ଓଡିଆନ୍ ନ୍ୟୁଜ

183

ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା,ଦାୟିତ୍ୱରେ ୬୭ ପ୍ଲାଟୁନ୍‌ ଫୋର୍ସ

Team Odian News |

ବାରବାଟୀ ଟି-୨୦ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା,ଦାୟିତ୍ୱରେ ୬୭ ପ୍ଲାଟୁନ୍‌ ଫୋର୍ସ
କଟକ,୧୯ା୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ବାରବାଟୀ ଷ୍ଟାଡିୟମରେ ଆସନ୍ତା ୨୦ତାରିଖରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ଟି୨୦ ପାଇଁ କମିଶନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଜିଠାରୁ ସମଗ୍ର ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ପୁଲିସ ହାତକୁ ନେଇଛି । ମଙ୍ଗଳବାର ଭାରତ ଓ ଶ୍ରୀଲଙ୍କା ଦଳ ଅଭ୍ୟାସ ପାଇଁ ବାରବାଟୀ ଆସିବେ । ଖେଳାଳିଙ୍କ ଯିବାଆସିବା ସହ ଅଭ୍ୟାସ ସମୟରେ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁଣି ବୁଧବାର ଖେଳାଯିବାକୁ ଥିବା ମ୍ୟାଚ ପାଇଁ ସମୁଦାୟ ୬୭ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସେଥିମଧ୍ୟରୁ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଓ କଟକରେ ୪୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଆଜି ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଲିସ ମହାନିର୍ଦେଶକ ଡାକ୍ତର ରାଜେନ୍ଦ୍ର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୁଲିସ ଡିଜି ଅନ୍ୟ ଅଧିକାରୀଙ୍କ ସହ ବାରବାଟୀ ଷ୍ଟାଡିୟମ୍‌ର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନକରି ମୁତୟନ ହେବାକୁ ଥିବା ଫୋର୍ସଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ । ଷ୍ଟାଡିୟମ୍‌ରେ ସୁରକ୍ଷା ଦାୟିତ୍ୱରେ ମୋଟ ୩୦୦ପୁଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ଡାକ୍ତର ଶର୍ମା କହିଲେ ମ୍ୟାଚକୁ ସୁରୁଖୁରୁରେ ଶେଷ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି । ଦର୍ଶକଙ୍କ ପାଇଁ ଷ୍ଟାଡିୟମ ଭିତରକୁ ବିଭିନ୍ନ ସାମଗ୍ରୀ ନେଇଯିବା ଉପରେ କଟକଣା କରାଯାଇଛି । ମଙ୍ଗଳବାର ଉଭୟ ଦଳଙ୍କ ଅଭ୍ୟାସ ଦେଖିବା ପାଇଁ ୬ନମ୍ବର ଗ୍ୟାଲେରୀ ଖୋଲାରହିବ । ମ୍ୟାଚ ସମୟରେ କୌଣସି ଦର୍ଶକ ବିଶୃଙ୍ଖଳା ସୃଷ୍ଟି କଲେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜି ଡାକ୍ତର ଶର୍ମା କହିଥିଲେ । ଏହି ବୈଠକରେ ପୁଲିସ କମିଶନର ୱାଇ.ବି. ଖୁରାନିଆ, ଡିସିପି ଅଖିଳେଶ୍ୱର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।