ଓଡିଆନ୍ ନ୍ୟୁଜ

113

କାର୍ୟ୍ୟ କରୁନଥିବା ୧୭୬ ଉଚ୍ଚାଧିକାରୀଙ୍କୁ ଅବସର

Team Odian News |

କାର୍ୟ୍ୟ କରୁନଥିବା ୧୭୬ ଉଚ୍ଚାଧିକାରୀଙ୍କୁ ଅବସର
ନୂଆଦିଲ୍ଲୀ,୨୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): କେନ୍ଦ୍ରର ଏନଡିଏ ସରକାର କାର୍ୟ୍ୟରେ ଅବହେଳା କରୁଥିବା ଓ ଆଦୌ କାମ କରୁନଥିବା ୧୭୬ ଜଣ ଉଚ୍ଚପଦରେ ଥିବା ସରକାରୀ ଅଧିକାରୀଙ୍କୁ ଜନସ୍ୱାର୍ଥ ନାମରେ ଅବସର ଦେଇଛନ୍ତି । ଲୋକସଭାରେ ବୁଧବାର ଦିଆଯାଇଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ପ୍ରାଶାସନିକ ଚାକିରିରେ ଥିବା ପ୍ରଥମ ଶ୍ରେଣୀର ୫୩ ଜଣ ଅଧିକାରୀ ଓ ଦ୍ୱୀତିୟ ଶ୍ରେଣୀର ୧୨୩ ଜଣ ଅଧିକାରୀଙ୍କୁ ଅବସର ଦିଆଯାଇଛି । ଆର୍ଥିକ ଆଇନ ୫୬ (ଜେ) ଏବଂ ସେଭଳି ଧାରାରେ ଏହି ସରକାରୀ ଅଧିକାରୀଙ୍କ ବିରୋଧରେ ଏଭଳି ପଦକ୍ଷେପ ନିଆଯାଇଛି । ଏହି ଉଚ୍ଚପଦସ୍ତ ଅଧିକାରୀମାନେ ୨୦୧୪ ଜୁଲାଇ ୧ରୁ ୨୦୧୭ ଅକ୍ଟୋବର ୩୧ ପର୍ୟ୍ୟନ୍ତ କାର୍ୟ୍ୟରେ ଅବହେଳା କରୁଥିବା ଓ ଆଦୌ କାର୍ୟ୍ୟ କରିନଥିବା ତଥ୍ୟ ଆଧାରରେ ଜନସ୍ୱାର୍ଥ ନାମରେ ସେମାନଙ୍କୁ ଅବସର ଦିଆଯାଇଛି ବୋଲି କାର୍ମିକ ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଲୋକସଭାରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି । ଆର୍ଥିକ ଆଇନ ୫୬(ଜେ) ଅନୁସାରେ ସରକାରୀ ଚାକିରିଆଙ୍କ କାର୍ୟ୍ୟ ଓ ପ୍ରଦର୍ଶନର ଦୁଇ ଥର ସମୀକ୍ଷା କରାଯାଇଥାଏ । ଚାକିରି କାଳର ୧୫ ବର୍ଷ ପରେ ପ୍ରଥମ ଏବଂ ୨୫ ବର୍ଷ ପରେ ଦ୍ୱିତୀୟ ସମୀକ୍ଷା ହୋଇଥାଏ । ଏହି ଆଧାରରେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ୧୧,୮୨୮ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ କାର୍ୟ୍ୟ ଓ ପ୍ରଦର୍ଶନର ସମୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରେ ୨,୫୯୩ ଜଣ ଆଇଏଏସ୍‌, ଆଇପିଏସ୍‌ ଓ ଆଇଏଫଓଏସ୍‌ ଅଧିକାରୀଙ୍କ କାର୍ୟ୍ୟର ସମୀକ୍ଷା କରାଯାଇଥିଲା । ସେହିପରି ୧୯,୭୧୪ ଦ୍ୱିତୀୟ ଶ୍ରେଣୀ ଅଧିକାରୀଙ୍କ କାର୍ୟ୍ୟର ସମୀକ୍ଷା କରାଯାଇଥିଲା ।