ଓଡିଆନ୍ ନ୍ୟୁଜ

121

ଲଘୁଚାପ ଘନୀଭୂତ,୭ରୁ ବର୍ଷା

Team Odian News |

ଲଘୁଚାପ ଘନୀଭୂତ,୭ରୁ ବର୍ଷା
ଭୁବନେଶ୍ୱର,୬/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଛି। ଆସନ୍ତା ୧୨ଘଣ୍ଟା ଭିତରେ ଏହା ଅବପାତ ରୂପ ନେବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ତୀବ୍ର ଅବପାତରେ ପରିଣତ ହେବ। ଅବପାତ ପଶ୍ଚିମ- ଉତ୍ତର ପଶ୍ଚିମରେ ତାମିଲନାଡ଼ୁର ଉତ୍ତର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଅଭିମୁଖେ ଗତି କରିବ। ତେବେ ଅବପାତର ପ୍ରଭାବ ଓଡ଼ିଶା ଉପରେ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆସନ୍ତା ୭ତାରିଖରୁ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଥିବାବେଳେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ତାମିଲନାଡ଼ୁ ଉପକୂଳରେ ଆଉ ଏକ ଘୂର୍ଣ୍ଣିବଳୟ ରହିଛି। ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଅବପାତ ରୂପ ନେବା ପରେ ଲଘୁଚାପ ଆନ୍ଧ୍ର ଦେଇ ଓଡ଼ିଶା ମୁହାଁ ହେବାର ଆଶଙ୍କା କରାଯାଉଛି। ମାତ୍ର ଓଡ଼ିଶା ଉପକୂଳରେ ଲଘୁଚାପ ପ୍ରଭାବରେ ବତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ। କେବଳ ୭ରୁ ଓଡ଼ିଶା ଉପକୂଳରେ ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବାବେଳେ ୮ରେ ଆନ୍ଧ୍ର ପ୍ରଦେଶର ଉତ୍ତର ଉପକୂଳ ସହିତ ଉପକୂଳ ଓଡ଼ିଶାରେ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି। ୮ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, ପୁରୀ, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାବେଳେ ୯ରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବୌଦ୍ଧରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ସୂଚନା ମିଳିଛି।