ଓଡିଆନ୍ ନ୍ୟୁଜ

141

ମୁଁ ଫୁଟବଲ୍‌ର ଭଗବାନ ନୁହେଁ : ମାରାଡୋନା

Team Odian News |

ମୁଁ ଫୁଟବଲ୍‌ର ଭଗବାନ ନୁହେଁ : ମାରାଡୋନା
 କୋଲକାତା,୧୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ):ବିଶ୍ୱବ୍ୟାପୀ ଫୁଟବଲ୍‌ର ଭଗବାନ ଭାବେ ପରିଚିତ ଆର୍ଜେଣ୍ଟିନାର ତାରକା ଖେଳାଳି ଡିଏଗୋ ମାରାଡୋନା କୋଲକାତାରେ ପହଞ୍ଚିଛନ୍ତି । ସୋମବାର ମାରାଡୋନା ସ୍ଥାନୀୟ ଉତ୍ତର କୋଲକାତା କ୍ଲବରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଯୋଗ ଦେବା ଅବସରରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କହିଥିଲେ ସେ ଫୁଟବଲ୍‌ର ଭଗବାନ ନୁହନ୍ତି ବରଂ ଜଣେ ସାଧାରଣ ଫୁଟବଲ ଖେଳାଳି । କୋଲକାତାକୁ ପୁନର୍ବାର ଆସି ସେ ବହୁତ ଖୁସି ଅଛନ୍ତି । ଆକର୍ଷଣୀୟ ଦୁର୍ଗାପୂଜା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଏହି କ୍ଲବ ତରଫରୁ ମାରାଡୋନା ୧୧ଜଣ କ୍ୟାସନର ପୀଡ଼ିତଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିଲେ । ଏହାବାଦ୍‌ ସେ ନିଜର ୧୨ଫୁଟ୍‌ ଉଚ୍ଚର ଏକ ପ୍ରତିମାକୁ ଉନ୍ମୋଚିତ କରିଥିଲେ । ପ୍ରତିମାରେ ମାରୋଡୋନା ବିଶ୍ୱକପ୍‌ ହାତରେ ଧରିଛନ୍ତି । ଏଥିସହ ଏକ ପାର୍କକୁ ମାରାଡୋନାଙ୍କ ନାମରେ ନାମିତ କରାଯାଇଥିବା ଆୟୋଜକମାନେ ଘୋଷଣା କରିଥିଲେ । ଆୟୋଜକଙ୍କ ତରଫରୁ ମାରାଡୋନାଙ୍କୁ ଅଙ୍ଗବସ୍ତ୍ର ଓ ସୁନାର ବ୍ରାସଲେଟ୍‌ ପ୍ରଦାନ କରାଯାଇଥିଲା । ଗତ ସେପ୍ଟେମ୍ବର ୧୯ରେ ମାରାଡୋନା କୋଲକାତା ଆସିବାର କାର୍ୟ୍ୟକ୍ରମ ଥିଲା । ତେବେ ବିଭିନ୍ନ କାରଣରୁ ଏହା ବାରମ୍ବାର ବାତିଲ ହୋଇଥିଲା । ଚଳିତଥର କୋଲକାତା ଆସିଥିବା ମାରାଡୋନା ଓ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଦଳ ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍‌ ବାରାସାତ୍‌ରେ ଖେଳାଯିବ । ଏହି ମ୍ୟାଚ୍‌କୁ ‘ଡିଏଗୋ ବନାମ ଦାଦା’ ଭାବେ ନାମିତ କରାଯାଇଛି ।