୀ ପଦ୍ମାବତୀଙ୍କ ଚରିତ୍ରକୁ ଭୁଲ ଚିତ୍ରଣ କରାଯାଇଛି କି ନାହିଁ; ତାହା ଏହି କମିଟି ଦ୍ୱାରା ପୁଙ୍ଖାନୁପୁଙ୍ଖ ଅବଲୋକନ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା । ଏଭଳି ଆବେଦନ ହିନ୍ଦୀ ସିନେମା ବିରୋଧରେ ଲୋକଙ୍କୁ ଉସ୍‌କାଇବା ଭଳି ଆଚରଣ ବୋଲି ଦିଲ୍ଲୀ ହାଇକୋର୍ଟ ଦର୍ଶାଇଛନ୍ତି । ଏହାର କାର୍ୟ୍ୟନିର୍ବାହୀ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଏବଂ ବିଚାରପତି ସି. ହରି ଶଙ୍କରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । ପଦ୍ମାବତୀ ଚଳଚ୍ଚିତ୍ରର ସମସ୍ତ ସଦସ୍ୟଙ୍କ ବିରୋଧରେ ହୋଇଥିବା ଅନ୍ୟ ଏକ ମାମଲାକୁ ରାଜସ୍ଥାନର ଏକ କୋର୍ଟ ଗ୍ରହଣ କରିଛନ୍ତି । ଏଥିରେ ନିର୍ମାତା-ନିର୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ, ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଅଭିନେତା ରଣବୀର ସିଂ, ସାହିଦ କପୁର ଏବଂ ଅନ୍ୟମାନଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି । ଏହି ଆବେଦନ ଉପରେ ମାମଲା ରୁଜୁ ଲାଗି ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏହାକୁ ସିଧାସଳଖ ପୁଲିସ ନିକଟକୁ ନ ପଠାଇ ଆବେଦନକାରୀଙ୍କ ବୟାନ ରେକର୍ଡ କରିବାକୁ କହିଛନ୍ତି । ଅପରପକ୍ଷରେ ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନ ନିଷେଧ କରିବାକୁ କରନୀ ସେନା ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି ।