ଓଡିଆନ୍ ନ୍ୟୁଜ

112

ପଦ୍ମାବତୀ: ଭଁଶାଲୀଙ୍କ ସପକ୍ଷରେ ମୁହଁ ଖୋଲିଲେ ଆଡୱାଣୀ

Team Odian News |

ପଦ୍ମାବତୀ: ଭଁଶାଲୀଙ୍କ ସପକ୍ଷରେ ମୁହଁ ଖୋଲିଲେ ଆଡୱାଣୀ
ନୂଆଦିଲ୍ଲୀ,୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବିବାଦୀୟ ଚଳଚ୍ଚିତ୍ର ‘ପଦ୍ମବାତୀ’ ସମ୍ବନ୍ଧରେ ପଚରା ଉଚରା ଲାଗି ସଂସଦୀୟ କମିଟି ଚଳଚ୍ଚିତ୍ରର ନିର୍ମାତା-ନିର୍ଦେଶକ ସଞ୍ଜୟ ଲୀଲା ଭଂଶାଲୀଙ୍କୁ ସମନ ଜାରି କରିବା ଘଟଣାକୁ ବିଜେପିର ବର୍ଷୀୟାନ ନେତା ଲାଲ୍‌ କୃଷ୍ଣ ଆଡୱାଣୀ ନାପସନ୍ଦ କରିଛନ୍ତି । ସୂଚନା ଓ ପ୍ରସାରଣ ସମ୍ପନ୍ଧୀୟ ଏହି ସଂସଦୀୟ କମିଟିରେ ଆଡୱାଣୀ ନିଜେ ସଦସ୍ୟ ଅଛନ୍ତି । ଗୁରୁବାର କମିଟିର ଏକ ବୈଠକରେ ଭଁଶାଲୀ ଉପସ୍ଥିତ ହୋଇଥିଲେ । ଏଭଳି ଚଳଚ୍ଚିତ୍ର ନିର୍ମାଣ ଦ୍ୱାରା ଭଂଶାଲୀ ଇତିହାସକୁ ଧ୍ୱଂସ ଉଦ୍ୟମ କରିବା ସହ ସାଧାରଣ ଜନତାଙ୍କ ଭାବନାକୁ ଆଘାତ ଦେଇଛନ୍ତି ବୋଲି କମିଟି ଅଧ୍ୟକ୍ଷ ଅନୁରାଗ ଠାକୁର ଅଭିଯୋଗ ଆଣିଥିଲେ । ସିନେମାଟୋଗ୍ରାଫି ଆଇନ ଅନୁଯାୟୀ କୌଣସି ଚଳଚ୍ଚିତ୍ର ମୁକ୍ତିଲାଭ ପୂର୍ବରୁ ସେନ୍ସର ବୋର୍ଡ ଏ ବିଷୟରେ ନିଷ୍ପତ୍ତି କରିବାକୁ ୬୫ ଦିନ ସମୟ ନେଇଥାଏ; ମାତ୍ର ପଦ୍ମାବତୀ ଫିଲ୍ମ ଗତ ମାସ ୧୧ ତାରିଖରେ ସେନ୍‌ସର ବୋର୍ଡ ନିକଟକୁ ପଠାଯାଇଥିଲା । ଏଭଳି ସ୍ଥିତିରେ ଆସନ୍ତା ୧ ତାରିଖରେ ଫିଲ୍ମଟି ମୁକ୍ତିଲାଭ ନେଇ ସେ କିଭଳି ଚିନ୍ତା କରୁଛନ୍ତି ବୋଲି ଭଁଶାଲୀଙ୍କୁ ଠାକୁର ପ୍ରଶ୍ନ କରିଥିଲେ । ଏହି ସମୟରେ ଆଡଭାନୀ ହସ୍ତକ୍ଷେପ କରି କହିଥିଲେ, ଚଳଚ୍ଚିତ୍ର ବିଷୟରେ କମିଟି ନିକଟରେ ପର୍ୟ୍ୟାପ୍ତ ତଥ୍ୟ ରହିଛି । ଏଣୁ ଅନାବଶ୍ୟକ ପ୍ରସଙ୍ଗ ଉଠାଇବା ଅନୁଚିତ । ଭଁଶାଲୀଙ୍କୁ ଏଭଳି ପଚରା ଉଚୁରା କରାଯିବା, ବୈଠକ ତାଲିକାରେ ଅନ୍ତର୍ଭୁକ୍ତ ହୋଇନାହିଁ ବୋଲି ଠାକୁରଙ୍କୁ ଆଡୱାଣୀ ସ୍ମରଣ କରାଇଦେଇଥିଲେ । ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ପଦ୍ମାବତୀ ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିପାରିନାହିଁ । ତେବେ ସେନ୍‌ସର ବୋର୍ଡର ସ୍ୱୀକୃତି ମିଳିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଏହି ଚଳଚ୍ଚିତ୍ର ଦେଖାଇବା ନେଇ ଭଁଶାଲୀଙ୍କ ନିଷ୍ପତ୍ତି ଉପରେ ସେନସର ବୋର୍ଡ ଅଧ୍ୟକ୍ଷ ପ୍ରସୂନ ଜୋଶୀ କମିଟି ସମ୍ମୁଖରେ ଆପତ୍ତି ଉଠାଇଥିଲେ; ମାତ୍ର ଅଦ୍ୟାବଧି ଗଣମାଧ୍ୟମର ଦୁଇ ଜଣ ପ୍ରମୁଖ ବ୍ୟକ୍ତି ଏବଂ ତାଙ୍କର ୬ ଜଣ ସହଯୋଗୀ ଏହି ଚଳଚ୍ଚିତ୍ର ଦେଖିଥିବା ଭଁଶାଲୀ କମିଟିକୁ ଅବଗତ କରିଛନ୍ତି । ଜୋଶୀ କମିଟିକୁ କହିଛନ୍ତି, ଚଳଚ୍ଚିତ୍ରଟିକୁ ଦେଖି ତାହା ଉପରେ ରାୟ ଦେବା ନିମନ୍ତେ ଐତିହାସିକମାନଙ୍କର ଏକ ବୋର୍ଡ ଗଠନ କରାଯାଉଛି । ଏଥିନେଇ କିଛି ସମୟ ଲାଗିବ ।