ଓଡିଆନ୍ ନ୍ୟୁଜ

150

ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘ଚଣ୍ଡାଳ’, ଧାରାବାହିକ ‘ସିନ୍ଦୂରବିନ୍ଦୁ’

Team Odian News |

ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ‘ଚଣ୍ଡାଳ’, ଧାରାବାହିକ ‘ସିନ୍ଦୂରବିନ୍ଦୁ’
ଭୁବନେଶ୍ୱର,୨୧/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ଘରେ ଘରେ ଏବେ ଟେଲିଭିଜନ୍‌ର ଆଦର ବଢ଼ି ଚାଲିଛି । ଜନସାଧାରଣଙ୍କୁ ମନୋରଞ୍ଜନ ଯୋଗାଇବାରେ ଏହାର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଏଥିରେ ସାମାଜିକ ପ୍ରଭାବ ସୁସ୍ପଷ୍ଟ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ସଂସ୍କୃତି ବିଭାଗ ପକ୍ଷରୁ ଉକ୍ରଳ ମଣ୍ଡପଠାରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ପଞ୍ଚମ ରାଜ୍ୟ ଟେଲି ପୁରସ୍କାର ଉତ୍ସବ-୨୦୧୭କୁ ଉଦ୍‌ଘାଟନ କରି ପର୍ୟ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ରାଜ୍ୟରେ ଏବେ ୪ ହଜାର କଳାକାରଙ୍କୁ ଭତ୍ତା ଦିଆଯାଉଛି । ଏହା କିପରି ଅଧିକ ସଂଖ୍ୟାରେ ଦେଇ ହେବ ସେ ବାବଦରେ ସରକାର ଚିନ୍ତା କରୁଛନ୍ତି । ଲୋକକଳା ଉଭୟ ଚଳଚ୍ଚିତ୍ର ଓ ଟେଲିଭିଜନରେ ପ୍ରତିଫଳିତ ହେଉଥିବାରୁ ତା’ର ପ୍ରଚାର ପ୍ରସାର ଦିଗରେ ବିଭାଗ ପକ୍ଷରୁ କାର୍ୟ୍ୟ କରାଯିବା ସହ ଦୁଃସ୍ଥ କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ ଧାରାକୁ ସୁଗମ କରାଯିବ ବୋଲି ମନ୍ତ୍ରୀ ଦର୍ଶାଇଥିଲେ । ସମ୍ମାନିତ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ୟ୍ୟନାରାୟଣ ପାତ୍ର କହିଥିଲେ ଧାରାବାହିକ, ଚଳଚ୍ଚିତ୍ର ପ୍ରସାରଣ ଦ୍ୱାରା ବିଭିନ୍ନ ଚାନେଲ ଆର୍ଥିକ ଦୃଷ୍ଟିକୋଣରୁ ଲାଭବାନ ହେଉଛନ୍ତି । ସମ୍ମାନିତ ଅତିଥିଭାବେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ, ଅଭିନେତା-ବିଧାୟକ ଆକାଶ ଦାସ ନାୟକ, ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଟେଲି ଧାରାବାହିକ କିପରି ପରିବାରର ସମସ୍ତ ସଦସ୍ୟଙ୍କୁ ବାନ୍ଧି ରଖୁଛି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଛୋଟ ଓ ବଡ଼ ପରଦାର କଳାକାରଙ୍କ ଆଦର ସମ୍ପର୍କରେ କହିଥିବାବେଳେ ନିର୍ଦେଶକ ଅମରେନ୍ଦ୍ର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ମୋଟ ୨୦ଟି ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ ଟେଲି ଚଳଚ୍ଚିତ୍ର ଭାବେ ‘ଚଣ୍ଡାଳ’ (ପ୍ରଯୋଜକ-ନିର୍ଦେଶକ ବିଶାଳ ପଟ୍ଟନାୟକ)କୁ ପୁରସ୍କୃତ କରାଯାଇଥିବାବେଳେ ଧାରାବାହିକଭାବେ ‘ସିନ୍ଦୂରବିନ୍ଦୂ’(ପ୍ରଯୋଜିକା ସୌଭାଗ୍ୟଲକ୍ଷ୍ମୀ ଜେନା), ଅଭିନେତା ଚୌଧୁରୀ ସତ୍ୟବ୍ରତ ଦାଶ (ସିନ୍ଦୂରବିନ୍ଦୁ), ଅଭିନେତ୍ରୀ ଶ୍ୱେତଲାନା (ଏସିପି ନିକିତା), ଚରିତ୍ର ଅଭିନେତା ହୃଦାନନ୍ଦ ପଟ୍ଟନାୟକ (ସିନ୍ଦୂରବିନ୍ଦୁ), ଚରିତ୍ର ଅଭିନେତ୍ରୀ ପ୍ରିୟଦର୍ଶିନୀ ବଡ଼ଜେନା (କିଏ), ଖଳନାୟକ ଋଷି ପଟ୍ଟନାୟକ (କିଏ), ଖଳନାୟିକା ଯାଜ୍ଞସେନୀ ମହାପାତ୍ର (ଏସିପି ନିକିତା), ହାସ୍ୟ ଅଭିନେତା ସତ୍ୟବ୍ରତ ପାଣିଗ୍ରାହୀ, ସତ୍ୟରଞ୍ଜନ ମିଶ୍ର (ଦେଖ୍‌ ଖବର ରଖ୍‌ ନଜର), ଶିଶୁ କଳାକାର ଆଦ୍ୟାଶା ଚୌଧୁରୀ (ବଧୂ), ଚିତ୍ରନାଟ୍ୟ ଅୟସକାନ୍ତ ସ୍ୱାଇଁ (ଦେଖ୍‌ ଖବର ରଖ୍‌ ନଜର), ସଂଳାପ ଲେଖକ ସତ୍ୟରଞ୍ଜନ ମିଶ୍ର (ଦେଖ୍‌ ଖବର ରଖ୍‌ ନଜର), ଚିତ୍ରଗ୍ରହଣ କୌଶିକ ବ୍ରତ ମାଇତି (ସିନ୍ଦୂରବିନ୍ଦୁ), ସମ୍ପାଦନା ଶୁଭାଶିଷ ମେକାପ (ସିନ୍ଦୂରବିନ୍ଦୁ), ଶବ୍ଦଗ୍ରହଣ ଅରୁଣ ଦଣ୍ଡପାଟ (କିଏ), ଟେଲି/ଆଦିବାସୀ ଭାଷା/ଶିକ୍ଷାଭିତ୍ତିକ ଚଳଚ୍ଚିତ୍ର ପାଇଁ ‘ବତିଘର’ର ପ୍ରଯୋଜକ ସମ୍ବିତ ପଟ୍ଟନାୟକ, ନିର୍ଦେଶକ ସଞ୍ଜୟ ପଟ୍ଟନାୟକ ଓ ସ୍ୱତନ୍ତ୍ର ଜୁରୀ ପୁରସ୍କାର ଧରିତ୍ରୀ ଖଣ୍ଡୁଆଳ (ଚରିତ୍ର ଅଭିନେତ୍ରୀ) (ତଅପୋଇ), ଏମ୍‌ଡି ବବଲୁ (ଅଭିନେତା) (ଚଣ୍ଡାଳ)ଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ଟେଲି ପୁରସ୍କାର ଜୁରୀ କମିଟିର ଅଧ୍ୟକ୍ଷ ପ୍ରଦୋଷ ପଟ୍ଟନାୟକ, ସଦସ୍ୟ ବୃନ୍ଦାବନ ଜେନା, ଲାଲା ବୀରେନ ପ୍ରସାଦ ରାୟ, ସୁସ୍ମିତା ବାଗ୍‌ଚି, ଡ. ସ୍ନେହପ୍ରଭା ସାମନ୍ତରାୟ, ଗୀତା ଦାସଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଟେଲି ଆର୍ଟିଷ୍ଟ ଆସୋସିଏସନର ସମ୍ପାଦକ ନରେନ୍ଦ୍ର ପାତ୍ର ମଞ୍ଚରେ ସମ୍ମାନିତ ହୋଇଥିଲେ । କାର୍ୟ୍ୟକ୍ରମ ଆୟୋଜନରେ ସହାୟତା କରିଥିବା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ । କାର୍ୟ୍ୟକ୍ରମ ସଂଯୋଜନା କରିଥିଲେ ଅଧ୍ୟାପକ ଡ. ମୃତ୍ୟୁଞ୍ଜ ରଥ । ପୁରସ୍କାରଣ ବିତରଣୀ ପରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷିତ ହୋଇଥିଲା ।