ଓଡିଆନ୍ ନ୍ୟୁଜ

155

‘ପାକିସ୍ତାନ ଲିଙ୍କ୍‌’ ଟିପ୍ପଣୀକୁ ନେଇ ସଂସଦରେ ହଙ୍ଗାମା

Team Odian News |

‘ପାକିସ୍ତାନ ଲିଙ୍କ୍‌’ ଟିପ୍ପଣୀକୁ ନେଇ ସଂସଦରେ ହଙ୍ଗାମା
ନୂଆଦିଲ୍ଲୀ,୨୦/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଗୁଜୁରାଟ ବିଧାନସଭା ନିର୍ବାଚନ ପ୍ରଚାରବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପାକିସ୍ତାନ ଲିଙ୍କ’ ଟିପ୍ପଣୀକୁ ନେଇ ସଂସଦର ଉଭୟ ଗୃହର ଶୀତକାଳୀନ ଅଧିବେଶନରେ ହଙ୍ଗାମା ହୋଇଛି । ଫଳରେ ସଂସଦର ପୁଣି ଗୋଟିଏ ଦିନର ଅଧିବେଶନ ଧୋଇ ହୋଇଯାଇଛି । ପାକିସ୍ତାନ ଲିଙ୍କ ଟିପ୍ପଣୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ମାଗନ୍ତୁ ବୋଲି ଦାବି କରି କଂଗ୍ରେସ ସାଂସଦମାନେ ଲୋକସଭାରେ ହଙ୍ଗାମା କରିଥିଲେ । ଲୋକସଭାର ପ୍ରଶ୍ନୋଉର କାଳରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ ବି ହଙ୍ଗାମା ଯୋଗୁ ସାମୟିକ ଭାବେ ଗୃହକାର୍ୟ୍ୟକୁ ମୁଲତବି କରାଯାଇଥିଲା । ସେପେଟ ରାଜ୍ୟସଭାରେ ମଧ୍ୟ ବିରୋଧୀ ଦଳର ସାଂସଦମାନେ ପ୍ରଧାନମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦାବି କରି ସ୍ଲୋଗାନ ଦେବା ସହ ହୋହଲ୍ଲା କରିଥିଲେ । ବିରୋଧୀମାନେ ରାଜ୍ୟସଭା ଅଧ୍ୟକ୍ଷଙ୍କ କଥା ନଶୁଣି ହୋହଲ୍ଲା କରିବାରୁ ଗୃହକାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା । ରାଜ୍ୟସଭାରେ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଗୃହରେ ମନ୍ତବ୍ୟ ଦେଇନାହାନ୍ତି, ତେଣୁ ସେ କ୍ଷମା ମାଗିବେ ନାହିଁ । ଏହାପରେ କଂଗ୍ରେସ ସାଂସଦମାନେ ଗୃହରେ ପ୍ରବଳ ହଙ୍ଗାମା କରିବାରୁ ଗୃହକାର୍ୟ୍ୟକୁ ଦନ ୨ଟା ପର୍ୟ୍ୟନ୍ତ ମୁଲତବି କରିଦିଆଯାଇଥିଲା । ସେହିପରି ଲୋକସଭା ପ୍ରଶ୍ନୋତ୍ତର କାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗରେ ଏକାଠି ହୋଇ ମନମୋହନଙ୍କୁ କ୍ଷମା ମାଗ ବୋଲି ଦାବି କରି ସ୍ଲୋଗାନମାନ ଦେଇଥିଲେ । ହୋହଲ୍ଲା ମଧ୍ୟରେ ବାଚସ୍ପତି ସୁମିତ୍ରା ମହାଜନ ଗୃହ କାର୍ୟ୍ୟକୁ ମଧ୍ୟାହ୍ନ ପର୍ୟ୍ୟନ୍ତ ମୁଲତବି କରିଦେଇଥିଲେ । ପ୍ରକାଶଯୋଗ୍ୟ ଯେ ଗୁଜୁରାଟ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପାକିସ୍ତାନ ଲିଙ୍କ୍‌ ଥିବା ମନ୍ତବ୍ୟ ଦେଇଥିଲେ । ଗୁଜୁରାଟ ନିର୍ବାଚନ ପାଇଁ ପାକିସ୍ତାନ ସହ ମିଶି କଂଗ୍ରେସ ନେତାମାନେ ଷଡ଼ଯନ୍ତ୍ର ରଚୁଥିବା ମୋଦି ଟିପ୍ପଣୀ ଦେଇଥିଲେ । ଏହି ଟିପ୍ପଣୀକୁ ନେଇ ବିରୋଧୀମାନେ ସଂସଦର ଉଭୟ ଗୃହରେ ହଙ୍ଗାମା କରିଛନ୍ତି ।